ବ୍ରହ୍ମପୁର ଅଫିସ,୧।୪- ଲକ୍ଡାଉନ ପରେ ବଦବିକ୍ରି ଉପରେ ସରକାର କଟକଣା ଜାରି କରିଛନ୍ତି। ଅନ୍ୟପଟେ ଏହାକୁ ଖାତିରି ନ କରି ଚୋରା ବେପାରୀ ବିଦେଶୀ ମଦ ଚାଲାଣ କରୁଛନ୍ତି। ବୁଧବାର ବଡି ଭୋରରୁ ପୋଲିସ ବେଆଇନ ମଦଚାଲାଣ ବେଳେ ୨ ଜଣଙ୍କୁ ଗିରଫ କରିଛି। ବଡବଜାର ପୋଲିସ ଧାନମେରା ସାହି ଛକରୁ ଏକ ବାଇକରେ ଚାଲାଣ ହେଉଥିବା ୪ କାର୍ଟୁନ ବିଦେଶୀ ମଦ ଜବତ କରିବା ସହ ବାଇକକୁ ମଧ୍ୟ ଜବତ କରିଛି। ଏଥିରେ ସମ୍ପୃକ୍ତ ଅଭିଯୋଗରେ ଦୀଳାଦ୍ରିବିହାର ୪ର୍ଥ ସାରଣୀର ଅଭିନାଶ କୁମାର ପାତ୍ର (୨୮) ଓ ଗଣପତି ନଗର ୪ର୍ଥ ସାରଣୀର ଗଗନ ବିହାରୀ ସାହୁ (୨୮)ଙ୍କୁ ଗିରଫ କରିଛି। ଘଟଣା ସ୍ଥଳରୁ ୪ କାର୍ଟୁନରେ ପ୍ରାୟ ୩୫ ଲିଟର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ ହୋଇଥିବା ଥାନାଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି। ନଂ.୬୭/୨୦ରେ ମାମଲା ରୁଜୁକରି ଅଭିଯୁକ୍ତମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି।