ଇସ୍ଲାମବାଦ୍, ୨୨।୬- ପାକିସ୍ତାନ କ୍ରିକେଟ୍ ଦଳର ବାମହାତୀ ଦ୍ରୁତ ବୋଲର ମହମ୍ମଦ ଇର୍ଫାନ କାର୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ନେଇ ଏକ ଖବର ରବିବାର ହଠାତ୍ ସୋସିଆଲ ମିଡିଆରେ ଘୂରି ବୁଲିଥିଲା। ତେବେ ୭ ଫୁଟ୍ ଏକ ଇଞ୍ଚ ବିଶିଷ୍ଟ ଇର୍ଫାନ ନିଜେ ଏହି ଖବରକୁ ଖଣ୍ଡନ କରିଛନ୍ତି। ମୁଁ ବଞ୍ଚତ୍ଛି ଏବଂ ଏହି ଖବର ଭିତ୍ତିହୀନ ଓ ମିଥ୍ୟା ବୋଲି ଇର୍ଫାନ୍ ନିଜେ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି। ୩୮ ବର୍ଷୀୟ ଇର୍ଫାନ କହିଛନ୍ତି, ‘କାର ଦୁର୍ଘଟଣାରେ ମୋର ମୃତ୍ୟୁ ହୋଇଥିବା ନେଇ କିଛି ସୋସିଆଲ ମିଡିଆରେ ଏକ ଭିତ୍ତିହୀନ ମିଥ୍ୟା ଖବର ପ୍ରକାଶ ପାଇଛି। ଏହା ମୋ ପରିବାର ଓ ବନ୍ଧୁଙ୍କୁ ବିବ୍ରତ କରିଥିଲା। ଏହାକୁ ନେଇ ମୋ ପାଖକୁ ଅସଂଖ୍ୟ ଫୋନ୍ ଆସିଥିଲା। ଦୟା କରି ଏଭଳି ଜିନିଷରୁ ଦୂରେଇ ରୁହନ୍ତୁ। ଏମିତି କୌଣସି ଦୁର୍ଘଟଣା ହୋଇନାହିଁ ଏବଂ ମୁଁ ଭଲ ଅଛି’। କିନ୍ତୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟକୁ ନେଇ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ପାକିସ୍ତାନ ଭିନ୍ନକ୍ଷମ କ୍ରିକେଟ ଖେଳାଳି ମହମ୍ମଦ ଇର୍ଫାନ ପାକସ୍ଥଳୀଜନିତ ସମସ୍ୟା ଯୋଗୁ ମୃତ୍ୟୁବରଣ କରିଥିଲେ ବୋଲି ପିସିବି ପକ୍ଷରୁ କୁହାଯାଇଥିଲା। ଏଠାରେ ପ୍ରକାଶଯୋଗ୍ୟ, ପାକିସ୍ତାନର ସବୁଠାରୁ ଡେଙ୍ଗା କ୍ରିକେଟର୍ ଭାବେ ବିବେଚିତ ହେଉଥିବା ଇର୍ଫାନ ୨୦୧୦ରେ ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ସେ ଜାତୀୟ ଦଳ ପକ୍ଷରୁ ୪ ଟେଷ୍ଟ, ୬୦ ଦିନିକିଆ ଓ ୨୨ ଟି୨୦ ମ୍ୟାଚ୍ ଖେଳିସାରିଛନ୍ତି। ଦିନିକିଆ ଓ ଟି୨୦ରେ ସେ ଯଥାକ୍ରମେ ୮୩ ଓ ୧୬ ଉଇକେଟ୍ ନେଇଥିବାବେଳେ ଟେଷ୍ଟରେ ମାତ୍ର ୪ଟି ସଫଳତା ପାଇଛନ୍ତି।