Posted inଫୁରସତ

ମାଆର ମାଗୁଣି

ମୋ’ ବସ୍‌ ରାଜରାସ୍ତାରେ ଗଡ଼ିବା ଆରମ୍ଭ କରିଥିଲା। ବସ୍‌ ଭିତରେ ବିଶେଷ ଭିଡ଼ ନ ଥିଲା । ପଛପଟକୁ ଗୋଟେ କଡ଼ିକିଆ ସିଟ୍‌ ଅକ୍ତିଆର କରି ବସିଗଲି ମୁଁ। ମୋର ସବୁବେଳେ ଝରକା କଡ଼ ସିଟ୍‌ ହିଁ ପସନ୍ଦ। କାରଣ ଏଥିରେ ଗୋଟିଏ ଟିକେଟର ପଇସାରେ ବସ୍‌ ଯାତ୍ରା ସହିତ ଥଣ୍ଡା ପବନ ଫ୍ରି। ଏକ କେ ସାଥ ଏକ ଫ୍ରି, ଫ୍ରି, ଫ୍ରି। ମୁଁ ଝରକାର କାଚକୁ ଆଉ ଟିକେ ପଛକୁ ଠେଲି ଦେଇ ସଜାଡି ହୋଇ ବସିଲି। କାନ୍ଧରୁ ଭ୍ୟାନିଟି ବ୍ୟାଗ ଆଣି କୋଳରେ ରଖିଲି ଆଉ ଟିଫିନ ବ୍ୟାଗଟିକୁ ରଖିଦେଲି ଗୋଡ଼ ତଳେ। ଏବେ ନିଜ ଉପରୁ ଧ୍ୟାନ ହଟେଇ ଟିକେ ଆଖି ପହଁରେଇ ଆଣିଲି ବସ୍‌ ଭିତରେ। ମଣିଷ ସବୁବେଳେ ଏମିତି ସ୍ବାର୍ଥପର। ନିଜର ସବୁ କିଛି ଠିକ୍‌ଠାକ୍‌ ହେଲା ପରେ ଯାଇ ତା’ର ଦୃଷ୍ଟି ଯାଏ ଅନ୍ୟ ଦିଗକୁ। ମୋ ସାମ୍ନା ସିଟ୍‌ରେ ଦୁଇ ଜଣ ବସିଥିଲେ। ଜଣେ ବୟସ୍କା ମହିଳା ଆଉ ଜଣେ ପୁରୁଷ। ପୁରୁଷଙ୍କର କାନ ପାଖର ଦର ପାଚିଲା କେଶ ଜଣାଉଥିଲା ସିଏ ଖୁବ୍‌ ବେଶି ବୟସ୍କ ନ ହେଲେ ମଧ୍ୟ ପଚାଶ ପାରି ବୟସ ହେବ ତାଙ୍କୁ। ସମ୍ପର୍କରେ ମାଆ-ପୁଅ। ବୟସ୍କା ଗ୍ରାମୀଣ ମହିଳାଙ୍କ ଦେହରେ ଖଣ୍ଡେ କୁମ୍ଭପକା ସମ୍ବଲପୁରୀ କସ୍ତା ଶାଢ଼ି । କାନ୍ଧ ଉପରେ ପଡିଛି ଗୋଟେ ରୁଆ ଉଠା ନାଲି ଶାଲ। ସିଏ ଅନବରତ ଝରକା ଦେଇ ଚାହୁଁଥାନ୍ତି ବାହାରକୁ। ବାହାରେ ସା ନଇଁବା ଆରମ୍ଭ ହୋଇ ଯାଇଥାଏ । ହେଲେ ଏବେ ବି ଆଉ କିଛି ସୁନେଲି ଆଭା ବାକି ରହି ଯାଇଥାଏ ଆକାଶ ଛାତିରେ।
– କେଡ଼େ କେଡ଼େ କୋଠା ଏଠି, ଆକାଶକୁ ଛୁଏଁ, ନ ଛୁଏଁ ….. ଏତେ ବଡ଼ କୋଠାରେ କ’ଣ ଗୋଟିଏ ଲୋକ ରହେ। ତା’ର ବୋଧେ ବଡ଼ ପରିବାର ହୋଇଥିବ।
– ନା, ଏଇଟା ଆପାର୍ଟମେଣ୍ଟ।
ଗୁଡ଼ାଏ ପରିବାର ରୁହନ୍ତି ଏଠି। – ଏଇଠି ବୋଧେ ବାହାଘର ହଉଛି ନା କ’ଣ …….. ଦେଖୁନୁ, କେତେ ସୁନ୍ଦର କରି ସଜେଇଛନ୍ତି।
– ନା ନା ସେଇଟା ଗୋଟେ ହୋଟେଲ।
ମାଆ-ପୁଅଙ୍କ ଭିତରେ କଥାବାର୍ତ୍ତା ଚାଲିଥାଏ। ଗ୍ରାମୀଣ ମହିଳା ଜଣକ ବୋଧହୁଏ ପ୍ରଥମ ଥର ପାଇଁ ଆସିଛନ୍ତି ସହରକୁ। ଏତେ ବଡ଼ ସହର, ଏତେ ଲୋକବାକ, ଗାଡ଼ିଘୋଡ଼ା। ଏ ସବୁ ମିଶି ତାଙ୍କୁ ଚକିତ କରି ଦେବାକୁ ଯଥେଷ୍ଟ। ଶିଶୁସୁଲଭ ଜିଜ୍ଞାସାରେ ସିଏ ପଚାରି ଚାଲିଥାନ୍ତି ପ୍ରଶ୍ନ ପରେ ପ୍ରଶ୍ନ। ପୁଅର ମୋବାଇଲ ଫୋନ ବାରମ୍ବାର ବାଜୁଥାଏ। ସିଏ ମାଆକୁ ଇସାରାରେ ଚୁପ ରହିବାକୁ କହି ଫୋନରେ କଥା ହେଉଥାଏ।
– ଏତେ ବଡ଼ କୋଠାରେ ଚଢ଼ିବା ପାଇଁ ତ ଖୁବ୍‌ ବଡ଼ ନିଶୁଣି ଲୋଡ଼ା ହେଉଥିବ, ନୁହେଁ ! ମୋତେ ନିଶୁଣିରେ ଚଢ଼ିବାକୁ ଭାରି ଡର ମାଡ଼େ। ଆମ ଘର ଆଟୁରେ ଚଢ଼ିବା ପାଇଁ ଗୋଟେ ବାଉଁଶ ନିଶୁଣି ଥିଲା। ହେଲେ ମୁଁ ସେଥିରେ ଜମାରୁ ଚଢ଼େନା। ଦୁଇ ପାଦ ଯାଇଥିବି କି ନାହିଁ ମୋର ମୁଣ୍ଡ ବୁଲେଇବା ଆରମ୍ଭ ହୋଇଯାଏ। ଲାଗେ ଗଳି ପଡ଼ିବି ତଳକୁ – କହି ସାରି ହସନ୍ତି ମହିଳା। ପୁଅ କିଛି ଉତ୍ତର ନ ଦେଇ କେବଳ ଗାଢ଼େଇ ଚାହେଁ ତାଙ୍କୁ। ସା ନଇଁ ସାରିଥିଲା। ଚାରିଆଡ଼େ ଜଳି ଉଠିଥିଲା ମାଳ ମାଳ ଆଲୁଅ। ମହିଳା ଜଣକ ଖୁବ୍‌ ଆଗ୍ରହରେ ପଚାରୁଥିଲେ –
– ପୁଅ ଏଇ ସହରରେ ତ କେବେ ହେଲେ ରାତି ହେଉ ନ ଥିବ । ଦେଖୁନୁ କେମିତି ଦିନ ନେଖା ନାଗୁଛି । ଆମ ଗାଁ ହେଇଥିନେ ଏତେ ବେଳକୁ ପହରିକିଆ ବିଲୁଆ ଭୁକନ୍ତାଣି ।
ତା’ହେଲେ ଏଠି ଲୋକମାନେ ଶୁଅନ୍ତି କେତେବେଳେ ? ନା’ ଏଠିକା ଲୋକମାନେ ରାତି ଯାକ ଜାଗନ୍ତି ।
ମାଆ ବଡ଼ ଆଗ୍ରହରେ ଚାହିଁଥିଲା ପୁଅକୁ।
ଅଦିନିଆ ବର୍ଷାରେ ବି ନଈକୂଳ ଖାଏ। ବନ୍ଧବାଡ଼ ଭାଙ୍ଗି ମାଡ଼ି ଯାଏ। ଦେଖେନା ଅଥାନ ମଥାନ। ପୁଅର ଧୈର୍ଯ୍ୟର ବନ୍ଧ ବି ଭାଙ୍ଗିଗଲା। ଦେଖିଲାନି ସିଏ ରାସ୍ତାଘାଟ, ମାନିଲାନି ଲୋକାଚାର। ବିରକ୍ତିରେ ଦାନ୍ତ ଚିପି କହିଲା , କାହିଁକି ଗୋଟେ ସେତିକିବେଳୁ ବକର ବକର ହଉଛୁ , ହାଁ ! ଚୁପ ହେଇ ବସିପାରୁନୁ ।
ସେତିକିବେଳୁ ବକ ବକ କରି ମୋତେ ବିରକ୍ତ କରି ସାରିଲୁଣୁ । ଯାହା ଦେଖିବା କଥା ଚୁପଚାପ ହେଇ ବସି ଦେଖ। ମୋତେ ଜମା ବିରକ୍ତ କରନା କହିଦଉଛି ।
କହିସାରି ପୁଅ ଫେସବୁକ, ହ୍ବାଟ୍‌ସ ଆପ୍‌ରେ ମନ ଦେଲା।
ମହିଳା ଜଣକ ଥରେ ବିକଳ ହୋଇ ଚାହିଁଲେ ପୁଅକୁ। ତା’ପରେ ମୁହଁ ବୁଲେଇ ନେଲେ ଝରକା ଆଡ଼କୁ। ବୋଧହୁଏ ଲୁହ ଲୁଚେଇବାକୁ ଚେଷ୍ଟା କରୁଥିଲେ।
ଏଇ ପୁଅ ଯିଏ ଦୁଇ/ ତିନୋଟି ବାକ୍ୟର ଚାପୁଡା ମାରି ଏକବାରେ ଚୁପ କରି ଦେଇ ପାରିଥିଲା ଜଣେ ଉତ୍ତୀର୍ଣ୍ଣ ବୟସ୍କା ମହିଳାଙ୍କର ଶିଶୁସୁଲଭ ଜିଜ୍ଞାସାକୁ, ସେଇ ପୁଅ ବି କେବେ ଦିନେ ଏମିତି ବକର ବକର ହେଇଥିବ। ତା’ର ଦରୋଟି ଭାଷାରେ ଅନେକ ପ୍ରଶ୍ନ ପଚାରିଥିବ। ସା ହେଲେ ସୂର୍ଯ୍ୟ କେଉଁଠି ଲୁଚି ଯାଆନ୍ତି ? ଆମ ଗାଁର ଦାଢିଆବାବା ଯାହାକୁ ତୁ ପିଲାଚୋର ବୋଲି କହୁ, ଯିଏ ଦୁଷ୍ଟ ପିଲାମାନଙ୍କୁ ତାଙ୍କ ମୁଣିରେ ପୂରେଇ ନେଇଯା’ନ୍ତି , ସିଏ କ’ଣ ତାକୁ ଚୋରି କରି ନେଇଗଲା? ସିଏ ଆଉ କି ଦୁଷ୍ଟାମି କରିଥିଲେ କି ? ସକାଳୁ ପୁଣି କେମିତି ତା’ କବଳରୁ ମୁକୁଳିଲେ ସିଏ ? ନଡ଼ିଆ ଗଛରୁ ନଡ଼ିଆ ଖସେ କେମିତି ? ଯଦିବା ଛିଡି ପଡିଲା ତେବେ ଉପରକୁ ଉଡି ନ ଯାଇ ତଳକୁ ଆସିଲା କାହିଁକି ? ତୁ ଶୋଇଲା ବେଳେ ସବୁ ଦିନ ମୋତେ କହୁ , ଆ’ ଜହ୍ନମାମୁ ଶରଦ ଶଶୀ, ମୋ କାହ୍ନୁ ହାତରେ ପଡରେ ଖସି, ହେଲେ ଜହ୍ନ ଯଦି ମୋର ମାମୁ ତେବେ ସିଏ ଏମିତି ଆକାଶରେ ଝୁଲୁଛନ୍ତି କାହିଁକି ? ଇତ୍ୟାଦି ଇତ୍ୟାଦି ଶହ ଶହ ପ୍ରଶ୍ନ। ଯେଉଁ ପ୍ରଶ୍ନର ଉତ୍ତର ଦେବା ହୁଏତ ତା’ର ମାଆ ପାଇଁ ଏତେ ସହଜ ନ ଥିବ। ତଥାପି ତା’ର ମାଆ ତାକୁ ଉତ୍ତର ଦେଇ ବୁଝେଇବାକୁ ଚେଷ୍ଟା କରିଥିବ। ମୋ ପୁଅର କେତେ ବୁଦ୍ଧି। କେତେ କଥା ପଚାରୁଛି କହି ଅନ୍ୟମାନଙ୍କ ଆଗରେ ପୁଅ ପାଇଁ ଗର୍ବିତ ମଧ୍ୟ ହୋଇଥିବ। ବିରକ୍ତି ନୁହେଁ ବରଂ ଖୁସିର ଆତିଶଯ୍ୟରେ ମାଆ ଭାଙ୍ଗିଥିବ ବନ୍ଧବାଡ଼।
ମାଆର ଦୃଷ୍ଟି ଲମ୍ବି ଯାଇଥିଲା ବାହାରକୁ। ବୋଧହୁଏ ଆକାଶର ବ୍ୟାପ୍ତତାକୁ ସିଏ ଉଧାର ମାଗୁଥିଲା ଚଳୁଏ ଧୈର୍ଯ୍ୟ, ଟିପେ ସହନଶୀଳତା; ଯାହାକୁ ଅବଲମ୍ବନ କରି ସିଏ ହୁଏତ ହଜମ କରି ନେଇପାରିବ ଆଉ କିଛି ବିରକ୍ତି ଓ ଅବହେଳାକୁ ।

ନନ୍ଦିତା ମହାନ୍ତି
-ରାଜଭବନ ପୋଷ୍ଟଅଫିସ, ଭୁବନେଶ୍ୱର
ମୋ-୮୨୪୯୪୩୭୨୭୬


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ୧୫୦ କି.ମି. ପହଁରି ରେକର୍ଡ

ବିଶାଖାପାଟଣା: ବଙ୍ଗୋପସାଗରରେ ମାତ୍ର ୫ ଦିନ ମଧ୍ୟରେ ୧୫୦ କି.ମି ଦୂରତା ପହଁରି ଆନ୍ଧ୍ରପ୍ରଦେଶର ସନ୍ତରଣକାରୀ ଗୋଲି ଶ୍ୟାମଲା(୫୨) ଇତିହାସ ରଚିଛନ୍ତି। ପ୍ରଥମ ଏସୀୟ ମହିଳା ଭାବେ...

ଅରୁଣସ୍ତମ୍ଭ ଚାରିପଟେ ୮ ଘୋଡ଼ା ଗତିଶୀଳ ମୁଦ୍ରାରେ ରହିଥିଲେ

ଆମେ ଗତ ସଂଖ୍ୟାରେ ଆଲୋଚନା କରିଥିଲେ ରାଜ୍ୟ ପ୍ରଶାସନ କୋଣାର୍କଠାରେ ମନ୍ଦିର ନିର୍ମାଣ କାର୍ଯ୍ୟରେ ମଗ୍ନଥିବା ଶିଳ୍ପୀଙ୍କ ପ୍ରତି କେତେ ସତର୍କ ଥିଲେ। ଦୋଳ ଉତ୍ସବ...

୬୬ ବର୍ଷ ପୂର୍ବରୁ ପୃଥିବୀରେ ଅଛି HMPV Virus, ଅଣଦେଖା କରିବାରୁ ନେଉଛି ପ୍ରତିଶୋଧ! ଜାଣନ୍ତୁ ଏହା କେତେ ଭୟଙ୍କର

ବେଜିଂ/ନୂଆଦିଲ୍ଲୀ,୬।୧: ବିଶ୍ୱରେ ଅନେକ ପ୍ରକାରର ଭାଇରସ ଅଛନ୍ତି, ସେଥିମଧ୍ୟରୁ କେତେକ ବିପଜ୍ଜନକ ହୋଇଥିବାବେଳେ କେତେକ କମ କ୍ଷତିକାରକ। ଏହି ଜୀବାଣୁ ଉପରେ ଅଧ୍ୟୟନ କରିବା ପରେ...

ମଣିଷ ଶରୀରର ମାଂସ ଖାଇବା ସହ ଖପୁରୀରେ…ଅଘୋରୀମାନେ ଏମିତି କରନ୍ତି ଲୋମଟାଙ୍କୁରା ସାଧନା

ଆଘୋରୀ… ସାଧୁମାନଙ୍କର ଏକ ସମ୍ପ୍ରଦାୟ ଯାହାଙ୍କୁ ନେଇ ସମସ୍ତଙ୍କଠାରେ କୌତୁହଳ ରହିଛି। ସେମାନଙ୍କ ଦୁନିଆ ରହସ୍ୟପୂର୍ଣ୍ଣ ବୋଲି କୁହାଯାଏ। ଅଘୋରୀମାନେ ଶ୍ମଶାନରେ ରହିବା ସହ ସେଠାରେ...

କେଶ ଝଡ଼େ, ହେଲେ ନିଶ ଦାଢ଼ି ଝଡ଼େନା କାହିଁକି? ଜାଣନ୍ତୁ…

କେଶ ଝଡ଼ିବା ଏବେ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଯାହାକୁ ଦେଖିବ ସେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହେଲେ କେବେ ଭାବିଛନ୍ତି କି...

ଦୃଷ୍ଟିବାଧିତଙ୍କ ସୃଜନଶୀଳତା ପାଇଁ ବ୍ରେଲି

ମନର କଥା ଏବଂ ସୃଜନଶୀଳତାର ପରିପ୍ରକାଶ ପାଇଁ ସଭିଙ୍କ ମନରେ ଥାଏ ବହୁ ଉତ୍କଣ୍ଠା। ମାତ୍ର ଦୃଷ୍ଟିବାଧିତଙ୍କ ଭଳି କେତେକଙ୍କ ପକ୍ଷରେ ଅକ୍ଷର ଚିହ୍ନିବା, ପଢ଼ିବା...

୨୦୨୫ରେ ବିନାଶ ହୋଇଯିବ ମଣିଷ! ନୂଆ ବର୍ଷ ଆରମ୍ଭରୁ ଚମକାଇଲା ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ, ଘଟିବ ଏମିତି…

ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗା ୨୦୨୫ରେ ମନୁଷ୍ୟର ବିଲୁପ୍ତ ହେବାର ପୂର୍ବାନୁମାନ କରିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାରେ ଅଛି। ଅତୀତରେ ତାଙ୍କ ଦ୍ୱାରା କରାଯାଇଥିବା...

ଧୀରେନ୍ଦ୍ର ଶାସ୍ତ୍ରୀ କହିଲେ ବଢିଆ ଉପାୟ: ୧ ଜାନୁଆରୀରୁ ଏପରି କଲେ ମା’ ଲକ୍ଷ୍ମୀ କରିବେ ଧନବାନ

ନୂଆଦିଲ୍ଲୀ,୩୧।୧୨: ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ଏହି ନୂଆବର୍ଷ ନୂଆ ଆଶା ଏବଂ ନୂଆ ସ୍ୱପ୍ନରେ ଉତ୍ସାହ ଭରିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ପ୍ରବଚକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri