ପୁରୀ ଅଫିସ,୨୨ା୮: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କୁ ସୁନା ରାହୁରେଖା ଲାଗି କରାଯାଇଛି। ଦଇତାପତି ସେବକମାନେ ରାହୁରେଖା ଲାଗି କରିଛନ୍ତି। ଏଥିପାଇଁ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ୫ ମିନିଟ୍ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସମ୍ପନ୍ନ ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ଏହାପରେ ପାଳିଆ ପୁଷ୍ପାଳକ ସେବକମାନେ ରତ୍ନସିଂହାସନ ଉପରକୁ ଉଠି ଠାକୁରଙ୍କ ଝୋବାକଣ୍ଠି ମଇଲମ କରିଥିଲେ। ଶ୍ରୀଦେବୀ, ଭୁଦେବୀଙ୍କୁ ଖଟଶେଜ ଘରକୁ ବିଜେ କରାଇଥିଲେ। ଶୁଦ୍ଧସୁଆରମାନେ ରତ୍ନସିଂହାସନ ତଳେ ଓଷୁଅ ପ୍ରସ୍ତୁତ କରିଥିଲେ। ବଣିଆମାନେ ସୁନା ରାହୁରେଖାକୁ ସଫା କରି ରଖିଥିଲେ। ଦଇତାପତି ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭୁଙ୍କୁ ରାହୁରେଖା ଲାଗି କରିବା ପାଇଁ ପ୍ରସ୍ତୁତ ହୋଇଥିଲେ। ପାଳିଆ ମେକାପ ରାହୁରେଖାଗୁଡ଼ିିକୁ ପତିମହାପାତ୍ରଙ୍କ ହାତକୁ ବଢାଇଥିଲେ। ସେଗୁଡ଼ିକୁ ପତିମହାପାତ୍ର ସଂସ୍କାର କରି ବଡ଼ବାଡ କ୍ରମରେ ଅର୍ଥାତ୍ ଶ୍ରୀବଳଭଦ୍ରଙ୍କଠାରୁ ଆରମ୍ଭ କରି ତିନିବାଡ଼ର ବାଡ଼ଗ୍ରାହୀ ଦଇତାଙ୍କୁ ପ୍ରଦାନ କରିଥିଲେ। ଏହାପରେ ସମସ୍ତ ଦଇତାପତି ମିଶି ଶୁଦ୍ଧସୁଆରଙ୍କଠାରୁ ଓଷୁଅ ଓ ଚାଙ୍ଗଡ଼ା ମେକାପଙ୍କଠାରୁ ବଇତମ (ସଫା ଛିଣ୍ଡାକନା) ନେଇ ଠାକୁରମାନଙ୍କ ଶ୍ରୀମୁଖରେ ରାହୁରେଖା ଲାଗି କରିଥିଲେ। ପରେ ରତ୍ନସିଂହାସନ ପୋଛା ମରାଯାଇ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ଶ୍ରୀଦେବୀ, ଭୁଦେବୀଙ୍କୁ ଖଟଶେଜ ଘରୁ ଆଣି ରତ୍ନସିଂହାସନରେ ବିଜେ କରାଯିବା ପରେ ଠାକୁରମାନଙ୍କ ମଇଲମ ହୋଇ ବେଶ ବଢିଥିଲା। ମଧ୍ୟାହ୍ନ ଧୂପ ପୂଜା ସରିବା ପରେ ପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା କରିଥିଲେ। ଏହାପରେ ମହାପ୍ରଭୁଙ୍କ ଅନ୍ୟାନ ନୀତି ବଢିଥିଲା। ସନ୍ଧ୍ୟା ୬ଟା ୫ରେ ମହାସ୍ନାନ ସରିବା ପରେ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇଥିଲା।
ସୂଚନାଯୋଗ୍ୟ, ରାହୁରେଖା ହେଉଛି ମହାପ୍ରଭୁଙ୍କ ଶ୍ରୀମୁଖକୁ ଉଦ୍ଭାସିତ କରୁଥିବା ଏକ ସୁବର୍ଣ୍ଣ ଅଳଙ୍କାର। ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନଚିତା ଏବଂ ରାହୁରେଖା ଓଲାଗି ହୋଇଥାଏ। ସପ୍ତାବରଣ କାର୍ଯ୍ୟ ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ରତ୍ନଚିତା ଏବଂ ରାହୁରେଖା ଲାଗି ହେବା ପରେ ଶ୍ରୀଅଙ୍ଗ ସ୍ବୟଂ ସମ୍ପୂର୍ଣ୍ଣ ହୋଇଥାଏ। ଚିତାଲାଗି ଅମାବାସ୍ୟରେ ରତ୍ନ ଚିତା ଓ ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀରେ ରାହୁରେଖା ଲାଗି ହୋଇଥାଏ।