କଟକ,୧୨ା୨(ଶିଳ୍ପା ପ୍ରିୟଦର୍ଶିନୀ):ଏସ୍ସିବି ମେଡିକାଲ କାର୍ଡିଓ ଥୋରାସିସ ଆଣ୍ଡ୍ ଭାସ୍କୁଲାର ସର୍ଜରି(ସିଟିଭିଏସ୍) ବିଭାଗରେ ରବିବାର ଏକ ଜଟିଳ ଅସ୍ତ୍ରୋପଚାର ସଫଳ ହୋଇଛି । ଭୁବନେଶ୍ୱର ଭିଏସ୍ଏସ୍ ନଗର ଅଞ୍ଚଳର ନିବାସ ଶର୍ମା(୩୧) ଶୋଇଥିବାବେଳେ ଅସାବଧାନତାବଶତଃ ତାଙ୍କ ଛାତିରେ ୪.୫ ଇଞ୍ଚର ଏକ ଛୁଞ୍ଚି ଭୂଷି ହୋଇଯାଇଥିଲା। ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ମାତ୍ର ସେଠାରେ ଅସ୍ତ୍ରୋପଚାର ହୋଇପାରିବ ନାହିଁ ବୋଲି ନିବାସଙ୍କ ପରିବାର ଲୋକଙ୍କୁ କୁହାଯାଇଥିଲା। ପରେ ନିବାସଙ୍କୁ ଏମ୍ସ ହସ୍ପିଟାଲ ପଠାଯାଇଥିଲା। ଅସ୍ତ୍ରୋପଚାର ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ନିବାସଙ୍କ ପରିବାର ଲୋକଙ୍କୁ ଡାକ୍ତର କହିଥିଲେ। ଏହାପରେ ନିବାସ ଶନିବାର ଏସ୍ସିବି ମେଡିକାଲ ଆସିଥିଲେ। ତାଙ୍କୁ ସିଟିଭିଏସ୍ ବିଭାଗରେ ଭର୍ତ୍ତି କରାଯାଇଥିଲା। ରବିବାର ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଅସ୍ତ୍ରୋପଚାର କରି ନିବାସଙ୍କର ହୃତ୍ପିଣ୍ଡର ବାମଭାଗରେ ରହିଥିବା ଛୁଞ୍ଚିକୁ କାଢିଥିଲେ। ସିଟିଭିଏସ୍ ବିଭାଗର ମୁଖ୍ୟ ପ୍ରଫେସର ଡା. ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଛି। ସମ୍ପୃକ୍ତ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି। ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରିନାହିଁ।