ବରଗଡ଼ ଅଫିସ୍,୨୯।୩- ଘାତକ କରୋନା ଭୂତାଣୁ(କୋଭିଡ୍-୧୯) ସଂକ୍ରମଣକୁ ପ୍ରତିହତ ପାଇଁ ହୋଇଥିବା ଲକ୍ ଡାଉନ୍ କଟକଣାର ପ୍ରଭାବ ପରିବା ଚାଷୀଙ୍କ ଉପରେ ମଧ୍ୟ ପଡ଼ିଛି । ଚାଷୀମାନେ ନିଜ କିଆରୀରୁ ଅମଳ ପରିବା ବିକ୍ରି ପାଇଁ ବଜାରକୁ ଯାଇପାରୁ ନଥିବାବେଳେ ବାହାରୁ ବେପାରୀମାନେ ମଧ୍ୟ ଚାଷୀଙ୍କ ପାଖକୁ ମଧ୍ୟ ପହଞ୍ଚି ପାରୁ ନାହାନ୍ତି । ମୁଖ୍ୟତଃ ବରଗଡ଼ ଜିଲାର ଉପାନ୍ତ ଅଞ୍ଚଳ ଗୁଡ଼ିକରେ ଏଭଳି ସ୍ଥିତି ଉପୁଜିଛି । ଜିଲାର ଅମ୍ବାଭୋନା ଅଞ୍ଚଳର ଚାଷୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ନଜରକୁ ଆସିଛି । ପରିବା କିଆରୀରେ ଟମାଟର୍, ବନ୍ଧାକୋବି, କଖାରୁ (ମାଖନ) ଆଦି ଅମଳ ହେଉଛି । କିନ୍ତୁ ତାହା ବିକ୍ରି ହୋଇ ପାରୁ ନଥିବା ଚାଷୀମାନେ କହିଛନ୍ତି । ଏଭଳି ସ୍ଥିତିରେ ଶନିବାର ଅଞ୍ଚଳର ଜଣେ ଚାଷୀ ଅମ୍ବାଭୋନା ବ୍ଲକ ବଡ଼ଧରା-ବରା ଛକ ପାଖରେ ଟମାଟର୍ ଢ଼ାଳି ଦେଇଥିବା ଦେଖିବାକୁ ମିଳିଛି।