ମହାମାରୀ ଓ ସୂର୍ଯ୍ୟୋପରାଗ

ଦୋଳଗୋବିନ୍ଦ ପଣ୍ଡା

ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ହେଲେ ତା’ ପ୍ରଭାବରେ ପୃଥିବୀରେ ମହାମାରୀ, ଯୁଦ୍ଧ ବିଭୀଷିକା, ପ୍ରାକୃତିକ ବିପର୍ଯ୍ୟୟ ଆଦି ଘଟିଥାଏ ବୋଲି ଜ୍ୟୋତିଷୀମାନେ ଜ୍ୟୋତିଷଶାସ୍ତ୍ରର ସିଦ୍ଧାନ୍ତ ଅନୁଯାୟୀ କହିଥାନ୍ତି। କିନ୍ତୁ ବର୍ତ୍ତମାନ ଜଣେ ବୈଜ୍ଞାନିକ କହିଛନ୍ତି ଯେ, ୨୦୧୯ ଡିସେମ୍ବର ୨୬ରେ ସଂଘଟିତ ସୂର୍ଯ୍ୟୋପରାଗ ଯୋଗୁ ସୌରଜଗତର ଗ୍ରହଗୁଡ଼ିକ ମଧ୍ୟରେ ଆକର୍ଷଣ-ମହାକର୍ଷଣ ଶକ୍ତିରେ ପରିବର୍ତ୍ତନ ଫଳରେ କରୋନା ଭୂତାଣୁ ସୃଷ୍ଟି ହୋଇଛି ଏବଂ ବର୍ତ୍ତମାନ ୨୦୨୦ ଜୁନ୍‌ ୨୧ରେ ହେବାକୁ ଥିବା ସୂର୍ଯ୍ୟୋପରାଗ ଯୋଗୁ କରୋନା ଭୂତାଣୁ ନଷ୍ଟ ହୋଇଯିବ। ସୂର୍ଯ୍ୟୋପରାଗ ସମୟରେ ନ୍ୟୁଟ୍ରନଗୁଡ଼ିକ ଦ୍ରୁତଗତିରେ ବିଭାଜିତ ହୋଇଥାଏ। ସେଥିରୁ ଉତ୍ପନ୍ନ ତେଜସ୍କ୍ରିୟ ଶକ୍ତିରେ କରୋନା ଭୂତାଣୁର ସଂରଚନା ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ଏହି ବୈଜ୍ଞାନିକ ଜଣକ ହେଉଛନ୍ତି ଚେନ୍ନାଇର ନ୍ୟୁକ୍ଳିୟର ଆଣ୍ଡ୍‌ ଆର୍ଥ ବିଜ୍ଞାନୀ ଡ. କେ.ଏଲ୍‌. ସୁନ୍ଦରକ୍ରିଷ୍ଣା। ସେ ଯେଉଁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ପୋଷଣ କରିଛନ୍ତି ଏବଂ ଯେଉଁ ଯୁକ୍ତି ଉପସ୍ଥାପନ କରିଛନ୍ତି ତାହା ବୁଝିବା ଆମ ଜ୍ଞାନର ପରିସର ବାହାରେ। ତାହା କେତେଦୂର ଠିକ୍‌ ସମୟକ୍ରମେ ଜଣାପଡ଼ିବ। କିନ୍ତୁ ସୂର୍ଯ୍ୟୋପରାଗ, ଚନ୍ଦ୍ରଗ୍ରହଣ, ଗ୍ରହଚଳନ, ଗ୍ରହଯୁତି (ଗ୍ରହକୂଟ) ଆଦି ଯୋଗୁ ପୃଥିବୀ ଉପରେ କି ପ୍ରଭାବ ପଡ଼ିବ, ତାହା ଆମେ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ସଂକ୍ଷେପରେ ଆଲୋଚନା କରିବା।
୨୦୧୯ ଜୁଲାଇ ୨ରେ ଗୋଟିଏ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ସଂଘଟିତ ହୋଇଥିଲା (ଭାରତକୁ ଅଦୃଶ୍ୟ), ଯାହା ଦକ୍ଷିଣ ଆମେରିକା, ଦକ୍ଷିଣ କେନ୍ଦ୍ରୀୟ ଆମେରିକା ଓ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦୃଶ୍ୟ ହୋଇଥିଲା। ଏହାଛଡ଼ା ୨୦୧୯ ଜୁଲାଇ ୧୬ ମଙ୍ଗଳବାର କେତୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଏବଂ ଡିସେମ୍ବର ୨୬ ଗୁରୁବାର କଂକଣଗ୍ରାସ ସୂର୍ଯ୍ୟୋପରାଗ ସଂଘଟିତ ହୋଇଥିଲା (ଭାରତକୁ ଦୃଶ୍ୟ)। ୨୦୨୦ ଜୁନ ୫ ତାରିଖ ଶୁକ୍ରବାର ଜ୍ୟେଷ୍ଠ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ (ଉପଚ୍ଛାୟାଜନିତ) ଘଟିଯାଇଛି। ତା’ପରେ ତା୫ା୭ା୨୦ ରବିବାର ଆଷାଢ଼ ପୂର୍ଣ୍ଣିମା ଏବଂ ତା୩୦ା୧୧ା୨୦ ସୋମବାର କାର୍ତ୍ତିକ ପୂର୍ଣ୍ଣିମାର ଚନ୍ଦ୍ରଗ୍ରହଣ ଦିନବେଳା ଘଟୁଥିବାରୁ ଓ ଉପଚ୍ଛାୟାଜନିତ ହେତୁ ପାଳନୀୟ ନୁହେଁ। ତା୧୪ା୧୨ା୨୦ ସୋମବାର ମାର୍ଗଶିର ଅମାବାସ୍ୟାର ବଳୟ ଓ ପୂର୍ଣ୍ଣଗ୍ରାସ ସୂର୍ଯ୍ୟୋପରାଗ ମଧ୍ୟ ରାତ୍ରିବେଳା ହେତୁ ପାଳନୀୟ ନୁହେଁ।
ତା୨୧ା୦୬ା୨୦୨୦ରିଖ ରବିବାର ଆଷାଢ଼ ଅମାବାସ୍ୟାରେ ରାହୁଗ୍ରସ୍ତ ବଳୟଗ୍ରାସ (ଓଡ଼ିଶାକୁ ଖଣ୍ଡଗ୍ରାସ) ଚୂଡ଼ାମଣି ସୂର୍ଯ୍ୟୋପରାଗ ସଂଘଟିତ ହେବ ଯାହା ଉତ୍ତର ଅଷ୍ଟ୍ରେଲିଆ, ଦକ୍ଷିଣ ଓ ପୂର୍ବ ୟୁରୋପ, ଭାରତ ତଥା ଏସିଆର ଅଧିକାଂଶ ଭାଗ, ଆଫ୍ରିକାର ଅଧିକାଂଶ ଭାଗ, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଭାରତ ମହାସାଗରୀୟ ଅଞ୍ଚଳରେ ଦୃଶ୍ୟମାନ ହେବ। (ଏହା ଓଡ଼ିଶା ତଥା ଭାରତର ସର୍ବତ୍ର ଦୃଶ୍ୟ ହେଉଥିବାରୁ ପାଳନୀୟ। ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ପୁରୀକୁ ଭାରତୀୟ ସମୟ ଅନୁସାରେ ଗ୍ରହଣ ସ୍ପର୍ଶ: ଦିବା ଘ୧୦ା୩୮ା୧୦, ଗ୍ରହଣ ମଧ୍ୟ: ଦିବା ୧୨ା୨୫ା୫୯, ସର୍ବମୋକ୍ଷ: ଦିବା ୦୨ା୦୯ା୩୦, ଗ୍ରାସମାନ: ୦.୬୪, ଗ୍ରାସ ଅବଧି: ଘ୩ା୩୧ା୧୯.୬। ଉପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଶନିବାର ରାତ୍ରି ୧୦ା୩୮ା୧୦ରୁ ପାକତ୍ୟାଗ ଓ ଦେବନୀତି ନିଷେଧ। ବାଳକ, ବୃଦ୍ଧ, ରୋଗୀ ଓ ଆତୁର ବ୍ୟକ୍ତିମାନଙ୍କ ପକ୍ଷେ ନିୟମ ଲଂଘନୀୟ। ସର୍ବମୋକ୍ଷ ପରେ ସ୍ନାନପୂର୍ବକ ଦେବନୀତି ଓ ଅନ୍ନଭୋଜନ କରାଯାଇପାରିବ।)
ଜୁନ୍‌ ୨୬ର ଏହି ସୂର୍ଯ୍ୟୋପରାଗ ପରେ କୋଭିଡ୍‌-୧୯ ଭୂତାଣୁ ନଷ୍ଟ ହୋଇଯିବ ବୋଲି ବୈଜ୍ଞାନିକ ସୁନ୍ଦରକ୍ରିଷ୍ଣା ଯେଉଁ ପୂର୍ବାନୁମାନ କରିଛନ୍ତି, ସେଥିରେ ଆମେ ସମ୍ପୂର୍ଣ୍ଣ ଏକମତ ହୋଇପାରୁ ନାହୁଁ। କାରଣ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ସୂର୍ଯ୍ୟଙ୍କର କଲ୍ୟାଣକାରୀ ରଶ୍ମି ପୃଥିବୀପୃଷ୍ଠରେ ପଡ଼ି ଜୀବଜଗତର ସୃଷ୍ଟି ଓ ପାଳନରେ ସହାୟକ ହୋଇଥାଏ। ଯେତେବେଳେ ମେଘ ଢାଙ୍କିବା କାରଣରୁ କିଛି ଘଣ୍ଟା ପାଇଁ ପୃଥିବୀର କିଛି ଅଞ୍ଚଳ କ୍ଷୀଣ ସୂର୍ଯ୍ୟାଲୋକ ପାଏ, ସେତେବେଳେ ରୋଗଜୀବାଣୁ, ପୋକଜୋକ, କୀଟପତଙ୍ଗ ଆଦି ବଂଶବୃଦ୍ଧି କରନ୍ତି। ସେହିପରି ପୃଥିବୀ-ଚନ୍ଦ୍ର-ସୂର୍ଯ୍ୟ କୌଣସି ଅମାବାସ୍ୟାରେ ଏକ ସରଳରେଖାରେ ରହିବା ଯୋଗୁ ଉପରାଗ ସଂଘଟିତ ହେଲେ (ଆଂଶିକ ହେଉ ବା ସମ୍ପୂର୍ଣ୍ଣ ବା ବଳୟଗ୍ରାସ) ସୂର୍ଯ୍ୟଙ୍କର ଅନେକ ଉପକାରୀ ରଶ୍ମିରୁ ପୃଥିବୀର ଉପରାଗ ଦୃଶ୍ୟ ହେଉଥିବା ଅଞ୍ଚଳ ବଞ୍ଚିତ ହୁଏ। ଅପରପକ୍ଷେ ଆଂଶିକ ବା ବଳୟଗ୍ରାସ ଉପରାଗ କ୍ଷେତ୍ରରେ ଉପକାରୀ ରଶ୍ମି ବଦଳରେ ଆଲ୍‌ଫା, ଗାମା, ଅଲ୍‌ଟ୍ରାଭାଓଲେଟ୍‌, ଇନ୍‌ଫ୍ରାରେଡ୍‌ ପ୍ରଭୃତି କ୍ଷତିକାରକ ରଶ୍ମି ଅଧିକ ପରିମାଣରେ ପୃଥିବୀପୃଷ୍ଠକୁ ଆସେ। ଏହାଫଳରେ ଜୀବାଣୁ, ଭୂତାଣୁ ଓ କୀଟପତଙ୍ଗାଦି ବୃଦ୍ଧି ପାଇବା ଅସମ୍ଭବ ନୁହେଁ। ତେଣୁ ଜୁନ୍‌ ୨୬ର ଉପରାଗ ପରେ କରୋନା ସଂକ୍ରମଣ ହ୍ରାସ ନ ପାଇ ବରଂ ବୃଦ୍ଧି ପାଇପାରେ। ସୂର୍ଯ୍ୟଙ୍କର କେତେ ଅଂଶ କେତେ ସମୟ ପାଇଁ ଗ୍ରସ୍ତ ହୋଇଛି ସେହି ଅନୁସାରେ ତା’ର ପ୍ରଭାବ ଦୁଇ-ତିନି ମାସ ବା ଅଧିକ ଯାଏ ବଳବତ୍ତର ରହେ। ବର୍ତ୍ତମାନ ଗ୍ରାସ ଅବଧି ଘ୩ା୩୧ା୧୯.୬ ହୋଇଥିବାରୁ ପ୍ରାୟ ସାଢ଼େ ତିନିମାସ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ କିନ୍ତୁ ତାହା କ୍ରମହ୍ରାସମାନ ହେବ। ଅନ୍ୟାନ୍ୟ ଗ୍ରହଚଳନ ଓ ସ୍ଥିତିକୁ ବିଚାରକୁ ନେଲେ ସେପ୍ଟେମ୍ବର ମଧ୍ୟଭାଗ ପରେ ସ୍ଥିତିରେ ସୁଧାର ଆସିବ।
ଅଦୃଶ୍ୟ ଓ ଉପଚ୍ଛାୟାଜନିତ ଗ୍ରହଣକୁ ମଧ୍ୟ ବିଚାରକୁ ନେଲେ ଗୋଟିଏ ମାସ ଭିତରେ ତିନୋଟି ଗ୍ରହଣ ପଡ଼ୁଛି (ଜୁନ ୫, ଜୁନ୍‌ ୨୧ ଓ ଜୁଲାଇ ୫) ଏବଂ ଗୋଟିଏ ସୌରମାସ (ମିଥୁନ ମାସ) ଭିତରେ ଦୁଇଟି ଗ୍ରହଣ ପଡ଼ୁଛି (ଜୁନ୍‌ ୨୧ ଓ ଜୁଲାଇ ୫)। ଶାସ୍ତ୍ର ଅନୁସାରେ: ”ଏକରାଶୌ ସ୍ଥିତେ ସୂର୍ଯ୍ୟେ ଯଦି ସ୍ୟାତ୍‌ ଗ୍ରହଣଦ୍ବୟମ୍‌। ତଥା ଯୁଦ୍ଧେ ବିବାଦେ ଚ ପୃଥିବୀ ରକ୍ତସଂକୁଳା।ା“ ଅର୍ଥାତ୍‌ ଗୋଟିଏ ରାଶିରେ ସୂର୍ଯ୍ୟ ଥିବାବେଳେ ଦୁଇଟି ଗ୍ରହଣ ପଡ଼ିଲେ ଦେଶ ଦେଶ ଭିତରେ ବିବାଦ, ଯୁଦ୍ଧ ଓ ରକ୍ତପାତ ହୋଇପାରେ। ବର୍ତ୍ତମାନ ଚାଇନା ଓ ଭାରତ ମଧ୍ୟରେ ଯେପରି ମୁହାଁମୁହିଁ ଓ ଯୁଦ୍ଧଭଳି ପରିସ୍ଥିତି ସୃଷ୍ଟି ହୋଇଛି, ତାହା ସମସ୍ତେ ଜାଣନ୍ତି। ମହାଭାରତ ଯୁଦ୍ଧ ସମୟରେ ଏପରି ଘଟିଥିଲା। ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ ଦ୍ବାରା ଜୟଦ୍ରଥଙ୍କ ବଧ ଯେଉଁଦିନ ହେଲା ସେଦିନ ଏକ ପୂର୍ଣ୍ଣଗ୍ରାସ ସୂର୍ଯ୍ୟୋପରାଗ ସଂଘଟିତ ହୋଇଥିବାର ଜ୍ୟୋତିଷିକ ପ୍ରମାଣ ମିଳେ। କିନ୍ତୁ ଏହାକୁ ସୂର୍ଯ୍ୟୋପରାଗ ନ କହି ଶ୍ରୀକଷ୍ଣ ଚକ୍ରରେ ସୂର୍ଯ୍ୟଙ୍କୁ ଢାଙ୍କିଦେଇଥିଲେ ବୋଲି ପୁରାଣରେ କୁହାଯାଇଛି। ମହାଭାରତ ଯୁଦ୍ଧ ସମୟରେ ସପ୍ତଗ୍ରହ କୂଟ ମଧ୍ୟ ସୃଷ୍ଟି ହୋଇଥିଲା।
୨୦୧୯ ଡିସେମ୍ବର ଏବଂ ୨୦୨୦ ଜାନୁୟାରୀରେ ଧନୁ ରାଶିରେ ପଞ୍ଚଗ୍ରହ ଓ ଷଡ଼ଗ୍ରହକୂଟ ସୃଷ୍ଟି ହୋଇଥିଲା। ଏପରି ଯୋଗ ପୃଥିବୀ, ଦେଶ ଓ ରାଜ୍ୟ ପାଇଁ ଅତ୍ୟନ୍ତ ହାନିକାରକ ଏବଂ ଏହାର ପ୍ରଭାବ ପ୍ରାୟ ୫/୬ ମାସ ପର୍ଯ୍ୟନ୍ତ ରହିପାରେ। ଶାସ୍ତ୍ରରେ ଅଛି:
ଏକତ୍ର ରାଶୌ ଯଦି ପଞ୍ଚଷଡ୍‌ ବା
ସପ୍ତଗ୍ରହାଃ ସମ୍ମିଳିତାଃ ଭବନ୍ତି।
ରାଷ୍ଟ୍ରସ୍ୟ ଭଙ୍ଗୋ ନୃପତେର୍ବିନାଶ-
ସ୍ତଦ୍ରାଶିଜାନାଂ ମରଣଂ ଧ୍ରୁବଂ ସ୍ୟାତ୍‌।।
ନୃପତିର୍ମ୍ରିୟତେ ତତ୍ର ନଗରୋତ୍ସାଦନଂ ଭବେତ୍‌।
ଦୁର୍ଭିକ୍ଷ-ଶସ୍ତ୍ରସଂଘାତ-ମାରକାଣି ଭବନ୍ତି ଚ।
ଭୂକମ୍ପଃ ସୋଽପି ଜଗତାମଶୁଭାୟ ଭବେତ୍ତଦା।
ଉତ୍ପାତସ୍ତ୍ରିବିଧା ଲୋକେ ଦିବ୍ୟଭୌମାନ୍ତରୀକ୍ଷଜା।
ଅର୍ଥାତ୍‌ ପାଞ୍ଚ, ଛଅ ବା ସପ୍ତଗ୍ରହକୂଟ ହେଲେ ରାଷ୍ଟ୍ରଭଙ୍ଗ, ରାଜାଙ୍କ ବିନାଶ, ସେହି ରାଶିରେ (ଯେଉଁ ରାଶିରେ ଗ୍ରହକୂଟ ହୋଇଛି) ଜନ୍ମିତ ବ୍ୟକ୍ତିର ମୃତ୍ୟୁ, ଦୁର୍ଭିକ୍ଷ, ଶସ୍ତ୍ରସଂଘାତ (ଆତଙ୍କବାଦୀ ଆକ୍ରମଣ) ଏବଂ ଦିବ୍ୟ (ସୂର୍ଯ୍ୟଙ୍କ ତାପଜନିତ), ଭୌମ (ଭୂକମ୍ପ, ଅଗ୍ନି ଉଦ୍‌ଗିିରଣ ଜନିତ) ଓ ଅନ୍ତରୀକ୍ଷଜ (ଉଲ୍‌କା, ଧୂମକେତୁ ଆଦି ଜିନତ) ତ୍ରିବିଧ ଉତ୍ପାତ ସଂଘଟିତ ହୁଏ। ୨୦୧୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବାତ୍ୟା, ବନ୍ୟା, ଭୂକମ୍ପ, ସୀମାନ୍ତ ବିବାଦ, ଆତଙ୍କବାଦୀ ଆକ୍ରମଣଠାରୁ ଆରମ୍ଭ କରି କରୋନା ଓ ପଙ୍ଗପାଳ ଆକ୍ରମଣ ପର୍ଯ୍ୟନ୍ତ ଯେତେସବୁ ବିପର୍ଯ୍ୟୟ ଘଟିଛି, ତାହାର ତାଲିକା ଦେବା ନିଷ୍ପ୍ରୟୋଜନ।
ସ୍ବାଧୀନ ଭାରତର ଜାତକରେ ବୃଷଲଗ୍ନକୁ ଧନଭାବ ହେଉଛି ମିଥୁନ। ଗତ ୨୦୧୯ ମାର୍ଚ୍ଚ ୨୩ ତାରିଖରେ ମିଥୁନ ରାଶିକୁ ରାହୁ ଚଳନ ପରେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ପୂର୍ବାପେକ୍ଷା ବୃଦ୍ଧି ପାଇଥିଲା। ବର୍ତ୍ତମାନ କରୋନା ଯୋଗୁ ତାହା ରସାତଳଗାମୀ ହୋଇଛି। କିଛିମାସ ଗତେ କରୋନାର ପ୍ରଭାବ ହ୍ରାସ ପାଇବା ପରେ ଅର୍ଥନୀତି ଧୀରେ ଧୀରେ ସୁଧୁରିବାକୁ ଆରମ୍ଭ କରିବ। କିନ୍ତୁ ଏହା ଆରମ୍ଭ ହେବ ୨୦୨୦ ସେପ୍ଟେମ୍ବର ୧୯ ତାରିଖରେ ରାହୁ ମିଥୁନ ରାଶିରୁ ବୃଷରାଶିକୁ ଚଳିବା ପରେ। ସେତେଦିନ ପର୍ଯ୍ୟନ୍ତ ଆମକୁ ଧୈର୍ଯ୍ୟ ଧରି ସମ୍ଭାଳିବାକୁ ପଡ଼ିବ। ଦାନ, ଯଜ୍ଞ, ହୋମ ଓ ଜପ ହିଁ ଏସବୁ ବିପର୍ଯ୍ୟୟର ପ୍ରତିକାର ବୋଲି ଶାସ୍ତ୍ରରେ କୁହାଯାଇଛି।
ଗଣକ, ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା, ଭୁବନେଶ୍ୱର,
ମୋ-୭୦୦୮୯୬୦୫୦୨,
dolagovinda@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସୁଖର ଗାଣିତିକ ପରିପ୍ରକାଶ

ଅନେକ ଖୁସିର ସମାହାର ହିଁ ସୁଖ। ତେବେ ଖୁସି କେବେ ବି ବାହାରୁ ମିଳେ ନାହିଁ। ଉପଲବ୍ଧ ନ ଥାଏ କେଉଁଠି ବାହାରେ। ଖୁସି କେଉଁଠି...

ଆଧ୍ୟାତ୍ମିକ ରାଷ୍ଟ୍ରବାଦ ଓ ଶ୍ରୀଅରବିନ୍ଦ

ପୃଥିବୀର ଅନେକ ରାଜନେତା, ରାଜନୀତି ବିଶାରଦ ଓ ଦାର୍ଶନିକ ରାଷ୍ଟ୍ରବାଦର କଥା କହିଛନ୍ତି, କିନ୍ତୁ ଆଧ୍ୟାତ୍ମିକ ରାଷ୍ଟ୍ରବାଦର କଥା ଆମେ ଜାଣିବାରେ ଏକା ଶ୍ରୀଅରବିନ୍ଦ ହିଁ...

ମା’ ଧରିତ୍ରୀ

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୯ତମ କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌(କପ୍‌୨୯) ଆଜରବୈଜାନ ରାଜଧାନୀ ବାକୁଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ୟୁରୋପ ଓ ପଶ୍ଚିମ ଏସିଆର ସୀମାନ୍ତରେ ଅବସ୍ଥିତ...

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri