ମଙ୍ଗଳ ହେଉଛି ସୂର୍ଯ୍ୟଠାରୁ ଦୂରତା କ୍ରମରେ ସୌରଜଗତର ଚତୁର୍ଥ ଏବଂ ପୃଥିବୀର ଅନ୍ୟତମ ପଡୋଶୀ ଗ୍ରହ। ଅନେକ ବର୍ଷରୁ ଏହାକୁ ନେଇ ପୃଥିବୀବାସୀଙ୍କ ମନରେ ଅହେତୁକ ଆଶା ଓ କଳ୍ପନା ଥିଲା। ସେଠାରେ ଉନ୍ନତ ଜୀବ ରହିଥିବାର କଳ୍ପନା କରାଯାଇ ଅନେକ ଗଳ୍ପ ଓ ଉପନ୍ୟାସ ରଚିତ ହୋଇଛି। ଗତ ଶତାବ୍ଦୀର ଶେଷାର୍ଦ୍ଧରେ ବିଭିନ୍ନ ଗ୍ରହ ଉପଗ୍ରହ ନିକଟକୁ ମହାକାଶ ଯାନ ଓ ପ୍ରୋବ୍ ପଠାଯାଇ ତଥ୍ୟ ସଂଗ୍ରହ କରିବା ପରେ ବୈଜ୍ଞାନିକମାନେ ବର୍ତ୍ତମାନ ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ମଙ୍ଗଳରେ କୌଣସି ଜୀବ ନାହିଁ। କିନ୍ତୁ ମହାକାଶ ଯାନ ପଠାଇଥିବା ବିଭିନ୍ନ ତଥ୍ୟରୁ ଅନୁମାନ କରାଯାଉଛି ଯେ ପୂର୍ବରୁ ସେଠାରେ ତରଳ ଜଳ ଓ ଜୀବଜଗତ ଥିଲା, ମାତ୍ର କୌଣସି କାରଣରୁ ଜଳ ବାଷ୍ପୀଭୂତ ହୋଇଯାଇ ଜୀବଜଗତ ନିଶ୍ଚିହ୍ନ ହୋଇଯାଇଛି। ଏହା ସମ୍ବନ୍ଧରେ ଠିକ୍ ବିବରଣୀ ପାଇବା ପାଇଁ ଏବଂ ମଙ୍ଗଳଗ୍ରହର ମୃତ୍ତିକା ଓ ଜଳବାୟୁ ଅଧ୍ୟୟନ କରିବା ପାଇଁ କେତେଗୁଡିଏ ମହାକାଶ ଯାନ ଏହା କକ୍ଷରେ ପରିକ୍ରମଣ କରୁଛି ଏବଂ କେତୋଟି ରୋଭର ଯାନ ଏହା ପୃଷ୍ଠରେ ବିଚରଣ କରି ବିଭିନ୍ନ ପରୀକ୍ଷା କରୁଛି। ଭାରତର ଦୁଇଟି ଯାନ ମଙ୍ଗଳ କକ୍ଷକୁ ପଠାଯାଇଥିଲା ଏବଂ ଶେଷ ଯାନଟି ବର୍ତ୍ତମାନ ମଧ୍ୟ କାର୍ଯ୍ୟ କରୁଛି।
ଏହି କ୍ରମରେ ମଙ୍ଗଳ ଅଭିଯାନରେ ପଠାଯାଇଥିବା ସଦ୍ୟତମ ମହାକାଶ ଯାନ ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏହି ବର୍ଷ ଜୁଲାଇ ୩୦ତାରିଖରେ ଉତ୍କ୍ଷେପଣ କରିଛି। ଏଥିରେ ‘ପର୍ଜଭେରାନ୍ସ’ ନାମକ ରୋଭର ସହିତ ଗୋଟିଏ ହେଲିକପ୍ଟର ସାମିଲ ହୋଇଛି।
ପୃଥିବୀ ବାହାରେ କୌଣସି ଗ୍ରହ କିମ୍ବା ଉପଗ୍ରହରେ ହେଲିକପ୍ଟର ଉଡିବା ଏହା ପ୍ରଥମ ହେବ। ଏହାର ନାମ ହେଉଛି ‘ଇନ୍ଜେନୁଇଟି’। ଏହା ହେଉଛି ଗୋଟିଏ ଛୋଟ ହେଲିକପ୍ଟର ଏବଂ ପରୀକ୍ଷାମୂଳକ ଭାବେ ମଙ୍ଗଳରେ ଏହାର ଉଡାଣ ପାଇଁ ଏହାକୁ ପଠାଯାଇଛି। ଏହାର ଓଜନ ହେଉଛି ଚାରି ପାଉଣ୍ଡ। ଏହାର ଚାରିଟି ଗୋଡ ଅଛି ଏବଂ ପ୍ରତ୍ୟେକ ଗୋଡର ଦୈର୍ଘ୍ୟ ହେଉଛି ୧୫ଇଞ୍ଚ। କାର୍ବନ-ଫାଇବରରେ ନିର୍ମିତ ଏହାର ରୋଟୋର ବ୍ଲେଡର ଦୈର୍ଘ୍ୟ ହେଉଛି ଚାରିଫୁଟ ଏବଂ ଏହା ହେଉଛି ପର ଭଳି ହାଲୁକା। ଏଥିରେ ଯୋଗାଯୋଗ ଉପକରଣ, କ୍ୟାମେରା, ଗୋଟିଏ ସୌର ଫଳକ ଏବଂ ପୁନଃଚାର୍ଜକ୍ଷମ ଲିଥିୟମ-ଆୟନ ବ୍ୟାଟେରି ଅଛି। ରାତିରେ ମଙ୍ଗଳର ଅତି ଥଣ୍ଡାରୁ ଇଲେକଟ୍ରୋନିକ୍ସ ଯନ୍ତ୍ରପାତିଗୁଡିକୁ ଉଷୁମ ରଖିବା ପାଇଁ ଏଥିରେ ହିଟର ଅଛି। ଏହାର ନିର୍ମାଣ ପାଇଁ ୮୫ ନିୟୁତ ଡଲାର ଖର୍ଚ୍ଚ ହୋଇଛି।
ରୋଭର ଯାନ ୨୦୨୧ ମସିହା ଫେବୃୟାରୀ ମାସରେ ମଙ୍ଗଳର ଜେଜେରୋ ଗର୍ତ୍ତରେ ଅବତରଣ କରିବ। ଏହାପରେ ମଙ୍ଗଳର ପତଳା ବାୟୁମଣ୍ଡଳରେ ହେଲିକପ୍ଟର ତିରିଶ ଦିନରେ ପାଞ୍ଚଥର ଉଡାଣ କରିବ ଏବଂ ପ୍ରତ୍ୟେକ ଉଡାଣର ସମୟ ୯୦ ସେକେଣ୍ଡ ହେବ। ଏହା ଏଥିରେ ଥିବା ସୌର ଫଳକରୁ ଶକ୍ତି ନେଇ କାର୍ଯ୍ୟ କରିବ। ପ୍ରତ୍ୟେକ ଉଡାଣରେ ୩୫୦ ଓ୍ବାଟ ଶକ୍ତି ଆବଶ୍ୟକ ହେବ। ହେଲିକପ୍ଟରରେ ଥିବା ବ୍ୟାଟେରିକୁ ଦୁଇଟି ଉଡାଣ ମଧ୍ୟରେ ପୁନଃଚାର୍ଜ ହେବା ପାଇଁ ମଙ୍ଗଳରେ ଗୋଟିଏ ଦିନ ଦରକାର ହେବ।
ହେଲିକପ୍ଟରକୁ ଉପରକୁ ଉଠିବା ପାଇଁ ଏହାର ବ୍ଲେଡ ପ୍ରତି ମିନିଟ୍ରେ ୨୮୦୦ ଥର ଘୂରିବ। ପୃଥିବୀରେ ହେଲିକପ୍ଟରର ବ୍ଲେଡ୍ ଘୂର୍ଣ୍ଣନ ବେଗଠାରୁ ଏହା ହେଉଛି ଦଶ ଗୁଣ। ହେଲିକପ୍ଟର ମଙ୍ଗଳ ପୃଷ୍ଠରୁ ୧୬ଫୁଟ ଉପରକୁ ଉଠିବ, କିନ୍ତୁ ସେଠାରେ ଏହା ଯେପରି ପରିସ୍ଥିତିର ସମ୍ମୁଖୀନ ହେବ, ତାହା ପୃଥିବୀ ପୃଷ୍ଠରୁ ଏକ ଲକ୍ଷ ଫୁଟ ଉପରକୁ ହେଲିକପ୍ଟର ଉଠିବାର ପରିସ୍ଥିତି ସହ ସମାନ । ସୂଚନାଯୋଗ୍ୟ ଯେ ପୃଥିବୀରେ କୌଣସି ହେଲିକପ୍ଟର ପଚାଶ ହଜାର ଫୁଟ ଉପରକୁ ଯାଇନାହିଁ।
ଇନଜେନୁଇଟି ହେଉଛି ଗୋଟିଏ ପରୀକ୍ଷାମୂଳକ ଛୋଟ ହେଲିକପ୍ଟର। ଏହା ଯଦି ସଫଳ ହୁଏ, ତାହା ହେଲେ ପରବର୍ତ୍ତୀ ଅଭିଯାନରେ ଏହାଠାରୁ ବଡ ଓ ଶକ୍ତିଶାଳୀ ହେଲିକପ୍ଟର ପଠାଇବା ପାଇଁ ଚିନ୍ତା କରାଯାଉଛି। ମଙ୍ଗଳ ପୃଷ୍ଠର ଉଚ୍ଚ ପାହାଡର ପାର୍ଶ୍ୱ କିମ୍ବା ତୀଖା ଗର୍ତ୍ତର କାନ୍ଥ ଆଦି ଯେଉଁସବୁ ଜାଗାକୁ ରୋଭର ଯାଇପାରିବ ନାହିଁ, ସେହି ସ୍ଥାନକୁ ହେଲିକପ୍ଟର ସାହାଯ୍ୟରେ କ୍ୟାମେରା ଓ ବିଜ୍ଞାନ ଯନ୍ତ୍ରପାତି ପଠାଇ ପରୀକ୍ଷା କରିବା ହେଉଛି ହେଲିକପ୍ଟର ପଠାଇବାର ଉଦ୍ଦେଶ୍ୟ। କକ୍ଷ ପ୍ରଦକ୍ଷିଣକାରୀ ଯାନ ସାହାଯ୍ୟରେ ଏହିସବୁ ସ୍ଥାନର ସ୍ପଷ୍ଟ ଚିତ୍ର ମିଳୁନାହିଁ।
ଇନଜେନୁଇଟି ହେଲିକପ୍ଟରକୁ ‘ନାସା’ର ଜେଟ୍ ପ୍ରପଲସନ୍ ଲାବରେଟୋରି ନିର୍ମାଣ କରିଛି। ଏହି ସଂସ୍ଥା ୩୩ ପାଉଣ୍ଡ ଓଜନର ଅନ୍ୟ ଏକ ହେଲିକପ୍ଟରର ଡିଜାଇନ୍ କରିଛି, ଯାହା ୩.୩ ପାଉଣ୍ଡର ଯନ୍ତ୍ରପାତି ନେଇପାରିବ। ଭବିଷ୍ୟତରେ ମଙ୍ଗଳରେ ଏକା ସାଥିରେ ଅନେକଗୁଡିଏ ହେଲିକପ୍ଟର ଉଡାଇବା ପାଇଁ ‘ନାସା’ର ଯୋଜନା ଅଛି।
ନାସା ‘ଡ୍ରାଗନ ଫ୍ଳାଏ’ ନାମରେ ହେଲିକପ୍ଟର ଆଧାରିତ ଗୋଟିଏ ବଡ ଅଭିଯାନ ପାଇଁ କାର୍ଯ୍ୟ ଆରମ୍ଭ କରିଛି। ଏହା ଶନିଗ୍ରହର ବୃହତ୍ତମ ଉପଗ୍ରହ ଟିଟାନ୍ର ରସାୟନ ଅଧ୍ୟୟନ କରିବ । ସୂଚନାଯୋଗ୍ୟ ଯେ ଟିଟାନ୍ର ମୋଟା ହାଇଡ୍ରୋକାର୍ବନ ବାୟୁମଣ୍ଡଳ ସହ ଏହା ପୃଷ୍ଠରେ ମିଥେନ୍ର ହ୍ରଦ ଓ ସମୁଦ୍ର ଏବଂ ଭୂମି ତଳେ ଜଳୀୟ ମହାସାଗର ଅଛି। ଏଥିପାଇଁ ସେଠାରେ ଜୀବଜଗତ ଗଢି ଉଠିଥିବାର ଅନୁମାନ କରାଯାଉଛି।
ପୂର୍ବରୁ ୧୯୮୫ ମସିହାରେ ସୋଭିଏଟ୍ ରୁଷର ‘ଭେଗା’ ଅଭିଯାନରେ ଶୁକ୍ର ଗ୍ରହରେ ଦୁଇଟି ବେଲୁନକୁ ଉଡାଇ ପାଣିପାଗ ତଥ୍ୟ ସଂଗ୍ରହ କରାଯାଇଥିଲା। କିନ୍ତୁ ଅନ୍ୟ ଗ୍ରହରେ ଶକ୍ତିଚାଳିତ ଯାନ ଉଡିବାରେ ଇନ୍ଜେନୁଇଟି ପ୍ରଥମ ହେବ। ଏହାକୁ ଅନେକ ଏକବିଂଶ ଶତାବ୍ଦୀର ‘ରାଇଟ୍ ଭ୍ରାତୃଦ୍ୱୟ ମୁହୂର୍ତ୍ତ’ କହୁଛନ୍ତି ।
ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର ଫେଜ-୧, ଭୁବନେଶ୍ୱର, ମୋ-୯୪୩୮୬୯୩୭୨୪