ବଇଣ୍ଡା,୨୧।୧୧(ଡି.ଏନ.ଏ.) ରହୁଛନ୍ତି ଗୋଟିଏ ପଞ୍ଚାୟତରେ। ଭୋଟର ପରିଚୟପତ୍ର ଅଛି ଅନ୍ୟ ପଞ୍ଚାୟତରେ। ଏହି କାରଣରୁ ୧୫ ପରିବାର ହେଉଛନ୍ତି ହଇରାଣ। ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସେମାନେ ସାମିଲ ଥିଲେ ମଧ୍ୟ ଟଙ୍କିକିଆ ଚାଉଳ ଆଣିବାକୁ ସେମାନଙ୍କୁ ୪୦ କିଲୋମିଟର ଦୂର ଯିବାକୁ ପଡ଼ୁଛି। ଏଥିପାଇଁ ୨ଟି ଅଟୋକୁ ଅଧିକ ଟଙ୍କା ଦେବାକୁ ହେଉଛି। ତେଣୁ ରହୁଥିବା ପଞ୍ଚାୟତରେ ସେମାନଙ୍କୁ ମିଶ୍ରଣ କରିବାକୁ ସମ୍ପୃକ୍ତ ପରିବାର ସଦସ୍ୟମାନେ ଶୁକ୍ରବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅଭିଯୋଗପତ୍ରରେ ଦର୍ଶାଯାଇଛି, ଆଠମଲ୍ଲିକ ବ୍ଲକ ସାପଘରା ପଞ୍ଚାୟତ ଲକ୍ଷ୍ମୀପୁର ଅନୁଗୁଳିଆ ସାହିରେ ୧୫ ପରିବାର ବସବାସ କରୁଛନ୍ତି। ହେଲେ ୪୦ କିଲୋମିଟର ଦୂର ଛେଣ୍ଡିପଦା ବ୍ଲକ କତଡା ପଞ୍ଚାୟତର ଭୋଟର ଲିଷ୍ଟରେ ସେମାନଙ୍କ ନାମ ରହିଛି। ତେଣୁ ସମସ୍ତ ସରକାରୀ ଯୋଜନା କତଡା ପଞ୍ଚାୟତରୁ ମିଳୁଛି। ବିଶେଷକରି ଜଙ୍ଗଲାଞ୍ଚଳରେ ରହୁଥିବାରୁ ସରକାରୀ ଯୋଜନା ସେମାନଙ୍କ ନିକଟରେ ଠିକ୍ ଭାବେ ପହଞ୍ଚିପାରୁନାହିଁ। ପ୍ରତ୍ୟେକ ମାସରେ ୧୫ ପରିବାର ରାଶନ ସାମଗ୍ରୀ ପାଇଁ ୪୦ କିଲୋମିଟର ଦୂର କତଡା ପଞ୍ଚାୟତକୁ ଯାଉଛନ୍ତି। ଏଥିପାଇଁ ମାସକୁ ଥରେ ୨ଟି ଅଟୋ ଭଡା କରିବାକୁ ପଡୁଥିବା ଗ୍ରାମବାସୀ କହିଛିନ୍ତି। ତେଣୁ ସେମାନକୁ ସାପଘରା ପଞ୍ଚାୟତରେ ମିଶ୍ରଣ କରିବା ପାଇଁ ସାହିବାସୀ ବହୁବାର ଜିଲାପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ ସୁଫଳ ମିଳୁନାହଁି। ତୁରନ୍ତ ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ନିରଞ୍ଜନ ବେହେରା, ସୁଭଦ୍ରା ନାୟକ, ପ୍ରଫୁଲ୍ଲ ସାହୁ, ପ୍ରମୋଦ ବେହେରା, ବିପିନ ବେହେରା ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ କହିଛନ୍ତି, ସାହିବାସୀଙ୍କ ସମସ୍ୟା ସମାଧାନ ସହ ସାପଘରା ପଞ୍ଚାୟତରେ କିଭଳି ମିଶିବେ ସେ ନେଇ ଜିଲାପ୍ରଶାସନକୁ ଅବଗତ କରାଯିବ।