ନୂଆଦିଲ୍ଲୀ,୯ା୯: ମାଇନିଂ ସେକ୍ଟର ଅର୍ଥାତ୍ ଖଣି କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି। ଫଳରେ ଏହି କ୍ଷେତ୍ର ଏବେ ଘୋର ଦୁର୍ଦ୍ଦଶା ଦେଇ ଗତି କରୁଛି। ଦୈନିକ କର୍ମଚାରୀ ନିଯୁକ୍ତି ହରାଉଛନ୍ତି। ଏକ୍ଷେତ୍ରରେ ସଂସ୍କାର ଆଣିବା ନିହାତି ଆବଶ୍ୟକ ହେଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଫେଡେରେଶନ ଅଫ୍ ଇଣ୍ଡିଆନ ମିନେରାଲ ଇଣ୍ଡଷ୍ଟ୍ରିଜ(ଫିମି) ପକ୍ଷରୁ ପତ୍ର ଲେଖି ଅନୁରୋଧ କରାଯାଇଛି। ଖଣି କ୍ଷେତ୍ରରେ ସଂସ୍କାର କରାଗଲେ ପ୍ରାୟ ୫ କୋଟି ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ, ମାଇନିଂରେ ମାନ୍ଦାବସ୍ଥା କାରଣରୁ କର୍ମଚାରୀମାନେ ନିଯୁକ୍ତି ହରାଉଛନ୍ତି। ସଂସ୍କାର କାର୍ଯ୍ୟ ମାଧ୍ୟମରେ ପ୍ରାୟ ୫୦ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଦିଆଯାଇପାରିବ ବୋଲି ପତ୍ରରେ କୁହାଯାଇଛି। ଫେଡେରେଶନ କହିଛି ଯେ, ଅତୀତରେ ଖଣି କ୍ଷେତ୍ର ଅଧିକ ନିଯୁକ୍ତି ସୃଷ୍ଟି କରିଛି। ସଂସ୍କାର କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା, ଝାଡ଼ଖଣ୍ଡ, ରାଜସ୍ଥାନ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟର ଅନୁନ୍ନତ ଅଞ୍ଚଳରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାର ଓ ୮% ଜିଡିପିରେ ପହଞ୍ଚାଇବାକୁ ହେଲେ ଖଣି କ୍ଷେତ୍ରକୁ ବଢ଼ାଇବାକୁ ହେବ। ବର୍ତ୍ତମାନ ସ୍ଥିତିରେ ଦେଶର ଜିଡ଼ିପିରେ ଏହି କ୍ଷେତ୍ରର ଅବଦାନ ଦିନକୁ ଦିନ କମିବାରେ ଲାଗିଛି ବୋଲି ଉଲ୍ଲେଖ କରି ପତ୍ରରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ ଖଣି କ୍ଷେତ୍ରରେ ତୁରନ୍ତ ସଂସ୍କାର ଆଣନ୍ତୁ।