ତୁମୁଡ଼ିବନ୍ଧ,୨୬ା୪(ଡି.ଏନ୍.ଏ.)- କୁଟିଆ ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ସରକାର ସ୍ବତନ୍ତ୍ର ଯୋଜନା କରି ଆସୁଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ହେଉ କି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଏହି ସମ୍ପ୍ରଦାୟର ଲୋକଙ୍କ ନିମନ୍ତେ କୌଣସି ମାନଦଣ୍ଡ ନାହିଁ। ତଥାପି କେତେକ ପରିବାର ଏହି ଯୋଜନାରୁ ବଞ୍ଚିତ ହୋଇଥିବା ଦେଖାଯାଇଛି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ବାଟିପଡ଼ା ଗ୍ରାମରେ ୧୦ କୁଟିଆ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ କାର୍ଡ ମିଳି ନ ଥିବା ଜଣାପଡିଛି। ଫଳରେ ଏମାନଙ୍କୁ ପରିବାର ପ୍ରତିପୋଷଣ କରିବା ନିମନ୍ତେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
ବାଟିପଡ଼ାର ଶ୍ରୀକାନ୍ତ ଜାନୀ, ବିପ୍ର ମାଝି, ସାନୁରା ମାଝି, ବଳରାମ ମାଝି, ନବୀନ ମାଝି, ରାଜେନ୍ଦ୍ର ମାଝି, ସରଙ୍ଗୀ ମାଝି, ଉପେନ୍ଦ୍ର ମାଝି, ନିକୁ ମାଝି ଓ ପ୍ରଦନ ମାଝିଙ୍କୁ ରାଶନ କାର୍ଡ ମିଳିନି। ବହୁବାର ଏମାନେ ରାଶନ କାର୍ଡ଼ ପାଇଁ ଆବେଦନ କରିଥିଲେ ମଧ୍ୟ ନିରାଶ ହେବାକୁ ପଡ଼ିଛି। ଓ୍ବାର୍ଡ଼ମେମ୍ବର ତଥା ରାଶନ କାର୍ଡ଼ ପାଇ ନ ଥିବା ବଳରାମ କହିଛନ୍ତି, ଗ୍ରାମରେ କାମଦାମ ନ ଥିଲେ ପରିବାର ଚଳାଇବା କଷ୍ଟକର ହେଉଛି। ୧୦ ପରିବାର ବହୁବାର ରାଶନ କାର୍ଡ ପାଇଁ ଆବେଦନ କରିଛୁ। ହେଲେ ଏ ଯାଏ ପାଇପାରିନୁ। ବେଳେ ବେଳେ କାମ ନ ମିଳିଲେ ପୂରା ପରିବାର ଉପାସ ରହୁଛୁ। ତେଣୁ ତୁରନ୍ତ ଆମମାନଙ୍କୁ ରାଶନ କାର୍ଡ ଦିଆଯାଉ ବୋଲି ସେ କହିଛନ୍ତି। ଏ ନେଇ ବିଡିଓ ଜୟଦେବ ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଅଞ୍ଚଳରେ କେତେ ପରିବାର ରାଶନ କାର୍ଡ ପାଇନାହାନ୍ତି କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ଅଧିକାରୀଙ୍କୁ ରିପୋର୍ଟ ମଗାଯାଇଥିଲା। ସେ ରିପୋର୍ଟ ଦେଇନାହାନ୍ତି। ଖୁବଶୀଘ୍ର ଉକ୍ତ ରିପୋର୍ଟ ମଗାଇ ଗରିବ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ ବୋଲି ବିଡିଓ କହିଛନ୍ତି।