ବାଙ୍ଗାଲୋର,୨୪।୭: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରିଟେଲ ଆର୍ମ ରିଲାଏନ୍ସ ରିଟେଲରେ ନିବେଶ ଲାଗି ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ଆଗ୍ରହ ଦେଖାଇଛି। ଜେଫ୍ ବେଜୋସଙ୍କ ମାଲିକାନାରେ ପରିଚାଳିତ ଆମାଜନ ରିଲାଏନ୍ସ ରିଟେଲରେ ପ୍ରାୟ ୯.୯% ଅଂଶଧନ ହାସଲ କରିବା ନେଇ କଥାବାର୍ତ୍ତା ଜାରି ରଖିଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ରିଲାଏନ୍ସର ଜିଓ ମାର୍ଟରେ ଏକ ଷ୍ଟ୍ରାଟେଜିକ ଅଂଶଧନ ହାସଲ ଲାଗି ଏଭଳି ଆଲୋଚନାରେ ସାମିଲ ହେବାକୁ ଚାହୁଁଥିବା ଶୁଣାଯାଉଛି। ରିଲାଏନ୍ସ ରିଟେଲର ଇ-କମର୍ସ ଭେଞ୍ଚର ହେଉଛି ଜିଓ ମାର୍ଟ। ଏହାକୁ ମେ ମାସରେ ଶୁଭାରମ୍ଭ କରାଯାଇଛି। ଭାରତରେ କାର୍ଯ୍ୟ କରୁଥିବା ଆମାଜନ ଡଟ୍ କମ୍ର ସ୍ଥାନୀୟ ୟୁନିଟ ଏବଂ ଓ୍ବାଲମାର୍ଟ ଇଙ୍କର ଫ୍ଲିପକାର୍ଟ ସହ ଜିଓ ମାର୍ଟ କଡା ଟକ୍କର ଦେବ ବୋଲି ବଜାର ବିଶେଷଜ୍ଞ କୁହନ୍ତି। ସ୍ଥାନୀୟ ଷ୍ଟୋରଗୁଡିକୁ ନିଜ ପ୍ଲାଟଫର୍ମ ସହ ଯୋଡିବା ଲାଗି ଚଳିତ ବର୍ଷ ଆମାଜନ ଯୋଜନା ସମ୍ପର୍କରେ ଘୋଷଣା କରିଥିଲା। ବର୍ତ୍ତମାନ କରୋନା ଯୋଗୁ ବଜାର ପ୍ରଭାବିତ ଥିବାରୁ ଲୋକଙ୍କୁ ଘରେ ସାମଗ୍ରୀ ପହଞ୍ଚାଇବା ଦିଗରେ କମ୍ପାନୀଗୁଡିକ ଅଧିକ ଆଗ୍ରହ ଦେଖାଉଛନ୍ତି। ନୂଆ ଯୋଜନା ନେଇ ଉଭୟ ଆମାଜନ ଏବଂ ରିଲାଏନ୍ସର ପ୍ରତିକ୍ରିୟା ଲୋଡା ଯାଇଥିଲେ ମଧ୍ୟ ଏହା ମିଳିପାରି ନାହିଁ। ବର୍ତ୍ତମାନ ସୁଦ୍ଧା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବିଶ୍ୱର ପ୍ରମୁଖ ନିବେଶକଙ୍କ ଠାରୁ ୨୨ ବିଲିୟନ ଡଲାର ନିବେଶ ଆକୃଷ୍ଟ କରିବାକୁ ସକ୍ଷମ ହୋଇଛି।