ବେଜିଂ: ସ୍ମାର୍ଟଫୋନ୍ ହେଉ କି କମ୍ପ୍ୟୁଟର ଏଥିରେ ଇଣ୍ଟରନେଟ୍ ସଂଯୋଗ କରି ଘରେ ବସି ଅନ୍ଲାଇନ୍ରେ ବିଭିନ୍ନ କାର୍ଯ୍ୟ ସହଜରେ କରିହେଉଛି। ଏସବୁ ଭିତରେ ଅନ୍ଲାଇନ୍ ସାଇଟ୍ରୁ ଶପିଂ କରିବା ସମସ୍ତଙ୍କୁ ଆକର୍ଷିତ କରିଥାଏ। ବିଭିନ୍ନ ସାଇଟ୍ ସର୍ଚ୍ଚ କରି ନିଜ ପସନ୍ଦର ଡ୍ରେସ୍ ହେଉ କି ହୋମ୍ ଆପ୍ଲିଆନ୍ସ କିଣିବାକୁ ସମସ୍ତେ ପସନ୍ଦ କରିଥାନ୍ତି। ହେଲେ ମାଙ୍କଡ଼ ବି ଅନ୍ଲାଇନ୍ରୁ ସପିଙ୍ଗ କରୁଥିବା କଥା ବିଶ୍ୱାସ ହେଉ ନ ଥିଲେ ବି ସତ। ପୂର୍ବ ଚାଇନା ଚାଙ୍ଗଜୁଠାରେ ଥିବା ୟାନ୍ଚେଙ୍ଗ ଓ୍ବାଇଲ୍ଡ ଆନିମଲ୍ ଜୁ’ର ଏକ ମାଙ୍କଡ଼ ଅନ୍ଲାଇନ୍ରେ ଶପିଂ କରିଥିବା ଘଟଣା ନଜରକୁ ଆସିଛି। ଘଟଣାଟି ଏମିତି, ଜୁ’ରେ ଏଲ୍ବି ମେଗ୍ମା ନାମକ ଜଣେ ମହିଳା କାମ କରନ୍ତି। କିଛିଦିନ ତଳେ ସେ ନିଜ ଅଫିସ୍ରେ ବସି ଅନ୍ଲାଇନ୍ ଶପିଂ ସାଇଟ୍ରେ କିଛି ଜିନିଷ ଦେଖୁଥିଲେ। ଏହି ସମୟରେ ଜୁ’ରେ ଥିବା ମାଙ୍କଡ଼କୁ ସେ ଖାଇବାକୁ ଦେଇ ନ ଥିବା ମେଗ୍ମାଙ୍କର ମନେପଡ଼ିଥିଲା। ସେ ଅଫିସ୍ରେ ଫୋନ୍ ରଖି ମାଙ୍କଡ଼ ପାଇଁ ଖାଇବା ଆଣିବାକୁ ବାହାରକୁ ଯାଇଥିଲେ। ହେଲେ ଫେରିବା ବେଳକୁ ଶପିଂ ସାଇଟ୍ରୁ କେତେକ ଜିନିଷ ଅର୍ଡର ଦିଆଯାଇଥିବା ମେସେଜ ତାଙ୍କ ଫୋନ୍କୁ ଆସିଥିବା ଦେଖିଥିଲେ। ଅର୍ଡର କିପରି ହେଲା ଜାଣିବା ପାଇଁ ସେ ସେହି ରୁମ୍ର ସିସିଟିଭି ଫୁଟେଜ୍ ଚେକ୍ କରିଥିଲେ। ତେବେ ମେଗ୍ମାଙ୍କ ଫୋନ୍ରୁ ମାଙ୍କଡ଼ଟି ଅର୍ଡର କରିଥିବା ଦେଖାଯାଇଥିଲା। କିନ୍ତୁ ଏହାପରେ ସେ ଅର୍ଡର କ୍ୟାନ୍ସଲ କରି ନ ଥିଲେ। ଏ ନେଇ ମେଗମା କହିଛନ୍ତି, ମାଙ୍କଡ଼ଟି ଅର୍ଡର କରିଥିବା ଜିନିଷଗୁଡ଼ିକ ତାଙ୍କ ଦରକାର ଯୋଗ୍ୟ ଥିଲା, ତେଣୁ ସେ ଅର୍ଡର କ୍ୟାନ୍ସଲ କରି ନ ଥିଲେ।