ମହାମାରୀ ଆଣିଲା କୃଷି ବିପଣନ ସଂସ୍କାର

ଶକ୍ତି ପ୍ରସାଦ ଦାସ

ବିଶ୍ୱ ଅର୍ଥନୀତିକୁ ପଙ୍ଗୁ କରି ପକାଇଥିବା କୋଭିଡ୍‌-୧୯ ମହାମାରୀ ଭାରତର ସୁପ୍ତ ରାଜନୈତିକ ଇଚ୍ଛାଶକ୍ତିକୁ ଜାଗ୍ରତ କରିଛି। ମହାମାରୀର ସଙ୍କଟକୁ ସୁଯୋଗରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ବାନ ଦେଇ ବହୁ ପ୍ରତୀକ୍ଷିତ କୃଷି ବିପଣନ ସଂସ୍କାର ଆଣିଛନ୍ତି। ଏକ ମୂଲ୍ୟ ଶୃଙ୍ଖଳ ଗଠନ କରି କୃଷକମାନଙ୍କ ପାଇଁ ଦୀର୍ଘକାଳୀନ ଭିତ୍ତିରେ ଅଧିକ ଲାଭ ସୁନିଶ୍ଚିତ କରିବାରେ ଏହି ସଂସ୍କାର ସହାୟକ ହେବ ବୋଲି ଆଶା କରାଯାଏ।
୧୯୫୦-୫୧ରେ ଦେଶର ଖାଦ୍ୟ ଉତ୍ପାଦନ ମାତ୍ର ୫୧ ନିୟୁତ ଟନରୁ ୨୦୧୪-୧୫ରେ ପ୍ରାୟ ୨୫୨ ନିୟୁତ ଟନକୁ ବୃଦ୍ଧି ପାଇଛି। ହେଲେ, ଚାଷୀଙ୍କ ଆୟରେ ସେପରି ବୃଦ୍ଧି ଘଟିନାହିଁ। ସମ୍ପ୍ରତି କୋଭିଡ୍‌-୧୯ ପରିପ୍ରେକ୍ଷୀରେ, ସବୁଜ ବିପ୍ଳବର ବିନ୍ଧାଣୀ ଏମ୍‌.ଏସ୍‌. ସ୍ବାମୀନାଥନ୍‌ କହନ୍ତି କି ରୋଜଗାର ପ୍ରଦାନ ମାଧ୍ୟମରେ କୃଷି ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରେ। ଭଲ ବଜାର ଉପଲବ୍ଧ ନ ହେଲେ କେବଳ ଅଧିକ ଉତ୍ପାଦନ କୃଷକମାନଙ୍କୁ ଅଧିକ ଆୟ ଦେଇପାରିବ ନାହିଁ। ଯଦି ବଜାରଗୁଡିକ ନିରନ୍ତର ହୋଇଥାନ୍ତା, ଗୋଟିଏ ଅଞ୍ଚଳର ବଳକା ଉତ୍ପାଦ ନିଅଣ୍ଟିଆ ଅଞ୍ଚଳକୁ ଯାଇପାରନ୍ତା, ତା’ହେଲେ ସମସ୍ୟା ରହନ୍ତା ନାହିଁ। ବର୍ତ୍ତମାନ, ଉତ୍ପାଦନଗତ ପ୍ରଯୁକ୍ତିବିଦ୍ୟା ଉନ୍ନତ ଥିବାବେଳେ ଅମଳ ପରବର୍ତ୍ତୀ ସଂରକ୍ଷଣ, ପ୍ରକ୍ରିୟାକରଣ ଆଦି ପ୍ରଯୁକ୍ତିବିଦ୍ୟା ତଥା ଭିତ୍ତିଭୂମି ପର୍ଯ୍ୟାପ୍ତ ନୁହେଁ।
କୃଷକଙ୍କ ଆୟ ଦ୍ୱିଗୁଣ କରିବା ପାଇଁ ଗଠିତ ‘ଦଲୱାଇ କମିଟି’ ସୂଚିତ କରିଛି ଯେ, ଗ୍ରାହକଙ୍କ କ୍ରୟ-ମୂଲ୍ୟରେ କୃଷକଙ୍କ ଭାଗ ୧୫ରୁ ୪୦ ପ୍ରତିଶତ ମଧ୍ୟରେ ରହିଥାଏ। ମଧ୍ୟସ୍ଥ ଖୁଚୁରା ଓ ପାଇକାରୀ ବେପାରୀମାନେ ଏଥିରୁ ସିଂହଭାଗ ଉଠାଇ ନିଅନ୍ତି। ସଂରକ୍ଷଣ ସୁବିଧାର ଅଭାବ, ଦୁର୍ବଳ ପରିବହନ ବ୍ୟବସ୍ଥା ଓ ଖରାପ ରାସ୍ତା ଯୋଗୁ ଭାରତରେ ବାର୍ଷିକ ପ୍ରାୟ ୪୦ ପ୍ରତିଶତ ଫଳ ଓ ପନିପରିବା ଗ୍ରାହକ ନିକଟରେ ପହଞ୍ଚିବା ପୂର୍ବରୁ ନଷ୍ଟ ହୋଇଯାଉଛି। କେବଳ ସରକାର ପାଣ୍ଠି ଓ ପ୍ରଯୁକ୍ତିବିଦ୍ୟା ଯୋଗାଇଦେଇ କୃଷି ବିପଣନ କ୍ଷେତ୍ରକୁ ନବୀକରଣ କରିପାରିବେ ନାହିଁ। ଏଥିପାଇଁ ଘରୋଇ ନିବେଶକୁ ଉତ୍ସାହିତ କରିବାର ଅଛି।
ସରକାର ୧୯୫୫ର ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ (ଇସିଏ)ରେ ସଂଶୋଧନ କରିବା ସହିତ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦକୁ ଏପିଏମ୍‌ସି ମଣ୍ଡି ବାହାରେ ବିକ୍ରି କରିବାକୁ ଅନୁମତି ଦେବା ପାଇଁ ଏକ କେନ୍ଦ୍ରୀୟ ଆଇନ ଆଣିବାକୁ ଘୋଷଣା କରିଛନ୍ତି। ପ୍ରତିବନ୍ଧକମୁକ୍ତ ଆନ୍ତଃରାଜ୍ୟ ବାଣିଜ୍ୟ ପାଇଁ ଏକ ଆଇନଗତ ଢାଞ୍ଚା ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ‘ଚୁକ୍ତିଭିତ୍ତିକ ଚାଷ’ ଅଧୀନରେ ଫସଲ ଆରମ୍ଭ ପୂର୍ବରୁ କ୍ରେତା ଚାଷୀଙ୍କୁ ନିର୍ଦ୍ଦିଷ୍ଟ ମୂଲ୍ୟ ଓ ପରିମାଣ ନିଶ୍ଚିତ କରିବାର ଏକ ବ୍ୟବସ୍ଥା ଆଣିବାକୁ ମଧ୍ୟ ସରକାର ଘୋଷଣା କରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ (ଇସିଏ)ରେ ଶସ୍ୟ, ଡାଲି, ତୈଳବୀଜ, ଖାଇବା ତେଲ, ପିଆଜ ଓ ଆଳୁକୁ ସରକାରୀ ନିୟନ୍ତ୍ରଣମୁକ୍ତ କରାଯାଇଛି। ଆଜି ଭାରତ ବିଶ୍ୱର ସର୍ବବୃହତ୍‌ ଚାଉଳ ରପ୍ତାନିକାରୀ ଓ ଚାଇନା ପରେ ଉଭୟ ଗହମ ଓ ଚାଉଳର ଦ୍ୱିତୀୟ ବୃହତ୍ତମ ଉତ୍ପାଦନକାରୀ ରାଷ୍ଟ୍ର। ବର୍ତ୍ତମାନ ଆମର ଗୋଦାମସବୁ ଭରପୂର ରହୁଥିବାବେଳେ ଘରୋଇ ବ୍ୟବସାୟୀ, ପ୍ରକ୍ରିୟାକାରୀ ଓ ରପ୍ତାନିକାରୀଙ୍କୁ ଇସିଏ କୃଷିଜାତ ଦ୍ରବ୍ୟ ମହଜୁଦ ରଖିବାରେ ଅଯଥା ପ୍ରତିବନ୍ଧକ ସୃଷ୍ଟି କରୁଛି। ଫଳସ୍ବରୂପ, ଘରୋଇ ନିବେଶକ ଅଧିକ ଗୋଦାମ ନିର୍ମାଣ କରିବାକୁ ନିରୁତ୍ସାହିତ ହେଉଛି ଓ ଦେଶରେ ସଂରକ୍ଷଣ ସୁବିଧାର ଅଭାବ ଅନୁଭୂତ ହେଉଛି।
ଅମଳ ପରେ କୃଷକମାନେ ସେମାନଙ୍କ ଉତ୍ପାଦକୁ ବଜାରକୁ ଆଣିବାବେଳେ, ସେଠାରେ ଉତ୍ପାଦ ଭର୍ତ୍ତିହୋଇ ଥାଏ ଓ ମୂଲ୍ୟ ହ୍ରାସ ପାଇଥାଏ। ଏହା ଚାଷୀଙ୍କୁ କ୍ଷତି ପହଞ୍ଚାଇଥାଏ। ତିରୋଟ ଋତୁରେ ଉପଭୋକ୍ତାଙ୍କ ପାଇଁ ମୂଲ୍ୟ ବଢ଼ିବା ଆରମ୍ଭ କରେ। ସଂରକ୍ଷଣ ସୁବିଧା ଅଭାବରୁ ଉଭୟ ଚାଷୀ ଓ ଉପଭୋକ୍ତା ତିରୋଟ ସମୟରେ କ୍ଷତି ସହନ୍ତି। ଅଧିକନ୍ତୁ, ସଂରକ୍ଷଣ ସୁବିଧା ଅଭାବରୁ ନଷ୍ଟ ହେଉଥିବା କୃଷିଜାତ ଦ୍ରବ୍ୟର ଅପଚୟକୁ ମଧ୍ୟ ରୋକାଯାଇପାରିବ। ଫସଲର ଉତ୍ପାଦନ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ହୁଏ, କିନ୍ତୁ ଏହାର ବ୍ୟବହାର ବର୍ଷସାରା ହୁଏ। ତେଣୁ ସଂରକ୍ଷଣ କରିବାରେ ବିଫଳ ହେଲେ ଅମଳ ପରେ ହଠାତ୍‌ ମୂଲ୍ୟ ହ୍ରାସ ପାଇବା ସ୍ବାଭାବିକ।
କୃଷକମାନଙ୍କୁ ଏପିଏମ୍‌ସି ବଜାର ବାହାରେ ବିକ୍ରୟ କରିବାକୁ ଅନୁମତି ଦେବା ପାଇଁ ପ୍ରସ୍ତାବିତ କେନ୍ଦ୍ରୀୟ ଆଇନ କ୍ରେତାଙ୍କ ମଧ୍ୟରେ ଅଧିକ ପ୍ରତିଯୋଗିତା ଆଣିବ। କୃଷକମାନେ ତାଙ୍କର ଉତ୍ପାଦକୁ ଯାହାକୁ ଚାହିଁବେ ଓ ଯେ କୌଣସି ସ୍ଥାନରେ ଚାହିଁବେ, ବିକ୍ରୟ କରିପାରିବେ। ବ୍ୟବସାୟୀ ଓ ପ୍ରୋସେସର୍‌ମାନେ ମଧ୍ୟ ମୁକ୍ତ ଭାବରେ କ୍ରୟ, ସଂରକ୍ଷଣ ଓ ଦେଶ ମଧ୍ୟରେ ଯେ କୌଣସି ପରିମାଣର କୃଷି ଉତ୍ପାଦ ପରିବହନ କରିପାରିବେ। ମଣ୍ଡି-ଫି ଓ କମିଶନି ଏବଂ ରାଜ୍ୟ ସରକାରମାନଙ୍କ ସେସ୍‌ ଇତ୍ୟାଦି ହ୍ରାସ ପାଇବ।
ବର୍ତ୍ତମାନ ପାଇକାରୀ ଓ ଖୁଚୁରା ବ୍ୟବସାୟୀଙ୍କ ବାବଦରେ ଅତ୍ୟଧିକ ଖର୍ଚ୍ଚ ସହିତ ଏପିଏମ୍‌ସି ବଜାରଗୁଡିକ ଏକଚାଟିଆ ହୋଇଯାଇଛି। ପ୍ରସ୍ତାବିତ ସଂସ୍କାର କୃଷକମାନଙ୍କୁ ଉଚିତ ମୂଲ୍ୟ ପାଇଁ ଏକାଧିକ ଦ୍ୱାର ଖୋଲା ରଖିବ ଓ ସେମାନଙ୍କୁ ଅଧିକ ଲାଭ ପହଞ୍ଚାଇବାରେ ସାହାଯ୍ୟ କରିବ। ତେଣୁ ସେମାନଙ୍କ ଆୟରେ ଉନ୍ନତି ଆସିବ। ଆନ୍ତଃରାଜ୍ୟ ବାଣିଜ୍ୟରେ ଥିବା ପ୍ରତିବନ୍ଧକକୁ ହଟାଇବା ଓ କୃଷିଜାତ ଦ୍ରବ୍ୟର ଗତିବିଧିକୁ ସୁଗମ କରିବା ଦ୍ୱାରା ଏହି ଆଇନ, ସ୍ଥାନୀୟ ବଜାର ମୂଲ୍ୟକୁ ଆନ୍ତଃରାଜ୍ୟ ସ୍ତରରେ ଏକୀକୃତ କରିପାରିବ। ମୋଟ ଉପରେ କହିବାକୁ ଗଲେ, କୃଷି ଉତ୍ପାଦନ ପାଇଁ ସାରା ଭାରତବର୍ଷ ଗୋଟିଏ ସାଧାରଣ ବଜାର ହୋଇ ରହିଯିବ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଉ ତାଙ୍କ ରାଜ୍ୟରୁ ଓଡ଼ିଶାକୁ ଆଳୁ ପରିବହନ ବନ୍ଦ କରିପାରିବେ ନାହିଁ।
କୃଷକମାନଙ୍କ ପାଇଁ ‘ଫସଲ-ପୂର୍ବବର୍ତ୍ତୀ ଚୁକ୍ତିନାମା’ ଜରିଆରେ ଚୁକ୍ତିଭିତ୍ତିକ ଚାଷ ପାଇଁ ସୁବିଧାଜନକ ଆଇନଗତ ଢାଞ୍ଚା ସୃଷ୍ଟି କରିବା ଲାଗି ପ୍ରସ୍ତାବ ଆସିଛି। ଏହା ଚାଷୀ ପାଇଁ ଉତ୍ପାଦର ବିକ୍ରୟ ଦୃଷ୍ଟିରୁ ଉଭୟ ପରିମାଣ ଓ ମୂଲ୍ୟକୁ ନିଶ୍ଚିତ କରିବ। ନିଶ୍ଚିତତାକୁ ଆଧାର କରି ଚାଷୀ ଆଗାମୀ ଫସଲ ଉପରେ ନିଷ୍ପତ୍ତି ନେଇପାରିବ। ସାଧାରଣତଃ, ଆମର କୃଷକମାନେ ଗତବର୍ଷର ଫସଲ ବିକ୍ରି-ମୂଲ୍ୟକୁ ଆଖିରେ ରଖି ଚଳିତ ବର୍ଷର ଚାଷ ଯୋଜନା କରନ୍ତି। ତେଣୁ, ମୂଲ୍ୟ ହ୍ରାସ (କୃଷକମାନଙ୍କ ପାଇଁ) କିମ୍ବା ବୃଦ୍ଧି (କ୍ରେତା ପାଇଁ) ପରିସ୍ଥିତିରେ ଉଭୟ ପକ୍ଷ ପାଇଁ ଏହା ବଜାର ବିପଦକୁ କମ୍‌ କରିବାରେ ସହାୟକ ହେବ।
ଏହି ପ୍ରସ୍ତାବିତ ସଂସ୍କାରକୁ ଅଧିକ ବାସ୍ତବବାଦୀ କରିବା ପାଇଁ ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି ଏକ ଅତିରିକ୍ତ ପ୍ରସ୍ତାବ ରଖିଛନ୍ତି କି, ପ୍ରକ୍ରିୟାକାରୀ, ରପ୍ତାନିକାରୀ ଓ ସଂଗଠିତ ଖୁଚୁରା ବ୍ୟବସାୟୀଙ୍କ ପରି ବଡ଼ କ୍ରେତାମାନେ ବ୍ୟକ୍ତିଗତ ଭାବରେ ଚାଷୀଙ୍କ ନିକଟରେ ପହଞ୍ଚିବା ସମ୍ଭବ ହୋଇ ନ ପାରେ। ସ୍ଥାନୀୟ ଦ୍ରବ୍ୟର ଉପଲବ୍ଧତାକୁ ଆଧାର କରି କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ) ଜରିଆରେ ସମଗୁଣବତ୍ତାସମ୍ପନ୍ନ ଉତ୍ପାଦ ଓ କମ୍‌ କାରବାର ଖର୍ଚ୍ଚରେ ଏହି କାର୍ଯ୍ୟ କରାଯାଇପାରେ। ଏହି ବ୍ୟବସ୍ଥା ଏଫ୍‌ପିଓ ଓ ବଡ଼ ବଡ଼ କ୍ରେତାମାନଙ୍କ ମଧ୍ୟରେ ଦର ମୂଲଚାଲ କରିବାର ଶକ୍ତିରେ ଉନ୍ନତି ଆଣିପାରିବ।
ଏତଦ୍‌ବ୍ୟତୀତ, ଚାଷୀ ପାଇଁ ଆଉ ଏକ ପୁରୁଣା ପ୍ରତିବନ୍ଧକ ହେଉଛି ଭାଗଚାଷ। ଆମ ଦେଶରେ ପ୍ରାୟ ୩୦ରୁ ୪୦ ପ୍ରତିଶତ ଚାଷଜମିରେ ଭାଗଚାଷୀଙ୍କ ଦ୍ୱାରା ଚାଷ କରାଯାଇଥାଏ। ଏମାନେ ମାଲିକାନାର ଅଭାବରେ, ବିନା-ବନ୍ଧକରେ ବ୍ୟାଙ୍କ-ଋଣ ପାଇବାରୁ ବଞ୍ଚିତ ହେଉଛନ୍ତି। ନୂଆ ବ୍ୟବସ୍ଥାରେ କମ୍ପାନୀମାନଙ୍କ ସହିତ ‘ଫସଲ-ପୂର୍ବବର୍ତ୍ତୀ ଚୁକ୍ତିନାମା’ ପ୍ରକୃତ ଚାଷୀ କରିବାକୁ ସକ୍ଷମ ହେବନାହିଁ। ଭାଗଚାଷ ବ୍ୟବସ୍ଥାର ସମାଧାନ ଜଟିଳ ହେଲେ ମଧ୍ୟ ଏ ବିଷୟରେ ଚିନ୍ତା କରିବାର ବେଳ ଆସିଛି। ନ ହେଲେ, ସିଂହଭାଗ ଚାଷୀ ଏହି କୃଷି ବିପଣନ ସଂସ୍କାରରୁ କୌଣସି ସୁଫଳ ପାଇବେ ନାହିଁ। ଅବଶ୍ୟ, ଓଡ଼ିଶା ପରି କିଛି ରାଜ୍ୟ ଗରିବ ଚାଷୀଙ୍କୁ ଋଣ ନିଶ୍ଚିତ କରିବା ପାଇଁ ନିକଟରେ କେତେକ ଅଭିନବ ଯୋଜନା ଆଣିଛନ୍ତି। ଏସବୁର କାର୍ଯ୍ୟକରିତା ଦେଖିବାକୁ ବାକି ଅଛି। ଏହା ବ୍ୟତୀତ, ଆଉ ଏକ ସମସ୍ୟା ହେଉଛି କ୍ଷୁଦ୍ର ଚାଷ ଜମି। ଏ କ୍ଷେତ୍ରରେ ଜମି ପୁଲିଂ କରି କୃଷକ ଉତ୍ପାଦକ ସଂସ୍ଥା(ଏଫ୍‌ପିଓ) ଜରିଆରେ କୃଷିକୁ ବ୍ୟବସାୟିକ ଭିତ୍ତିରେ କରାଯିବା କଥା ଚିନ୍ତା କରାଯାଇପାରେ।
ଓଡ଼ିଶା ସରକାର ଓଡ଼ିଶା କୃଷି ଉତ୍ପାଦନ ଓ ପଶୁପାଳନ ଚୁକ୍ତି- କୃଷି ଓ ସେବା (ପ୍ରୋତ୍ସାହନ ଓ ସୁବିଧା) ଅଧ୍ୟାଦେଶ-୨୦୨୦ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଜମି, ମୃତ୍ତିକା ପରିଚାଳନା, ମଞ୍ଜି, ବିହନ, ମାଛ ଯାଆଁଳ, ପ୍ରଯୁକ୍ତି ବିଦ୍ୟା, ପଶୁ ଖାଦ୍ୟ ଓ ସେହିଭଳି ଅନ୍ୟାନ୍ୟ ସେବାର ଉତ୍ପାଦନ ଓ ଉତ୍ପାଦକତାରେ ଉନ୍ନତି ଆଣିବା ପାଇଁ ଚୁକ୍ତିଭିତ୍ତିକ କୃଷି କମ୍ପାନୀଗୁଡ଼ିକ ସହିତ କୃଷକମାନଙ୍କୁ ପଞ୍ଜୀକରଣ କରିବାର ଲକ୍ଷ୍ୟ ରଖାଯାଇଛି। ଏହି ନିୟମରେ ୫୦ ପ୍ରକାରର ଉଦ୍ଭିଦ ଉତ୍ପାଦ ଓ ପାଞ୍ଚଟି ପଶୁ ଉତ୍ପାଦର କ୍ରୟ-ବିକ୍ରୟ ଅନ୍ତର୍ଭୁକ୍ତ। ଏହା ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ ପଦକ୍ଷେପ। କେତେକ କୃଷକ ନେତାଙ୍କ ମତରେ, ପ୍ରଥମ କିଛି ବର୍ଷ ଏହି ପ୍ରସ୍ତାବଗୁଡ଼ିକ ଆକର୍ଷଣୀୟ ହେବ। ଏହାପରେ ବଡ ବଡ କମ୍ପାନୀମାନେ ଛୋଟ ଚାଷୀଙ୍କୁ ଶୋଷଣ କରିବା ଆରମ୍ଭ କରିବେ। ଏହା କିଛି ଅସମ୍ଭବ ନୁହେଁ। ସରକାରଙ୍କୁ ସମୁଦାୟ ବ୍ୟବସ୍ଥା ଉପରେ ଦୃଷ୍ଟି ରଖିବାକୁ ହେବ।
ସରକାର, ଉଦ୍ୟୋଗ ଜଗତ ଓ ଚାଷୀଙ୍କ ମଧ୍ୟରେ ସମନ୍ବୟ ରଖି ଉତ୍ପାଦକ ଓ ଉପଭୋକ୍ତା ନିକଟରେ ଉତ୍ପାଦର ଉଚିତ ମୂଲ୍ୟ ପହଞ୍ଚାଇପାରିଲେ ଏହି କୃଷି ବିପଣନ ସଂସ୍କାର, ୧୯୯୧ର ଉଦାରୀକରଣ ଓ ଲାଇସେନ୍ସ ମୁକ୍ତ ପଦକ୍ଷେପ ଦ୍ୱାରା ଶିଳ୍ପ ଓ ସେବା କ୍ଷେତ୍ରରେ କ୍ରାନ୍ତିକାରୀ ପଦକ୍ଷେପ ହୋଇପାରିବ ବୋଲି ଆଶା କରାଯାଏ।
ଶ୍ରୀଜଗନ୍ନାଥ ବିହାର, ବରମୁଣ୍ଡା, ଭୁବନେଶ୍ୱର ମୋ:୯୪୩୭୧୬୪୬୧୧
Email: saktiprasadd@yahoo.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri