ପୁରୀ ଅଫିସ,୨୯।୨: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶନିବାର ସକାଳ ୮ଟା ୧୦ରେ ଶାହା ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାର, ଜିଲାପାଳ ବଳଓ୍ବନ୍ତ ସିଂହ ପ୍ରମୁଖ ପ୍ରଶାସନୀକ ଅଧିକାରୀଙ୍କ ସମେତ ଶ୍ରୀମନ୍ଦିର ସେବାୟତ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ଶାହା କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିରକୁ ଯାଇ ଭିତର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ବେହରଣ ଦ୍ୱାର ଦେଇ ମୁକ୍ତିମଣ୍ଡପକୁ ଯାଇ ବ୍ରାହ୍ମଣମାନଙ୍କଠାରୁ ଆଶିର୍ବାଦ ନେଇଥିଲେ। ପରେ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର ସମେତ ବେଢ଼ା ପରିସର ଅନ୍ୟାନ୍ୟ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। କୀର୍ତ୍ତନ ଚକଡାରୁ ନୀଳଚକ୍ରଙ୍କୁ ଦର୍ଶନକରି ଫେରିଯାଇଥିଲେ ଶାହା। ଶାହାଙ୍କ ଏହି ଦର୍ଶନ ସମୟରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଶାହା ତାଙ୍କ ପୁରୀ ଗସ୍ତସାରି ଭୁବନେଶ୍ୱର ଫେରି ଯାଇଛନ୍ତି।