Posted inଖେଳ

ରଣଜୀ ଟ୍ରଫି : ଗୋବିନ୍ଦଙ୍କ ଶତକ ସତ୍ତ୍ୱେ ଓଡ଼ିଶା ପରାସ୍ତ

କଟକ ଅଫିସ,୮ା୨-
ମହାରାଷ୍ଟ୍ରର ନାଗୋଥାନେସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଶେଷ ହୋଇଥିବା ମହାରାଷ୍ଟ୍ର ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ପରାସ୍ତ ହୋଇଛି। ୪ର୍ଥ ଦିବସ ଅନ୍ତିମ ସେସନ୍‌ରେ ବ୍ୟାଟିଂ ବିପର୍ଯ୍ୟୟ ଦଳ ପାଇଁ ମହଙ୍ଗା ପଡ଼ିଛି। ଗୋବିନ୍ଦ ପୋଦ୍ଦାରଙ୍କ ଶତକ ସହାୟତାରେ ଓଡ଼ିଶା ମ୍ୟାଚକୁ ଡ୍ର ରଖିବା ସମ୍ଭାବନା ସୃଷ୍ଟି କରିଥିଲେ ହେଁ ଶେଷରେ ୧୦ ଉଇକେଟରେ ହାରିଛି। ପରାଜୟ ସହିତ ଓଡ଼ିଶା ଏଲିଟ ଗ୍ରୁପ-ସି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଖସିଛି। ୮ଟି ମ୍ୟାଚ୍‌ରୁ ୩୫ ପଏଣ୍ଟ ସଂଗ୍ରହ କରିଛି ଓଡ଼ିଶା। ମହାରାଷ୍ଟ୍ର ୨୮ ପଏଣ୍ଟ ପାଇଁ ୫ମ ସ୍ଥାନରେ ଥିବା ବେଳେ ଜମ୍ମୁ-କଶ୍ମୀର ୩୯ ପଏଣ୍ଟ ସହ ଗ୍ରୁପ ଶୀର୍ଷରେ ରହିଛି। ଆସନ୍ତା ୧୨ରୁ ବାରବାଟୀ ଷ୍ଟାଡିୟମରେ ଝାଡ଼ଖଣ୍ଡ ବିପକ୍ଷରେ ଓଡ଼ିଶା ଲିଗ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ ଖେଳିବ।
ଓଡ଼ିଶା ପ୍ରଥମ ଇନିଂସରେ ୨୯୩ରନରେ ଅଲଆଉଟ ହେବା ପରେ ମହାରାଷ୍ଟ୍ର ୫ ଉଇକେଟ ହରାଇ ୫୪୩ରନ କରି ପ୍ରଥମ ଇନିଂସ ଘୋଷଣା କରିଥିଲା। ଅଧିନାୟକ ଅଙ୍କିତ ବାୱନେ ଅପରାଜିତ ୨୦୪ରନର ଦ୍ୱିଶତକୀୟ ଇନିଂସ ଖେଳିଥିଲେ। ଗୁରୁବାର ଷ୍ଟମ୍ପ ଅପସାରଣ ସୁଦ୍ଧା ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଓଡ଼ିଶା ୧୧ ଓଭର ଖେଳି ୨୪ରନ କରିଥିଲା। ଓପନର ଶାନ୍ତନୁ ମିଶ୍ର ୧୪ ଓ ଅନୁରାଗ ଷଡ଼ଙ୍ଗୀ ୧୦ରନରେ ଅପରାଜିତ ଥିଲେ। ୨୨୬ରନ ପଛରେ ଥିବା ଓଡ଼ିଶା ଚତୁର୍ଥ ଦିବସରେ ରକ୍ଷଣାତ୍ମକ ଶୈଳୀରେ ବ୍ୟାଟିଂ କରିବା ସହ ମ୍ୟାଚ୍‌କୁ ଡ୍ର ରଖିବା ପାଇଁ ଚେଷ୍ଟା କରିଥିଲା। ତେବେ ଶୁକ୍ରବାର ଖେଳ ଆରମ୍ଭର ଦ୍ୱିତୀୟ ଓଭରରେ ଓପନର ଶାନ୍ତନୁ ୨୧ରନରେ ଆଉଟ ହୋଇଥିଲେ। ଚଳିତ ସିଜନରେ ବ୍ୟାଟିଂ ପ୍ରଦର୍ଶନକୁ ନେଇ ସଂଘର୍ଷ କରୁଥିବା ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ। ସେ ୧୨ରନରେ ଆଉଟ ହୋଇଥିଲେ। ୫୯ରନରେ ୨ଟି ଉଇକେଟ ହରାଇଥିବା ଓଡ଼ିଶା ୩ୟ ଉଇକେଟ ଭାଗିଦାରୀରେ ୯୪ରନ ସଂଗ୍ରହ କରିଥିଲା। ଅନୁରାଗ ଓ ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ୧୧୫ବଲରୁ ୫୦ରନ କରିଥିବା ଅନୁରାଗ ୭୩ରନ କରି ଆଉଟ ହୋଇଥିଲେ। ଅନୁରାଗଙ୍କ ଉଇକେଟ ଦଖଲ ମହାରାଷ୍ଟ୍ର ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା। ୩ୟ ଉଇକେଟ ପତନ ସମୟରେ ୪୨ରନ କରିଥିବା ଗୋବିନ୍ଦ ଗୋଟିଏ ପାର୍ଶ୍ୱରୁ ଚମତ୍କାର ବ୍ୟାଟିଂ ଜାରି ରଖିଥିଲେ। ହେଲେ ମଧ୍ୟକ୍ରମର ବ୍ୟାଟିଂ ବିଫଳତା ଯୋଗୁଁ ଓଡ଼ିଶା ପରାଜୟର ସମ୍ମୁଖୀନ ହୋଇଥିଲା। ବିପ୍ଳବ ସାମନ୍ତରାୟ ୧୯, ଅଭିଷେକ ରାଉତ ୨୩, ରାଜେଶ ଧୂପର ୦, ଦେବବ୍ରତ ପ୍ରଧାନ ୧, ସୂର୍ଯ୍ୟକାନ୍ତ ପ୍ରଧାନ ୬, ରାଜେଶ ମହାନ୍ତି ୦ରେ ଆଉଟ ହୋଇଥିଲେ। ୯୨ବଲରୁ ୫୦ରନ ପୂରଣ କରିବା ପରେ ୧୮୭ବଲରୁ ୧୧୮ରନ କରି ଗୋବିନ୍ଦ ୯ମ ବ୍ୟାଟ୍ସମ୍ୟାନ ଭାବେ ପ୍ୟାଭିଲିୟନ ଫେରିଥିଲେ। ଦ୍ୱିତୀୟ ଇନିଂସରେ ଓଡ଼ିଶା ୨୮୯ରନରେ ଅଲଆଉଟ ହେବା ଫଳରେ ମହାରାଷ୍ଟ୍ର ସମ୍ମୁଖରେ ୪୦ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମହାରାଷ୍ଟ୍ର ପକ୍ଷରୁ ମୁକେଶ ଚୌଧୁରୀ ୪ଟି ଉଇକେଟ ଅକ୍ତିଆର କରିଥିବା ବେଳେ ଅଶୟ ପାଲକାର ଓ ସତ୍ୟଜିତ ବଚାଭଙ୍କୁ ୩ଟି ଲେଖାଏ ଉଇକେଟ ମିଳିଥିଲା। ଅଧିନାୟକ ଅଙ୍କିତ(୧୪ରନ) ଓ ରାହୁଲ ତ୍ରିପାଠୀ(୨୧ରନ) ଅପରାଜିତ ରହି ଦଳକୁ ଜିତାଇଥିଲେ।
ଅନ୍ତିମ ସେସନ୍‌ରେ ବାଜି ପଲଟିଲା
ମ୍ୟାଚ୍‌ଟି ଡ୍ର ରହିବ ବୋଲି ଅନୁମାନ କରାଯାଉଥିଲା। ୩ ଉଇକେଟ ହରାଇ ଓଡ଼ିଶା ୧୯୦ରନ କରିଥିବା ବେଳେ ଗୋବିନ୍ଦ ୫୯ରନ ଓ ବିପ୍ଳବ ୧୮ରନରେ ଅପରାଜିତ ଥାନ୍ତି। ହେଲେ ଅନ୍ତିମ ସେସନ୍‌ରେ ବଳକା ୯୬ରନରେ ଓଡ଼ିଶା ୭ଟି ଉଇକେଟ ହରାଇଥିଲା। ଯାହା ଫଳରେ ମ୍ୟାଚ୍‌ ସମ୍ପୂର୍ଣ୍ଣ ଭାବେ ମହାରାଷ୍ଟ୍ର ହାତକୁ ଚାଲି ଯାଇଥିଲା।
ମହାରାଷ୍ଟ୍ରର ବାଉନ୍ସ ଟ୍ରିକ୍‌
ଦ୍ୱିତୀୟ ଇନିଂସରେ ଓଡ଼ିଶା ପକ୍ଷରୁ ସର୍ବାଧିକ ରନ୍‌ କରିଥିବା ଦୁଇ ବ୍ୟାଟ୍ସମ୍ୟାନ ଅନୁରାଗ ଓ ଗୋବିନ୍ଦ ମହାରାଷ୍ଟ୍ର ପେସ୍‌ ବୋଲର ମୁକେଶ ଚୌଧୁରୀଙ୍କ ବାଉନ୍ସର ବଲରେ ଆଉଟ ହୋଇଥିଲେ। ଉଭୟଙ୍କୁ ଆଉଟ କରିବା ପାଇଁ ମହାରାଷ୍ଟ୍ର ପେସ ବୋଲରମାନେ ବାରମ୍ବାର ବାଉନ୍ସର ପକାଉଥିବା ଦେଖିବାକୁ ମିଳିଥିଲା। ଏଠାରେ କ୍ୟାରିୟରର ୮ମ ଶତକ ହାସଲ କରିଥିବା ଗୋବିନ୍ଦ ମଧ୍ୟ ଅନେକ ବାଉନ୍ସର ବଲକୁ ସଫଳତାର ସହ ସମ୍ମୁଖୀନ ହେବା ପରେ ଶେଷରେ କ୍ୟାଚ୍‌ ଆଉଟ ହୋଇଥିଲେ।
ବୋନସ ପଏଣ୍ଟ ପାଇଁ ସଂଘର୍ଷ
ଏହି ମ୍ୟାଚ୍‌କୁ ୧୦ଉଇକେଟରେ ଜିତି ମହାରାଷ୍ଟ୍ର ବୋନସ ପଏଣ୍ଟ ହାସଲ କରିଛି। ବଳକା ୧୨ ଓଭର ଖେଳରୁ ବିଜୟୀ ପାଇଁ ଦଳକୁ ୪୦ରନ ଆବଶ୍ୟକ ଥିଲା। ଅଧିନାୟକ ଅଙ୍କିତ ଓ ଆଇପିଏଲ ତାରକା ଖେଳାଳି ରାହୁଲ ତ୍ରିପାଠୀ କ୍ରିଜକୁ ଆସିଥିଲେ। କୌଣସି ଉଇକେଟ ନ ହରାଇ ବିଜୟ ଲକ୍ଷ୍ୟ ହାସଲ କରିବା ପାଇଁ ଦଳ ସଂଘର୍ଷ କରିଥିବା ଦେଖିବାକୁ ମିଳିଥିଲା। ଏପରିକି ଷ୍ଟମ୍ପ ଅପସାରଣ ହେବାର ଗୋଟିଏ ଓଭର ପୂର୍ବରୁ ମହାରାଷ୍ଟ୍ର ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି

ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri