ଭୁବନେଶ୍ୱର,୪।୩(ବ୍ୟୁରୋ): ପ୍ରାଣଘାତୀ କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିବା ବେଳେ ବୁଧବାର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିବା ସୂଚନା ମିଳିଛି। ଏ ନେଇ ବୈଠକରେ ଉପସ୍ଥିତ ଡିଏମ୍ଇଟି ଡା. ସିବିକେ ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି, କରୋନା ନେଇ ଲୋକଙ୍କୁ ସଚେତନ କରିବା ବିଷୟରେ ବୈଠକରେ ଆଲୋଚନା ହୋଇଛି। ଅନ୍ୟ ରାଜ୍ୟରେ କରୋନା ପଜିଟିଭ୍ ମିଳିଛି। ଏଣୁ ଏ ନେଇ ରାଜ୍ୟ ସରକାର ସଚେତନ ଅଛନ୍ତି। ଏଯାବତ୍ ଓଡ଼ିଶାରେ ୧୧୫ ଜଣଙ୍କୁ ହୋମ୍ ଆଇସୋଲେଶନରେ ରଖାଯାଇଛି। ପାରାଦୀପରୁ ମଙ୍ଗଳବାର ଆସିଥିବା ଦମ୍ପତିଙ୍କ ନମୁନା ପରୀକ୍ଷା ଲାଗି ପଠାଯାଇଥିବା ସେ କହିଛନ୍ତି।
ପ୍ରକାଶ ଯେ, କରୋନା ତଦାରଖ ପାଇଁ ଡିଏମ୍ଇଟିଙ୍କୁ ଦାୟିିତ୍ୱ ଦିଆଯାଇଛି। ବିମାନବନ୍ଦର ଓ ହସ୍ପିଟାଲଗୁଡ଼ିକୁ ଆଲର୍ଟ କରାଯାଇଛି। ବିମାନ ଯାତ୍ରୀଙ୍କ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ରାଜ୍ୟର ସମସ୍ତ ହସ୍ପିଟାଲକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କ୍ରିନିଂରେ ସନ୍ଦେହ ହେଲେ ଉକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ କୁହାଯାଇଛି।