ନୂଆଦିଲ୍ଲୀ, ୨୬ା୪ (ପି.ଟି.)- ଆସନ୍ତା ମେ ୬ରୁ ୧୧ ପର୍ଯ୍ୟନ୍ତ ଜୟୁପରସ୍ଥିତ ସଓ୍ବାଇ ମାନସିଂ ଷ୍ଟାଡିୟମରେ ମହିଳା ଟି୨୦ ଚ୍ୟାଲେଞ୍ଜ ସିରିଜ ଖେଳାଯିବ। ଏଥିରେ ଭାଗନେବାକୁ ଥିବା ତିନୋଟି ଦଳ ସୁପରନୋଭାସ, ଟ୍ରେଲ୍ବ୍ଲେଜର୍ସ ଏବଂ ଭେଲୋସିଟି ଦଳର ଅଧିନାୟକତ୍ୱ ଯଥାକ୍ରମେ ହରମନପ୍ରୀତ କୌର, ସ୍ମୃତି ମନ୍ଧାନା ଓ ମିଥାଲି ରାଜ କରିବେ। ଓଡ଼ିଶା ଅଫ୍ ସ୍ପିନର ତଥା ଡାହାଣହାତୀ ବ୍ୟାଟ୍ସଓମ୍ୟାନ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଭେଲୋସିଟି ଦଳରେ ସ୍ଥାନ ପାଇଛନ୍ତି। ସିରିଜରେ ଭାଗନେବାକୁଥିବା ତିନୋଟି ଦଳରେ ପ୍ରତିନିଧିତ୍ୱ କରିବାକୁଥିବା ଅନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି, ଇଂଲଣ୍ଡର ନାଟାଲି ସ୍କିଭର,ଡାନିଲି ୟାଟ୍, ସୋଫି ଏକ୍ଲେଷ୍ଟୋନ୍, ନ୍ୟୁଜିଲାଣ୍ଡର ସୋଫି ଡିଭାଇନ୍, ସୁଜି ବେଟ୍ସ, ଆମେଲିଆ କେର୍ ଏବଂ ଓ୍ବେଷ୍ଟଇଣ୍ଡିଜର ଷ୍ଟିଫାନି ଟେଲର। ଡବ୍ଲ୍ୟୁଭି ରମଣ ସୁପରନୋଭାସ ଦଳର କୋଚ୍ ରହିଥିବାବେଳେ ଟ୍ରେଲ୍ବ୍ଲେଜର୍ସ ଓ ଭେଲୋସିଟି ଦଳର କୋଚ୍ ଭାବେ ବିଜୁ ଜର୍ଜ ଓ ମମତା ମାବେନଙ୍କୁ ମନୋନୀତ କରାଯାଇଛି।