ମସ୍କୋ,୬।୧୦: ହୀରା ସର୍ବଦା ମୂଲ୍ୟବାନ ହୋଇଥିବା ବେଳେ ତା’ର ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେବେ ହୀରା ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ରୁଷର ଏକ ଖଣିରୁ ଏବେ ସବୁଠାରୁ ନିଆରା କିସମର ହୀରା ମିଳିଛି। ବିଶ୍ୱରେ କେବେବି ଏମିତି ହୀରା ମିଳି ନ ଥିଲା ବୋଲି କୁହାଯାଉଛି। ଏହାର ବିଶେଷତା ହେଲା ଏହି ହୀରା ଭିତରେ ଆଉ ଏକ ହୀରା ରହିଛି। କୁହାଯାଉଛି କି ଏହି ହୀରାଟି ୮୦ କୋଟି ବର୍ଷ ପୁରୁଣା। ଆଇଏଏନ୍ଏସ୍ର ସୂଚନା ଅନୁଯାୟୀ, ଏହା ସାଇବେରିଆର ଏକ ଖଣିରୁ ମିଳିଛି। ରୁଷର ଖଣି କମ୍ପାନୀ ଅଲରୋସା ପିଜିଏସ୍ସି ଏ ନେଇ ସୂଚନା ଦେଇଛି। ଏହାର ଓଜନ ରହିଛି ୦.୬୨ କ୍ୟାରେଟ। ଏହା ଭିତରେ ଥିବା ହୀରର ଓଜନ ୦.୦୨ କ୍ୟାରେଟ। ଅଲରୋସାର ‘ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟ ଜିଓଲଜିକାଲ ଏଣ୍ଟରପ୍ରାଇଜ୍’ର ଉପନିର୍ଦ୍ଦେଶକ ଓଲୋଗ କୋବଲଚୁକ କହିଛନ୍ତି, ଇତିହାସର ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ଏମିତି ହୀରା କୌଣସି ଖଣିରୁ ମିଳିଥିବା ସୂଚନା ନାହିଁ। ବାସ୍ତବରେ ଏହା ପ୍ରକୃତିର ଏକ ଚମତ୍କାରିତା ବୋଲି ସେ କହିଛନ୍ତି।