ଓ୍ବାଶିଂଟନ,୨୦।୬: ବାଣିଜ୍ୟ ସୁବିଧା ଲାଗି ଆମେରିକା ପ୍ରଦାନ କରୁଥିବା ଜେନେରାଲାଇଜ୍ଡ ସିଷ୍ଟମ ଅଫ୍ ପ୍ରିଫରେନ୍ସ(ଜିଏସ୍ପି) ମାନ୍ୟତା ଭାରତକୁ ପୁଣି ଥରେ ପ୍ରଦାନ କରିବାକୁ ଆମେରିକା ବିଚାର କରୁଛି। ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଭାରତ ଆମେରିକାର ସାମଗ୍ରୀ ଉପରେ ବର୍ତ୍ତମାନ ଉଚ୍ଚ ଟିକସ ଲାଗୁ କରୁଛି। ଏଥିଯୋଗୁ ବାଧ୍ୟ ହୋଇ ଭାରତକୁ ଜିଏସ୍ପି ମାନ୍ୟତା ଦ୍ୱାରା ବାଣିଜ୍ୟ ସୁବିଧା ଦେବାକୁ ଆମେରିକା ଚାହୁଁଛି। ଟ୍ରମ୍ପ ପ୍ରଶାସନ ୨୦୧୯ ଜୁନରେ ଆମେରିକା ଭାରତକୁ ଦେଉଥିବା ଜିଏସ୍ପି ମାନ୍ୟତା ପ୍ରତ୍ୟାହାର କରିନେଇଥିଲା। ଭାରତ ବଜାରରେ ନ୍ୟାୟପୂର୍ଣ୍ଣ ଭାବେ ଆମେରିକାକୁ ଏହାର ବଜାରରେ କାରବାର କରିବା ନେଇ ସୁଯୋଗ ଦେଉ ନ ଥିବା ଅଭିଯୋଗ କରି ଜିଏସ୍ପି ମାନ୍ୟତା ପ୍ରତ୍ୟାହାର କରାଯାଇଥିଲା। ବର୍ତ୍ତମାନ ଆମେରିକାର ସେଓ, ଡାଲି ସମେତ ଅନ୍ୟ ବର୍ଗର ସାମଗ୍ରୀ ଉପରେ ଭାରତ ଉଚ୍ଚ ଟିକସ ଲାଗୁ କରୁଛି। ୨୦୧୮ରେ ଭାରତ ଆମେରିକାକୁ ୫୧.୪ ବିଲିୟନ ଡଲାର ସାମଗ୍ରୀ ପଠାଇ ଥିବା ବେଳେ ମାତ୍ର ୬.୩୫ ବିଲିୟନ ଡଲାରର ସାମଗ୍ରୀ ଜିଏସ୍ପି ପରିସରଭୁକ୍ତ ହୋଇଥିଲା। ଅର୍ଥାତ ଜିଏସ୍ପି ଦ୍ୱାରା ଭାରତ ବିଶେଷ ଲାଭବାନ ହେଉ ନ ଥିବା ଭାରତୀୟ ରପ୍ତାନିକାରୀ ମହାସଂଘ ପକ୍ଷରୁ ସୂଚନା ରହିଛି।