ଯାନବାହନରୁ ବାୟୁ ପ୍ରଦୂଷଣ ଓ ବିଏସ୍‌-୬

ଡ. ରମେଶ ଚନ୍ଦ୍ର ପରିଡ଼ା
ଅର୍ଥନୈତିକ ଅଭିବୃଦ୍ଧି ସଙ୍ଗେ ସଙ୍ଗେ ବିସ୍ତାରିତ ଶିଳ୍ପାୟନ ଓ ନଗରୀକରଣ, ବୃଦ୍ଧିପ୍ରାପ୍ତ ଯାନବାହନର ସଂଖ୍ୟା ତଥା ଅନ୍ୟାନ୍ୟ ବହୁ ମାନବୀୟ କାର୍ଯ୍ୟକଳାପ ହେତୁ ବାୟୁ ପ୍ରଦୂଷଣ ସମସ୍ୟା ଜଟିଳରୁ ଜଟିଳତର ହେବାରେ ଲାଗିଛି। ଫଳରେ ଗଭୀର ଭାବେ ପ୍ରଭାବିତ ହେଉଛି ଜନସ୍ବାସ୍ଥ୍ୟ, କୃଷି ଏବଂ ପରିବେଶ ଓ ପରିସଂସ୍ଥା। ଏହାର ଅର୍ଥନୈତିକ ମୂଲ୍ୟ ଟ୍ରିଲିୟନ ଟ୍ରିଲିୟନ ଡଲାର ହେବ ବୋଲି ଓ୍ବାର୍ଲଡ ଓ୍ବାଚ୍‌ ସଂସ୍ଥାର ମତ। ଉଦାହରଣସ୍ବରୂପ ଗ୍ଲୋବାଲ ଏନଭାଇରନ୍‌ମେଣ୍ଟ ଆଉଟଲୁକ୍‌ର ୨୦୧୭ ମସିହାରେ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୧୩ରେ ଏହା ଥିଲା ବିଶ୍ୱରେ ୫.୫ ନିୟୁତ ଲୋକଙ୍କ ଅକାଳ ମୃତ୍ୟୁର କାରଣ ଏବଂ ସେମାନଙ୍କ ମଧ୍ୟରେ ୧.୫ ନିୟୁତ ଥିଲେ ଭାରତୀୟ। ଅନ୍ୟପକ୍ଷରେ ବିଶ୍ୱବ୍ୟାଙ୍କ ଏମାନଙ୍କ ସଂଖ୍ୟା ୨୦୧୮ ମସିହାରେ ୮.୮ ନିୟୁତ ଥିଲା ବୋଲି ଆକଳନ କରିଛି। ଏହା ବ୍ୟତୀତ, ରୋଗ-ବ୍ୟାଧି ହେତୁ ମଧ୍ୟ ଘଟୁଛି ବିପୁଳ ମାନବ ସମ୍ବଳର ଅପଚୟ। ସେହିପରି ବିଶ୍ୱ କୃଷି ସଂସ୍ଥାର ସୂଚନା ଅନୁସାରେ ବାୟୁ ପ୍ରଦୂଷଣର ପ୍ରତ୍ୟକ୍ଷ ବା ପରୋକ୍ଷ ପ୍ରଭାବରେ ଧାନ, ଗହମ ଓ ମକାର ଉତ୍ପାଦିକା ଶକ୍ତି ଯଥାକ୍ରମେ ପ୍ରାୟ ୨୩, ୨୭ ଏବଂ ୯ ଶତାଂଶ ହ୍ରାସ ପାଇଛି (୨୦୧୭)। ଅନ୍ୟପକ୍ଷରେ ପରିବେଶ ଓ ପରିସଂସ୍ଥା ଉପରେ ଏହାର ପ୍ରଭାବ ଅକଳନୀୟ ହେଲାବେଳେ, ଆଗାମୀ କାଳରେ ପ୍ରଳୟ ସୃଷ୍ଟିର ସମ୍ଭାବନା ବହନ କରୁଥିବା ଜାଗତିକ ଉଷ୍ମତା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନର ମଧ୍ୟ ଏହା ମୁଖ୍ୟ କାରଣ।
ବଡ କ୍ଷୋଭର ବିଷୟ ଯେ ଆମେରିକା, ଜାପାନ ବା ୟୁରୋପୀୟ ଦେଶମାନଙ୍କ ଭଳି ଶିଳ୍ପୋନ୍ନତ ନ ହେଲେ ବି ଭାରତ ଏବେ ଏକ ବିଶେଷ ଅପଖ୍ୟାତି ଅର୍ଜନ କରିଛି। ନିକଟରେ ଜାତିସଂଘ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବିଶ୍ୱର ସବୁଠାରୁ ପ୍ରଦୂଷିତ ୨୦ଟି ନଗରୀ ମଧ୍ୟରୁ ୧୫ଟି ଏହି ଦେଶରେ ଅବସ୍ଥିତ। ଆମ ସହରାଞ୍ଚଳଗୁଡ଼ିକରେ ବାୟୁ ପ୍ରଦୂଷଣ ଏଭଳି ଉତ୍କଟ ହେବା କ୍ଷେତ୍ରକୁ ସେଠାରେ ଦ୍ରୁତ ସଂଖ୍ୟାବୃଦ୍ଧି ଘଟି ଚାଲିଥିବା ଯାନବାହନଗୁଡ଼ିକର ଅବଦାନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସ୍ଥଳବିଶେଷ ଉପରେ ନିର୍ଭର କରି ଏହା ୨୭ରୁ ୩୫ ଶତାଂଶ ପର୍ଯ୍ୟନ୍ତ ବାଷ୍ପୀୟ ନିର୍ଗମନ ପାଇଁ ଦାୟୀ। ସେଥିପାଇଁ ଏହାକୁ ହ୍ରାସ କରିବା ଲାଗି ଆମ ଦେଶ ସମେତ ସମଗ୍ର ବିଶ୍ୱରେ ବିଭିନ୍ନ ଦିଗରୁ ଉଦ୍ୟମ ଚାଲିଛି। ତହିଁରୁ ଅନ୍ୟତମ ହେଲା ଏହି ନିର୍ଗମନର ମାନବୃଦ୍ଧି ଲାଗି ମାନକ ନିର୍ଦ୍ଧାରଣ। ସେ ଦିଗରେ ପ୍ରଥମେ ପଦକ୍ଷେପ ଆରମ୍ଭ କରିଥିଲେ ୟୁରୋପୀୟ ଦେଶସମୂହ। ଏବେ ତାଙ୍କୁ ଅନୁସରଣ କରିବାରେ ଲାଗିଛନ୍ତି ଭାରତ ସମେତ ବିଶ୍ୱର ଅନେକ ଦେଶ।
ଆମ ଦେଶରେ ଏ ପ୍ରକ୍ରିୟା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ୧୯୯୧ ମସିହାରୁ। ସେ ବର୍ଷ ପେଟ୍ରୋଲଚାଳିତ ଯାନ ପାଇଁ ଧାର୍ଯ୍ୟ ହୋଇଥିବା ପ୍ରଥମ ସ୍ତରର ମାନଦଣ୍ଡ କାର୍ଯ୍ୟକାରୀ ହେଲା। ତା’ପରେ ୧୯୯୨ରେ ଡିଜେଲଚାଳିତ ଯାନଗୁଡିକୁ ଏହାର ପରିସରଭୁକ୍ତ କରାଗଲା। ସରକାର ୧୯୯୫ ମସିହାରେ ଚାରୋଟି ମହାନଗରୀ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ବିକ୍ରି ହେଉଥିବା ପେଟ୍ରୋଲଚାଳିତ ଯାନଗୁଡିକରେ କାଟାଲିଟିକ କନଭର୍ଟର ସ୍ଥାପନ ବାଧ୍ୟତାମୂଳକ କଲେ। ଏହା କାର୍ବନ ମନୋକ୍ସାଇଡ, ହାଇଡ୍ରୋକାର୍ବନ ଭଳି ବିଷାକ୍ତ ପ୍ରଦୂଷଣକାରୀ ବାଷ୍ପର ଜାରଣ ପାଇଁ ଉଦ୍ଦିଷ୍ଟ ଥିଲା। ପୁନଶ୍ଚ ସେହିଠାରୁ ଏହି ନଗରୀଗୁଡିକରେ ସୀମାରହିତ ପେଟ୍ରୋଲ ଯୋଗାଣ ମଧ୍ୟ ଆରମ୍ଭ ହେଲା ଏବଂ ଅନ୍ୟ ୪୨ଟି ସହରରେ ମଧ୍ୟ ଏହା ବ୍ୟବହାର କରିବା ଲାଗି ନିର୍ଦ୍ଦେଶନାମା ଜାରି କରାଗଲା। ଇତିମଧ୍ୟରେ ୟୁରୋପୀୟ ଦେଶଗୁଡ଼ିକରେ ଯାନବାହନର ବାଷ୍ପୀୟ ନିର୍ଗମନ ନିୟନ୍ତ୍ରଣ ଲାଗି ମାନଦଣ୍ଡ ସ୍ଥିର କରାଯାଇଥିଲା। ଏହାର ପ୍ରଥମ ପାବଚ୍ଛଟିକୁ କୁହାଯାଉଥିଲା ୟୁରୋ-୧। ଭାରତ ୧୯୯୯ ମସିହାରେ ତାହାକୁ ଏବଂ ୨୦୦୧ ମସିହାରେ ଏହାର ପରବର୍ତ୍ତୀ ମାନଦଣ୍ଡ ୟୁରୋ-୨କୁ ଅନୁସରଣ କଲା। ଏହାକୁ ଯଥାକ୍ରମେ କୁହାଗଲା ଭାରତ ଷ୍ଟେଜ-୧ (ବିଏସ୍‌-୧) ଏବଂ ଭାରତ ଷ୍ଟେଜ-୨ (ବିଏସ୍‌-୨)। ଉପରୋକ୍ତ ଚାରୋଟି ମହାନଗରୀରେ ତାହା ପ୍ରଚଳନ କରାଗଲା। ତା’ପରେ ଆମ ସରକାର ଅଗଷ୍ଟ ୨୦୦୨ରେ ଅଟୋ ଫୁଏଲ ପଲିସି ଘୋଷଣା କଲେ। ତହିଁରେ ରହିଲା ୨୦୧୦ ମସିହା ପର୍ଯ୍ୟନ୍ତ ପ୍ରଚଳନ ହେବା ପାଇଁ ଯାନବାହନଗୁଡ଼ିକରୁ ନିର୍ଗମନ ଏବଂ ତହିଁରେ ବ୍ୟବହୃତ ଇନ୍ଧନ ସମ୍ପର୍କରେ ବିସ୍ତୃତ ମାର୍ଗଦର୍ଶିକା। ଏଥିରେ ସ୍ପଷ୍ଟ କରାଗଲା ଯେ ଦେଶର ୧୩ଟି ବଡବଡ ନଗରରେ ବିଏସ୍‌-୨ର ପରବର୍ତ୍ତୀ ପର୍ଯ୍ୟାୟ ବିଏସ୍‌-୩ ମାନଦଣ୍ଡ ପ୍ରଚଳନ ହେବ ଏବଂ ଅନ୍ୟ ସମସ୍ତ ସହର ଓ ନଗର ୨୦୦୫ ମସିହାରୁ ବିଏସ-୨ ମାନଦଣ୍ଡ ମାନି ଚଳିବେ। ପୁନଶ୍ଚ ୨୦୧୦ରେ ସେହି ୧୩ଟି ନଗରରେ ବିଏସ୍‌-୪ ଏବଂ ଅନ୍ୟଗୁଡିକରେ ବିଏସ୍‌-୩ ଲାଗୁ ହେବ। ବର୍ତ୍ତମାନ ସମ୍ଭବତଃ ଦେଶର ୫୦ରୁ ଅଧିକ ସହର ଓ ନଗର ବିଏସ୍‌-୪ ମାନଦଣ୍ଡ ଅନୁସରଣ କରୁଛନ୍ତି। ଏହାପରେ ୨୦୧୪ରେ ଇନ୍ଧନ ନୀତିର ଦ୍ୱିତୀୟ ପର୍ଯ୍ୟାୟ ଅଟୋ ଫୁଏଲ ପଲିସି-୨୦୨୫ ପ୍ରଣୀତ ହୋଇ ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟକୁ ପଠାଯାଇଛି। ତହିଁରେ ୨୦୨୫ ମସିହା ପର୍ଯ୍ୟନ୍ତ ଏ କ୍ଷେତ୍ରରେ କି କି ପଦକ୍ଷେପ ନିଆଯିବ ତାହାର ପ୍ରସ୍ତାବ କରାଯାଇଛି। ତଦନୁଯାୟୀ ସମଗ୍ର ଦେଶରେ ୨୦୧୭ ସୁଦ୍ଧା ବିଏସ୍‌-୪, ୨୦୨୧ ସୁଦ୍ଧା ବିଏସ୍‌-୫ ଏବଂ ୨୦୨୫ ବେଳକୁ ବିଏସ୍‌-୬ ମାନଦଣ୍ଡର ପ୍ରଚଳନ କରିବା ଲାଗି ସୂଚନା ଦିଆଯାଇଛି। ତେବେ ଯାନବାହନର ହଠାତ୍‌ ସଂଖ୍ୟାବୃଦ୍ଧି ଏବଂ ତଜ୍ଜନିତ ବାୟୁ ପ୍ରଦୂଷଣ କଥା ବିଚାରକୁ ନେଇ ଏଥିରେ ପରିବର୍ତ୍ତନ ଅଣାଗଲାଣି। ଏଣୁ ଏବେ ବିଏସ୍‌-୫କୁ ବାଦଦେଇ ୨୦୨୦ ସୁଦ୍ଧା ସିଧାସଳଖ ବିଏସ୍‌-୬କୁ ଯିବା ପାଇଁ ସ୍ଥିର କରାଯାଇଛି।
ଯାନବାହନଗୁଡ଼ିକରୁ ଘଟୁଥିବା ପ୍ରଦୂଷଣକାରୀ ବାଷ୍ପୀୟ ନିର୍ଗମନରେ ସାଧାରଣତଃ ଥାଏ କାର୍ବନ ମନୋକ୍ସାଇଡ, ବିବିଧ ହାଇଡ୍ରୋକାର୍ବନ, ଯବକ୍ଷାରଜାନର ଅକ୍ସାଇଡ ସମୂହ ଏବଂ ବାୟୁରେ ଭାସମାନ ସୂକ୍ଷ୍ମ କଣିକା। ପ୍ରତ୍ୟେକ ଉଚ୍ଚତର ସ୍ତରର ବିଏସ୍‌ ମାନଦଣ୍ଡରେ ଏଗୁଡିକର ହ୍ରାସ ପାଇଁ ସୂଚନା ଥାଏ। ଇଞ୍ଜିନର ଦକ୍ଷତାରେ ପରିବର୍ତ୍ତନ, ଇନ୍ଧନର ମାନରେ ପରିବର୍ତ୍ତନ, ନୂତନ ଇନ୍ଧନର ବିନିଯୋଗ ମାଧ୍ୟମରେ ଏହା ହାସଲ କରିବାକୁ ହୁଏ। ଅତଏବ ବର୍ତ୍ତମାନ ପ୍ରଚଳିତ ବିଏସ୍‌-୪ ମାନଦଣ୍ଡ ଅନୁସାରେ ଡିଜେଲ ଇଞ୍ଜିନରୁ କିଲୋମିଟର ପ୍ରତି କାର୍ବନମନୋକ୍ସାଇଡ, ହାଇଡ୍ରୋକାର୍ବନ ଓ ଯବକ୍ଷାରଜାନ ଅକ୍‌ସାଇଡ ସମୂହ ଏବଂ ବାୟୁରେ ଭାସମାନ ସୂକ୍ଷ୍ମ କଣିକାର ମାତ୍ରା ଯଥାକ୍ରମେ ୦.୫ ଗ୍ରାମ୍‌, ୦.୩ ଗ୍ରାମ୍‌ ଓ ୦.୦୨୫ ଗ୍ରାମ୍‌ ନିର୍ଗମନ ହେଲା ବେଳେ ପେଟ୍ରୋଲ ଇଞ୍ଜିନରୁ ତାହା ୦.୧ ଗ୍ରାମ୍‌, ୦.୧ ଗ୍ରାମ୍‌ ଏବଂ ୦.୦୦୪୫ ଗ୍ରାମ୍‌ ମଧ୍ୟରେ ସୀମିତ ରହିବା ଦରକାର। ସେହିପରି ଏଥିରେ ବ୍ୟବହୃତ ଡିଜେଲ ଓ ପେଟ୍ରୋଲରେ ଗନ୍ଧକର ମାତ୍ରା ନିୟୁତ ପ୍ରତି ୫୦ ଭାଗ ଏବଂ ସୀସା ୦.୦୦୫ ଭାଗରୁ ଅଧିକ ହେବା ଉଚିତ ନୁହେଁ। ଅନ୍ୟପକ୍ଷରେ, ବିଏସ୍‌-୬ ମାନଦଣ୍ଡରେ ଏହାକୁ ଅଧିକ କଠୋର କରାଯାଇଛି। ଏଥିରେ ଡିଜେଲ ଇଞ୍ଜିନ ପାଇଁ ସେଗୁଡିକର ନିର୍ଗମନକୁ ଯଥାକ୍ରମେ ୦.୫ ଗ୍ରାମ୍‌, ୦.୧୭ ଗ୍ରାମ୍‌ ଏବଂ ୦.୦୦୪୫ ଗ୍ରାମ୍‌ ଏବଂ ପେଟ୍ରୋଲ ଇଞ୍ଜିନ ପାଇଁ ୦.୧ ଗ୍ରାମ୍‌, ୦.୧ ଗ୍ରାମ୍‌ ଏବଂ ୦.୦୦୪୫ ଗ୍ରାମ୍‌ ରୂପେ ନିର୍ଦ୍ଧାରଣ କରାଯାଇଛି। ସେହିଭଳି ଏ ଉଭୟ ଇନ୍ଧନରେ ଗନ୍ଧକକୁ ନିୟୁତ ପ୍ରତି ୧୦ ଭାଗ ଏବଂ ସୀସାକୁ ୦.୦୦୧ ଭାଗ ମଧ୍ୟରେ ସୀମିତ ରଖାଯାଇଛି। ଏହାଫଳରେ ଯାନବାହନରୁ ବିଷାକ୍ତ ବାଷ୍ପ ନିର୍ଗମନ ୫୧ ଶତାଂଶ ହ୍ରାସ ପାଇବ ବୋଲି ଆଶା କରାଯାଉଛି।
ତେବେ, ଏ ସମାଧାନ ହୁଏତ ସ୍ଥାୟୀ ହୋଇ ନ ପାରେ। ଉଦାହରଣ ସ୍ବରୂପ, ୧୯୯୮ ମସିହାରେ ଦିଲ୍ଲୀରେ ତିନିଚକିଆ ଯାନ ଏବଂ ବସ୍‌ଗୁଡିକରେ ଡିଜେଲ ବଦଳରେ କମ୍ପ୍ରେସ୍‌ଡ ନ୍ୟାଚୁରାଲ ଗ୍ୟାସ୍‌ (ସିଏନ୍‌ଜି) ଇନ୍ଧନ ରୂପେ ବ୍ୟବହାର କଲା ପରେ ପ୍ରାୟ ୪ ବର୍ଷ ଧରି ସେଠାର ବାୟୁପ୍ରଦୂଷଣ ଅନେକ ମାତ୍ରାରେ କମ୍‌ ହୋଇଥିଲା। ତେବେ ଯାନବାହନର ହଠାତ୍‌ ସଂଖ୍ୟା ବୃଦ୍ଧି ଏବଂ ଅନ୍ୟାନ୍ୟ ମାନବୀୟ କାର୍ଯ୍ୟକଳାପ ହେତୁ ଏ ପ୍ରଭାବ ସ୍ବଳ୍ପକାଳ ସ୍ଥାୟୀ ହେଲା। ତେଣୁ ବିଏସ୍‌-୬ ମାନଦଣ୍ଡ ପ୍ରବର୍ତ୍ତନ ସମେତ ଯେଉଁ ଆହୁରି କେତେକ ସଂସ୍କାରମୂଳକ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ରଖାଯାଇଛି ତନ୍ମଧ୍ୟରେ ରହିଛି ପ୍ରଦୂଷଣକାରୀ ଯାନବାହନର ବ୍ୟବହାର ବନ୍ଦ କରିଦେବା, ସ୍ବଳ୍ପ ପ୍ରଦୂଷଣକାରୀ ବିକଳ୍ପ ଇନ୍ଧନର ବ୍ୟବହାର ବଢାଇବା, ବ୍ୟକ୍ତିଗତ ଗାଡି ଅପେକ୍ଷା ସର୍ବସାଧାରଣ ଗାଡି ବ୍ୟବହାର କରିବା ଇତ୍ୟାଦି। ସେହିପରି ବାଣ ଫୁଟାଇବା ଓ ଫସଲରୁ ଉତ୍ପନ୍ନ ନଡା ଆଦି ପୋଡିବାରୁ ନିବୃତ୍ତ ରହିବା ଏ ଦିଗରେ ସହାୟକ ହୋଇପାରିବ।
ନିକଟରେ ମୋଟରକାର ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଆଗାମୀ ଏପ୍ରିଲ ୨୦୨୦ରୁ ସରକାରୀ ବିଏସ୍‌-୬ ମାନଦଣ୍ଡ ଲାଗୁ ହେବା ଅବସରରେ ଅଧିକ ପ୍ରଦୂଷଣକାରୀ ଡିଜେଲ କାର୍‌ ଉତ୍ପାଦନ ବନ୍ଦ କରିବାକୁ ସ୍ଥିର କରିଛି। ୟୁରୋପୀୟ ଦେଶଗୁଡ଼ିକରେ ଏ ପ୍ରକାର କାର୍‌ ଉପରେ ବିବିଧ କଟକଣା ଲଗାଯିବାରୁ ଏହାର ବିକ୍ରୟ ୨୦୧୮ ମସିହା ସୁଦ୍ଧା ପ୍ରାୟ ୨୫% ହ୍ରାସ ପାଇଛି। କମ୍ପାନୀର ଏଭଳି ପଦକ୍ଷେପ ସ୍ବାଗତଯୋଗ୍ୟ ଏବଂ ଅନ୍ୟମାନେ ଏହାକୁ ଅନୁସରଣ କରିବା ଉଚିତ।
ଭୁବନେଶ୍ୱର, ମୋ-୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri