ରହସ୍ୟଜନକ ଅଦଳବଦଳ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
କୋଇଲା ସଚିବ ସୁମନ୍ତ ଚୌଧୁରୀଙ୍କ ସ୍ଥାନରେ ଏ.କେ. ଜୈନଙ୍କ ନିଯୁକ୍ତିକୁ ନେଇ କ୍ଷମତା ଅଳିନ୍ଦରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ଏଥିରେ ଗୋଟିଏ ଅବୁଝା ରହସ୍ୟ ହେଉଛି ଚୌଧୁରୀଙ୍କ ସ୍ଥାନରେ ଜୈନଙ୍କ ନିଯୁକ୍ତି ଆଦେଶନାମାରେ ଚୌଧୁରୀଙ୍କ ଭବିଷ୍ୟତକୁ ନେଇ କିଛି କୁହାଯାଇ ନାହିଁ। ତାଙ୍କୁ ତାଙ୍କ ରାଜ୍ୟ ପଶ୍ଚିମବଙ୍ଗକୁ ଫେରାଇ ଦିଆଯାଇ ନାହିଁ କିମ୍ବା କେନ୍ଦ୍ରରେ ଅନ୍ୟ ମନ୍ତ୍ରଣାଳୟ ବା ବିଭାଗରେ ନିଯୁକ୍ତି ଦିଆଯାଇ ନାହିଁ। ଅନ୍ୟତ୍ର ନିଯୁକ୍ତି ପାଇଁ ଚୌଧୁରୀ ଅପେକ୍ଷମାଣ ତାଲିକାରେ ଅଛନ୍ତି ବୋଲି ମଧ୍ୟ ଉକ୍ତ ଆଦେଶନାମାରେ କୁହାଯାଇ ନାହିଁ। ଜୈନଙ୍କ ନିଯୁକ୍ତିର ସମୟକୁ ନେଇ ମଧ୍ୟ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି, କାରଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ଥିବା ସମୟରେ ହିଁ ଏହି ଆଦେଶନାମା ପ୍ରକାଶ ପାଇଛି। ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ମଳୟ କୁମାର ଦେଙ୍କ ସ୍ଥାନରେ ନିଯୁକ୍ତି ପାଇବା ଲାଗି ଚୌଧୁରୀଙ୍କୁ ପଶ୍ଚିମବଙ୍ଗ ଫେରାଇଦେବା ଲାଗି ମମତା ଅନୁରୋଧ କରିବେ ବୋଲି କୁହାଯାଉଥିଲା। କିନ୍ତୁ ପଶ୍ଚିମବଙ୍ଗର ବାବୁମାନେ ଏହି ସମ୍ଭାବନାକୁ ଅଗ୍ରାହ୍ୟ କରି କହିଛନ୍ତି ଯେ, ଏ ବିଷୟରେ ଚୌଧୁରୀ କିମ୍ବା ମମତା କେହି ହେଲେ ଆଗ୍ରହ ଦେଖାଇ ନାହାନ୍ତି। ଚୌଧୁରୀଙ୍କ ଅବସର ଆଉ ମାତ୍ର ୧୬ ମାସ ବାକି ଅଛି ଏବଂ ସେ ଆସନ୍ତା ୨୦୨୧ ଜାନୁୟାରୀ ମାସରେ ଅବସର ନେବାର ଅଛି। ଅନ୍ୟ ପକ୍ଷରେ ସାମ୍ପ୍ରତିକ ସମୟରେ କୋଇଲା ମନ୍ତ୍ରଣାଳୟରେ ସଚିବମାନଙ୍କର ଘନ ଘନ ପରିବର୍ତ୍ତନ ଘଟିଛି। ଚୌଧୁରୀ ଏହି ପଦବୀରେ ମାତ୍ର ପ୍ରାୟ ୧୦ ମାସ ରହିଥିଲା ବେଳେ ତାଙ୍କ ପୂର୍ବସୂରି ମାତ୍ର ୫ ମାସ ଏହି ପଦବୀରେ ରହିଥିଲେ।
ଅସନ୍ତୁଷ୍ଟଙ୍କ ସ୍ବର
ହ୍ବିଶିଲ୍‌ବ୍ଲୋୟର ଭାରତୀୟ ବନସେବା ଅଧିକାରୀ ସଞ୍ଜୀବ ଚତୁର୍ବେଦୀ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ ୨୫,୦୦୦ ଟଙ୍କା ଦାନ କରିଛନ୍ତି। ସେ ଏହି ଟଙ୍କା ଏକ ମାମଲାରେ ଜିତି ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ରାୟ ଅନୁସାରେ କେନ୍ଦ୍ର ସରକାରଙ୍କଠାରୁ କ୍ଷତିପୂରଣ ସ୍ବରୂପ ପାଇଥିଲେ। ବିଭିନ୍ନ କର୍ତ୍ତୃପକ୍ଷଙ୍କ ଦ୍ୱାରା ହଇରାଣ ହରକତର ଶିକାର ହୋଇଥିବା ଚତୁର୍ବେଦୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ପ୍ରସ୍ତାବ ଦେଇଛନ୍ତି ଯେ, ଅସାଧୁ ଅଫିସରମାନଙ୍କ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ଶିକାର ହେଉଥିବା ସଚ୍ଚୋଟ ଅଫିସରମାନଙ୍କ ସାହାଯ୍ୟାର୍ଥେ ଏକ ପାଣ୍ଠି ଗଠନ କରାଯିବା ଆବଶ୍ୟକ। ସେ ଏହି ଚିଠିରେ ସର୍ଦ୍ଦାର ପଟେଲଙ୍କ ଏକ ମନ୍ତବ୍ୟ ଉଦ୍ଧାର କରିଛନ୍ତି- ”ଏକ ଐକ୍ୟବଦ୍ଧ ଭାରତର ସ୍ବପ୍ନ ସୁଦୂରପରାହତ ହୋଇ ରହିଯିବ, ଯଦି ଭାରତରେ ସ୍ବାଧୀନ ମତ ପୋଷଣ କରୁଥିବା ସର୍ବଭାରତୀୟ ସେବା ଅଧିକାରୀ ନ ରହିବେ।“ ୨୦୧୨ ରମଣ ମାଗ୍‌ସେସେ ପୁରସ୍କାର ଲାଭ କରିଥିବା ଚତୁର୍ବେଦୀ ବର୍ତ୍ତମାନ ଉତ୍ତରାଖଣ୍ଡର ହଲ୍‌ଦଓ୍ବାନିଠାରେ ବନ ସଂରକ୍ଷକ (ଗବେଷଣା) ଭାବେ ଅବସ୍ଥାପିତ ଅଛନ୍ତି। ଅତୀତରେ ରମଣ ମାଗ୍‌ସେସେ ପୁରସ୍କାର ବାବଦକୁ ପାଇଥିବା ଅର୍ଥକୁ ମଧ୍ୟ ସେ ଦାନ କରିଦେଇଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚତୁର୍ବେଦୀଙ୍କ ଦାନ ମନୋଭାବକୁ ପ୍ରଶଂସା କରିଥିବା ବେଳେ ତାଙ୍କ ପ୍ରସ୍ତାବ ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥିବା ଜଣାପଡ଼ିଛି।
ମମତାଙ୍କ ଅନୁଗତଙ୍କୁ ଝଟକା
ପୂର୍ବତନ କୋଲକାତା ପୋଲିସ ମୁଖ୍ୟ ରାଜୀବ କୁମାର ତୃଣମୂଳ କଂଗ୍ରେସ-ଶାସିତ ପଶ୍ଚିମବଙ୍ଗର ଏକମାତ୍ର ବରିଷ୍ଠ ଅଧିକାରୀ ନୁହନ୍ତି, ଯିଏ ସିବିଆଇ ଜାଲରେ ଫସିଛନ୍ତି। ରାଜୀବ କୁମାର କୁଖ୍ୟାତ ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତିରେ ଜଡ଼ିତ ଥିବା ନେଇ ତଦନ୍ତର ସମ୍ମୁଖୀନ ହୋଇଥିବା ବେଳେ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ଏସ୍‌.କେ. ପୁର୍‌କାୟସ୍ଥ ଓ ବରିଷ୍ଠ ଆଇଏଏସ୍‌ ଅଫିସର ଅତ୍ରି ଭଟ୍ଟାଚାର୍ଯ୍ୟଙ୍କ ନାମ ମଧ୍ୟ ସିବିଆଇ ତାଲିକାରେ ରହିଛି। ସିବିଆଇ ବ୍ୟତୀତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଏକ ରାଜ୍ୟ ସରକାରଙ୍କ କମ୍ପାନୀର ପୁଞ୍ଜି ବିନିବେଶ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରମୁଖ ସଚିବ ଗୌତମ ସାନ୍ୟାଲଙ୍କ ବିରୋଧରେ ତଦନ୍ତ କରୁଛି। ତେବେ ଉକ୍ତ ଚାରିଜଣ ବାବୁଙ୍କ ମଧ୍ୟରେ ଗୋଟିଏ ସାଧାରଣ କଥା ହେଉଛି, ଏମାନେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ଅନୁଗତ ଭାବେ ଜଣାଶୁଣା। ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ ଓ ଅନୁଗତ ଭାବେ ଏମାନେ ପ୍ରଭୂତ କ୍ଷମତା ଓ କର୍ତ୍ତୃତ୍ୱର ଅଧିକାରୀ ଥିଲେ। ଆର୍ଥିକ ଅନିୟମିତତା ଓ କ୍ଷମତାର ଦୁରୁପଯୋଗକୁ ନେଇ ଉକ୍ତ ବାବୁମାନଙ୍କ ବିରୋଧରେ ଚାଲିଥିବା ତଦନ୍ତକୁ କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାଗୁଡ଼ିକର ନିୟମିତ ତଦନ୍ତ କାର୍ଯ୍ୟକ୍ରମର ଅଂଶ ବୋଲି କହୁଥିବା ବେଳେ ରାଜ୍ୟ ସରକାର ଭାବୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଘୋର ବିରୋଧୀ ହୋଇଥିବାରୁ ତାଙ୍କ ସରକାରକୁ ଅଡ଼ୁଆରେ ପକାଇବା ପାଇଁ କେନ୍ଦ୍ର ସରକାର ଉଦ୍ଦେଶ୍ୟମୂଳକ ଭାବେ ଏହିସବୁ ତଦନ୍ତ କରାଉଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri