ଲଣ୍ଡନ,୧୩।୫: ବ୍ରିଟେନର ଅତିଧନୀଙ୍କ ତାଲିକାରେ ଏନ୍ଆର୍ଆଇ ହିନ୍ଦୁଜା ଭ୍ରାତା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ୨୨ ବିଲିୟନ ପାଉଣ୍ଡ(ପ୍ରାୟ ୨ ଲକ୍ଷ କୋଟି ଟଙ୍କା) ସମ୍ପତ୍ତି ସହ ହିନ୍ଦୁଜା ଭ୍ରାତା ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ଅନ୍ୟତମ ପ୍ରବାସୀ ଭାରତୀୟ ରୁବେନ ଭ୍ରାତା ୧୮.୬୬ ବିଲିୟନ ପାଉଣ୍ଡ (୧,୬୯,୫୦୦ କୋଟି ଟଙ୍କା)ର ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନକୁ ଉଠି ଆସିଛନ୍ତି। ବ୍ରିଟେନରେ ହିନ୍ଦୁଜା ଗ୍ରୁପ୍ ଅଫ୍ କମ୍ପାନୀ ଚଳାଉଥିବା ଶ୍ରୀଚନ୍ଦ ଏବଂ ଗୋପୀଚନ୍ଦ ହିନ୍ଦୁଜାଙ୍କ ସମ୍ପତ୍ତି ଗତବର୍ଷ ତୁଳନାରେ ୧.୩୫ ବିଲିୟନ ପାଉଣ୍ଡ ବୃଦ୍ଧି ପାଇଛି। ଏଭଳି ଭାବେ ସେମାନେ ‘ସଣ୍ଡେ ଟାଇମ୍ସ’ର ସବୁଠାରୁ ଧନୀ ତାଲିକାର ପ୍ରଥମ ସ୍ଥାନ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି। ଏଥିପୂର୍ବରୁ ୨୦୧୪ ଏବଂ ୨୦୧୭ରେ ମଧ୍ୟ ସେମାନେ ଏହି ତାଲିକାର ଶୀର୍ଷରେ ପହଞ୍ଚତ୍ଥିଲେ। ଅନ୍ୟପକ୍ଷରେ ରୁବେନ ଭ୍ରାତା ମୁମ୍ବାଇରେ ଜନ୍ମିତ ୮୦ ବର୍ଷୀୟ ଡେଭିଡ୍ ରୁବେନ ଏବଂ ୭୭ ବର୍ଷୀୟ ସାଇମନ ରୁବେନ ଗତବର୍ଷ ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଥିଲେ। ଚଳିତ ବର୍ଷ ସେମାନଙ୍କ ସମ୍ପତ୍ତି ୩.୫୬ ବିଲିୟନ ପାଉଣ୍ଡ ବୃଦ୍ଧି ପାଇଛି। ସେହିପରି ଅନ୍ୟତମ ଏନ୍ଆର୍ଆଇ ଲକ୍ଷ୍ମୀ ନିବାସ ମିତ୍ତଲଙ୍କ ସମ୍ପତ୍ତି ୩.୯୯ ବିଲିୟନ ପାଉଣ୍ଡ ହ୍ରାସ ପାଇଛି। ଫଳରେ ସେ ଅତିଧନୀନଙ୍କ ତାଲିକାରେ ଗତବର୍ଷ ୫ମ ସ୍ଥାନରେ ରହିଥିବା ବେଳେ ଚଳିତବର୍ଷ ୧୧ତମ ସ୍ଥାନକୁ ଖସିଯାଇଛନ୍ତି। ଅନ୍ୟପକ୍ଷରେ ଗତବର୍ଷ ଶୀର୍ଷ ସ୍ଥାନରେ ରହିଥିବା ଏକ ରାସାୟନିକ କମ୍ପାନୀର ପ୍ରତିଷ୍ଠାତା ସାର୍ ଜିମ୍ ର଼୍ୟାଟକ୍ଲିପ୍ ୧୮.୧୫ ବିଲିୟନ ପାଉଣ୍ଡ ସମ୍ପତ୍ତି ସହ ତୃତୀୟ ସ୍ଥାନକୁ ଖସିଯାଇଛନ୍ତି।