ଦର୍ପଦଳନ ରଥର ମହାରଣା ସେବକ ନାରାୟଣ ମହାରଣା (୫୬)। ବାପା କୃଷ୍ଣଚନ୍ଦ୍ର ମୁଖ୍ୟ ବିଶ୍ୱକର୍ମା। ରଥ ନିର୍ମାଣରେ ତାଙ୍କର ବିଶେଷ ଭୂମିକା ରହିଛି। ୧୦ ବର୍ଷ ବୟସରେ ସେ ରଥଖଳାକୁ ଆସିଥିଲେ। ୧୯୯୬ ନବକଳେବରରେ ଶାଢି ବନ୍ଧାଇଥିଲେ। ସେ କହନ୍ତି, ମହାପ୍ରଭୁଙ୍କ କରୁଣା ଓ ବାପାଙ୍କ ପ୍ରେରଣାରୁ ରଥ ନିର୍ମାଣରେ ପାରଙ୍ଗମ ହୋଇପାରିଛି। ବାପା ହେଉଛନ୍ତି ମୋ’ ଗୁରୁ ଓ ଆଦର୍ଶ। ତାଙ୍କଠାରୁ ରଥ ନିର୍ମାଣ କଳା ଶିଖିଛି। ଆଜି ମଧ୍ୟ କିଛି ଭୁଲ ହେଲେ, ସେ ସଙ୍ଗେ ସଙ୍ଗେ ଆକଟ କରନ୍ତି। ଭୁଲ ସଂଶୋଧନ କରିଦିଅନ୍ତି।
ଦୁଇଟି ନବକଳେବରରେ କାମ କରିଥିବା ନାରାୟଣ କହିଛନ୍ତି ବନଯାଗର ଅନୁଭୂତି ନିଆରା। ଏହାକୁ ଶବ୍ଦରେ ବ୍ୟକ୍ତ କରାଯାଇପାରିବ ନାହିଁ, କେବଳ ଅନୁଭବ କରାଯାଇପାରେ। ବନଯାଗରେ ଯିବାବେଳେ ଲୋକଙ୍କଠୁ ବହୁ ସ୍ନେହ, ଶ୍ରଦ୍ଧା ପାଇଥିଲୁ। କିଏ ଫୁଲ ପକାଇଥିଲେ ତ ପୁଣି କେହି ପାଦ ଧୋଇଦେଇଥିଲେ। ରାସ୍ତା ସାରା କେବଳ ହରିବୋଲ, ହୁଳହୁଳି, ନାମ ସଂକୀର୍ତ୍ତନ, ଜୟ ଜୟକାର ବାତାବରଣରେ ଏକ ଆଧ୍ୟାତ୍ମିକ ଭାବ ଜାଗ୍ରତ ହୋଇଥିଲା। କୌଣସି ସ୍ଥାନରେ ପହଞ୍ଚତ୍ବା ପୂର୍ବରୁ ସେଠାରେ ଲୋକେ ସବୁ ବ୍ୟବସ୍ଥା କରିଦେଇଥିଲେ। ଯାତ୍ରାରେ କିଛି ଅସୁବିଧା ହୋଇନାହିଁ। ଏସବୁ ମହାପ୍ରଭୁଙ୍କ ଅପୂର୍ବ ଲୀଳା। ମହାପ୍ରଭୁଙ୍କ ନିକଟରେ ସେବା ମନୋଭାବ ରଖି ନିଜକୁ ସମର୍ପଣ କରିଦେଲେ ସବୁ କାର୍ଯ୍ୟ ଅକ୍ଳେଶରେ ହୋଇଯାଏ, ଏହା ମୁଁ ଅନୁଭବ କରିଛି। ରଥଖଳାରେ ମହାପ୍ରଭୁଙ୍କ ସତ୍ତାକୁ ଅନୁଭବିଛି। ନୀଳଚକ୍ରକୁ ଦେଖି ମଥା ଟେକିଦେଲେ ମନରେ ଅପୂର୍ବ ଶାନ୍ତି ଓ ଶ୍ରଦ୍ଧାଭାବ ଆସେ। ଜୀବନର ଶେଷବିନ୍ଦୁ ପର୍ଯ୍ୟନ୍ତ ଏହିପରି ଭାବେ ମହାପ୍ରଭୁଙ୍କ ସେବା କରି ଚାଲିଥିବି।