ଚେନ୍ନାଇ,୨୮-୪: ରାଜନୀତିରେ ପ୍ରବେଶ କରିବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଆର୍ବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ। ସେ ଜଣେ ଶିକ୍ଷାବିତ ଭାବେ ନିଜର ଦାୟିତ୍ୱ ତୁଲାଇବାକୁ ପସନ୍ଦ କରିବେ। ରାଜନୀତି ପ୍ରତି ତାଙ୍କର କୌଣସି ଆଗ୍ରହ ନାହିଁ ବୋଲି ଉଲ୍ଲେଖ କରି ରାଜନ କହିଛନ୍ତି ଯେ, ରାଜନୀତିକୁ ଆସିଲେ ତାଙ୍କୁ ଛାଡ଼ି ଦେବେ ବୋଲି ସ୍ତ୍ରୀ ଚେତାବନୀ ଶୁଣାଇ ସାରିଛନ୍ତି। ସିକାଗୋ ୟୁନିଭର୍ସିଟିର ବୁଥ ସ୍କୁଲ୍ ଅଫ୍ ବିଜନେସରେ ଫ୍ରଫେସର ଥିବା ପୂର୍ବତନ ଗଭର୍ନର କହିଥିଲେ ଯେ, ଭାରତରେ ଭଲ ଅବସର ମିଳିଲେ ସେ କାମ କରିବାକୁ ଆଗ୍ରହୀ।
ଭଲ୍ ଅବସର କହିଲେ କ’ଣ ବୁଝାଇବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ ହେବାରୁ ସେ କହିଥିଲେ ଯେ, ଭାରତରେ ତାଙ୍କର କେଉଁଠି ଆବଶ୍ୟକତା ରହିଥିବା ଅନୁଭବ ହେଲେ ସେ ସହାୟତା କରିବାକୁ ପ୍ରସ୍ତୁତ ଅଛନ୍ତି। କେହି ତାଙ୍କର ପରାମର୍ଶ ଲୋଡିଲେ ସେ ଖୁସି ହେବେ ବୋଲି ରାଜନ କହିଛନ୍ତି। ସୂଚନାଥାଉ କି, ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସିଲେ ରାଜନଙ୍କୁ ଅର୍ଥ ମନ୍ତ୍ରୀ କରାଯିବା ନେଇ କଳ୍ପନାଜଳ୍ପନା ହେଉଛି। ସେ କହିଛନ୍ତି ଯେ, ନିର୍ବାଚନ ପରେ କେନ୍ଦ୍ରରେ ବର୍ତ୍ତମାନର ସରକାର ହେଉ ଅଥବା ନୂଆ ସରକାର ଆସୁ ତାଙ୍କ ପାଇଁ ଅର୍ଥନୀତିରେ ବହୁ ଆହ୍ବାନର ସାମ୍ନା କରିବାକୁ ପଡିବ।