ରଙ୍ଗିନ ଚଷମାର ନିରପେକ୍ଷତା

ରଞ୍ଜନ କୁମାର ଦାସ

ଊନବିଂଶ ଶତାବ୍ଦୀର ପ୍ରଖ୍ୟାତ ଆଇରିସ୍‌ ଉପନ୍ୟାସିକ ମାର୍ଗାରେଟ୍‌ ଉଲ୍‌ଫ ହଙ୍ଗରଫୋର୍ଡ ଥରେ କହିଥିଲେ, କୌଣସି ଏକ ବସ୍ତୁର ସୌନ୍ଦର୍ଯ୍ୟ ବସ୍ତୁରେ ଯେତିକି ନ ଥାଏ, ଦେଖିବା ବାଲାର ଆଖିରେ ତା’ଠାରୁ ବେଶି ଥାଏ। ଅର୍ଥାତ୍‌ ଦେଖିବା ବାଲାର ଦୃଷ୍ଟିକୋଣ ହିଁ ସ୍ଥିର କରେ ବସ୍ତୁଟି ମନକୁ ପାଉଚି କି ନାହିଁ। ମନକୁ ପାଉଥିବା ଜିନିଷଟି ଆପେ ଆପେ ଭଲ ଲାଗେ। ତେଣୁ ଭଲ ଜିନିଷଟି ବି ବେଳେବେଳେ ଭଲ ଲାଗେନାହିଁ ଅଥଚ ସାଧାରଣ ଜିନିଷଟି ବେଳେବେଳେ ଅସାଧାରଣ ଲାଗେ। ଅସଲ କଥା ହେଲା ସ୍ଥାନ କାଳ ପାତ୍ରକୁ ନେଇ କ’ଣ ଭଲ ଲାଗିବ କ’ଣ ଖରାପ ଲାଗିବ ତାହା ମନ ସ୍ଥିର କରେ। ପରବର୍ତ୍ତୀ ସମୟରେ ଭଲ ଲାଗୁଥିବା ଜିନିଷକୁ ଆମେ ଗ୍ରହଣ କରୁ, ଖରାପ ଲାଗୁଥିବା ଜିନିଷକୁ ଆମେ ପ୍ରତ୍ୟାଖ୍ୟାନ କରୁ ତା’ର ନିନ୍ଦା କରୁ।
ବ୍ୟକ୍ତିଗତ ଜୀବନରେ ଏଭଳି ଭଲମନ୍ଦର ନିଷ୍ପତ୍ତି ଆମ ମନ ନେଲେ ତାହା ବ୍ୟକ୍ତିଗତ ସ୍ତରରେ ସୀମିତ ରହେ। ମାତ୍ର ସାର୍ବଜନୀନ କ୍ଷେତ୍ରରେ, ଅଫିସରେ, ବ୍ୟବସାୟରେ, ଗଣମାଧ୍ୟମରେ ଯେତେବେଳେ ଆମର ଏ ରୁଚି ଅରୁଚି ପ୍ରତିଫଳିତ ହୁଏ ତା’ର ପ୍ରଭାବ ବହୁଧା ପ୍ରତିଫଳିତ ହୁଏ। ଅଫିସରେ ବା ବ୍ୟବସାୟରେ ଆମେ କେବେକେବେ ଖରାପ ମୁଡ୍‌ରେ ଥିଲାବେଳେ ଆମକୁ ଭଲ କଥାଟିଏ କହିବାକୁ ଆସିଥିବା ଲୋକ ଉପରେ ବି ବେଳେବେଳେ ଆମେ ବିରକ୍ତ ହୋଇଯାଉ। ତା’ର ଭଲ ପଣିଆ ବା ତା’ କଥାର ସୌଷ୍ଠବ ଆମକୁ ଦିଶେ ନାହିଁ। ବରଂ ତା’ର କୋଉଠି କ’ଣ ଦୋଷ ଯଦି ଥାଏ ତାହା ଆମ ଆଖିକୁ ଦିଶେ।
ସେ ଆମ ଆଖିରେ ହୋଇଯାଏ ଖରାପ।
ଏମିତି ଅନେକ ଘଟଣା ଅନିଚ୍ଛାକୃତ ଭାବେ ମଧ୍ୟ ହୋଇଯାଏ। ସେହିଭଳି ଇଚ୍ଛାକୃତ ଭାବେ ମଧ୍ୟ ଅନେକ ସମୟରେ ଆମେ ଜିନିଷକୁ ଭିନ୍ନ ଦୃଷ୍ଟିକୋଣରୁ ଦେଖୁ। ଗୋଟିଏ ଗ୍ଲାସରେ ଧରନ୍ତୁ ଅଧା ପାଣି ଅଛି। କେହି ଯଦି ତାକୁ କହେ ଅଧା ପାଣି ଅଛି ଠିକ୍‌ ହେବ କେହି ଯଦି କହେ ଅଧା ଖାଲି ଅଛି ତା’ ବି ଠିକ୍‌ ହେବ।
ଅନେକ ସମୟରେ ଆମେ ପ୍ରତ୍ୟେକ ଜିନିଷ ବା ଘଟଣାକୁ ଆମ ନିଜସ୍ବ ଦୃଷ୍ଟିକୋଣରୁ ଦେଖିଥାଉ। ଆମ ମନରେ କେତେକ ବଦ୍ଧମୂଳ ଧାରଣା ଥାଏ। ସେଇ ଧାରଣାର ବଶବର୍ତ୍ତୀ ହୋଇ ଆମେ ଆମ ଚାରିପଟେ ଘଟୁଥିବା ଘଟଣାକୁ ଦେଖୁ। ଘରେ ଯେତେବେଳେ ସ୍ବାମୀ ସ୍ତ୍ରୀ କଳହ ହୁଏ ଜଣେ ନାରୀ ସପକ୍ଷବାଦୀ ତା’ ଦୃଷ୍ଟିକୋଣରୁ ଦେଖେ। ଜଣେ ପୁରୁଷ ସପକ୍ଷବାଦୀ ତା’ ଦୃଷ୍ଟିକୋଣରୁ ଦେଖେ। ଆମେ ଯେଉଁ ରଙ୍ଗର ଚଷମା ପିନ୍ଧିଥାଉ ଆମକୁ ଆମ ଚାରିପଟ ସେଇ ରଙ୍ଗର ଦିଶେ। ବେଳେବେଳେ ଆମେ ଯେଉଁଭଳି ରଙ୍ଗର ପୃଥିବୀ ଦେଖିବାକୁ ଚାହିଁଥାଉ, ସେଇଭଳି ରଙ୍ଗର ଚଷମା ପିନ୍ଧୁ। ଆମେ ଯଦି ଜଣକର ଦୋଷ ଖୋଜିବାକୁ ଚାହୁଁଥାଉ ତେବେ ଗୋଟେ ଦୋଷଦ୍ୱେଷୀ ଚଷମା ଆପେ ଆପେ ଆମ ଆଖିରେ ଲାଗିଯାଏ। ଯଦି କାହାର ସମର୍ଥନ କରିବାକୁ ଚାହୁଁଥାଉ, ତାକୁ ସୁହାଇଲା ଭଳି ଦୃଷ୍ଟିଭଙ୍ଗୀ ଦେଖେଇବା ଚଷମା ପିନ୍ଧିଥାଉ। ଏଇଠି ଆମେ ବିଷୟାସକ୍ତ ହୋଇଥାଉ। ଜିନିଷକୁ ଦେଖିବା ପୂର୍ବରୁ ହିଁ ଆମେ ସ୍ଥିର କରି ନେଇଥାଉ, ଆମକୁ କ’ଣ ଦେଖିବାର ଅଛି। ବାକି ସବୁ ଦୃଶ୍ୟମାନ ଜିନିଷକୁ ଆମେ ଅଣଦେଖା କରି ଯାଉଥାଉ।
ଗଣମାଧ୍ୟମର ଉଦାହରଣ ଧରାଯାଉ। ଗଣମାଧ୍ୟମ ଆଜିକାଲି ଦୁନିଆର ସବୁଠୁ ବଡ଼ ଜନମତ ସୃଷ୍ଟିକାରୀ ତଥା ସରବରାହ ସଂସ୍ଥା। ଦୁନିଆର ସବୁଠୁ ବଡ଼ ବିଚାରକ ଭୂମିକା ମଧ୍ୟ ସେ ନିଜ ଉପରକୁ ନେଇ ସାରିଛି। ଗଣମାଧ୍ୟମ ସତ୍ୟଘଟଣାର କେବଳ ଉପସ୍ଥାପନା କରୁନାହିଁ। ବରଂ ଏହା ଜନମତ ସୃଷ୍ଟି ମଧ୍ୟ କରୁଚି। ଜନମତକୁ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଯେମିତି ଚାହୁଁଚି ସେମିତି ପରିଚାଳିତ କରିବାକୁ ମଧ୍ୟ ଚେଷ୍ଟା କରୁଚି। ବିଚାରକ ଭୂମିକା ପ୍ରତି ଯେଉଁ ଇଙ୍ଗିତ କରିଥିଲି ତାହା ମଧ୍ୟ ଅମୂଳକ ନୁହେଁ। ଗଣମାଧ୍ୟମ ଅନେକ ସମୟରେ ନିଜର ବିଚାରକୁ ଜନତାଙ୍କ ଉପରେ ମଧ୍ୟ ଲଦି ଦେଲା ପରି ପ୍ରୟାସ କରୁଥିବାର ଲକ୍ଷ୍ୟ କରାଯାଉଛି। କହିବା ନିଷ୍ପ୍ରୟୋଜନ ଯେ ଆଜିକାଲି ଅଧିକାଂଶ ଗଣମାଧ୍ୟମର ନିଜସ୍ବ ନିର୍ଦ୍ଦିଷ୍ଟ ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିଭଙ୍ଗୀ ଥାଏ। ସେଇ ଦୃଷ୍ଟିଭଙ୍ଗୀକୁ ସମର୍ଥନ କଲାଭଳି ଖବର ଓ ମତାମତ ସବୁ ସେଇ ଚ୍ୟାନେଲ ବା ଖବରକାଗଜରେ ପ୍ରକାଶିତ ହେବା ସମ୍ପୂର୍ଣ୍ଣ ସ୍ବାଭାବିକ। ତେଣୁ ଏସବୁ ଖବର ଓ ମତାମତ ସଂଗ୍ରହ କରିବା ପାଇଁ ଯେଉଁ ଚଷମାର ଯେତିକି ପାୱାରର ଲେନ୍ସ ଦରକାର ସେଇ ଚଷମା ସେଗୁଡ଼ିକୁ ପିନ୍ଧିବାକୁ ପଡ଼େ। ଗ୍ରାଉଣ୍ଡ ଜିରୋରେ କାମ କରୁଥିବା ସାମ୍ବାଦିକ ବା ଗଣମାଧ୍ୟମ କର୍ମୀମାନଙ୍କର ମଧ୍ୟ ନିଜସ୍ବ ରୁଚି, ଅରୁଚି, ବନ୍ଧୁତା, ଶତ୍ରୁତା, ବ୍ୟକ୍ତିଗତ ସ୍ବାର୍ଥ ଓ ବିଚାରଧାରା ଆଦି ଦିଗ ଥାଏ; ଯାହା ଖବର ସଂଗ୍ରହ ଓ ପ୍ରସାରଣକୁ ପ୍ରଭାବିତ କରିଥାଏ।
ଏଭଳି ଭାବେ ସଂଗୃହୀତ ଓ ପ୍ରସାରିତ ହେଉଥିବା ଖବର ନିଶ୍ଚିତ ଭାବେ ନିଜସ୍ବ ରଙ୍ଗରେ ରଙ୍ଗାୟିତ। ତଥାପି ଆଜିର ସବୁ ଗଣମାଧ୍ୟମ ଦାବି କରନ୍ତି ଯେ, ସେମାନେ ନିରପେକ୍ଷ ଓ ସତ୍ୟ ସନ୍ଧାନୀ। ମୁଁ ଯଦି ଜଣେ କବି ଏବଂ ଏକ ସାହିତ୍ୟ ପୁରସ୍କାର ପାଇଁ ବିଚାରକ ମଣ୍ଡଳୀରେ ଅଛି ତେବେ ମୋର ଭୋଟ ଜଣେ କବିତା ବହି ସପକ୍ଷରେ ଯିବା ସ୍ବାଭାବିକ, ମୁଁ ଯଦି ଜଣେ ଗାଳ୍ପିକ ମୋ ଭୋଟ ଗୋଟେ ଗପବହି ସପକ୍ଷରେ ଯିବା ସ୍ବାଭାବିକ। ମୁଁ ଯଦି ଜଣେ ଓଡ଼ିଆ ନିଶ୍ଚିତ ଭାବେ ଗୋଟେ ଓଡ଼ିଆ ଲେଖକ ପ୍ରତି ମୋର କୋମଳ ବିଚାର ରହିବା ସ୍ବାଭାବିକ । ମୁଁ ଯଦି ଜଣେ ମାଲୟାଲମ ତେବେ ଦକ୍ଷିଣୀ ଭାଷା ସପକ୍ଷରେ ଭୋଟ ଦେବା ସ୍ବାଭାବିକ। ମୁଁ ଯଦି ଜଣେ ମହିଳା ତେବେ ମହିଳାଙ୍କ ସପକ୍ଷରେ ମତ ଦେବା ଅସ୍ବାଭାବିକ ନୁହେଁ। ମୁଁ ଯଦି ଜଣେ କିନ୍ନର ତେବେ କିନ୍ନରଙ୍କ ଦାବି ପାଇଁ ମୁଁ ଯୁକ୍ତି କରିବା ସ୍ବାଭାବିକ। ତେଣୁ ଏସବୁ ଭୂମିକାରେ ସମ୍ପୂର୍ଣ୍ଣ ନିରପେକ୍ଷତା କେବଳ ସେହି ଲୋକ ପକ୍ଷରେ ସମ୍ଭବ; ଯାହାର ବ୍ୟକ୍ତିଗତ ପକ୍ଷପାତ ପାଇଁ ଭିତ୍ତି ହିଁ ନ ଥିବ। ଅଧିକାଂଶ ଗଣମାଧ୍ୟମ ଓ ତା’ର ପ୍ରତିନିଧି ଆଜି ଯେହେତୁ ନିର୍ଦ୍ଦିଷ୍ଟ ଭିତ୍ତିଭୂମି ଉପରେ ଦଣ୍ଡାୟମାନ ଏବଂ ତାଙ୍କର ନିଜସ୍ବ ଦୃଷ୍ଟିକୋଣ ଦ୍ୱାରା ପ୍ରଭାବିତ ତେଣୁ ତାହା ନିରପେକ୍ଷ ବୋଲି ଦାବି କରିବା ଗ୍ରହଣୀୟ ନୁହେଁ। ଦ୍ୱିତୀୟ କଥା ହେଲା ସତ୍ୟସନ୍ଧାନ। ଆମେ ସେଇ ସତ୍ୟକୁ ସବୁବେଳେ ଖୋଜିଥାଉ, ଯାହା ଆମକୁ ସହାୟ ହେବ ବା ଆମ ଉଦ୍ଦେଶ୍ୟକୁ ଚରିତାର୍ଥ କରିବ। ତାହା ଅର୍ଦ୍ଧସତ୍ୟ, ଅସତ୍ୟ ହେଲେ ବି ଚଳିବ। ମାତ୍ର ଯେଉଁ ସତ୍ୟ ଆମ ଦୃଷ୍ଟିକୋଣକୁ ଆଗେଇ ନେଇ ପାରେନା ଆମେ କେବେ ତାକୁ ସାଥିରେ ଧରି ବୁଲି ନ ଥାଉ। ପ୍ରକୃତ ଚଷମାଟିଏ ପିନ୍ଧିଲେ ଆମକୁ ପ୍ରକୃତ ଜିନିଷ ଦିଶିବ। ଅପ୍ରାକୃତ ଚଷମାଟିଏ ପିନ୍ଧିଲେ ଜିନିଷସବୁ ଅପ୍ରାକୃତ ଦିଶିବ। ନିଜ ଆଖି ମାପର ଚଷମା ନ ପିନ୍ଧିଲେ ଖାଲଢିପ ଜାଣି ନ ପାରି ଝୁଣ୍ଟି ହେବା। ବେଳକାଳ ଜାଣି ନ ପାରି ରାତିରେ କଳାଚଷମା ବା ଦିନରେ ହଳଦିଆ ଚଷମା ପିନ୍ଧିଲେ ଆହୁରି ବିପଦ। ତେଣୁ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟରେ ଥିଲାବେଳେ ଠିକ୍‌ ମାପର ଓ ଠିକ୍‌ ରଙ୍ଗର ଚଷମା ନ ପିନ୍ଧିଲେ ଠିକ୍‌ ଭାବେ ଦାୟିତ୍ୱ ନିର୍ବାହ କରି ହୁଏନା। ଏହା ଜଣ ଓ ଗଣ ଉଭୟଙ୍କ ପାଇଁ ପ୍ରଯୁଜ୍ୟ।
ନିର୍ଦ୍ଦେଶକ, ସଂସ୍କୃତି ବିଭାଗ
ମୋ- ୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri