ଭୁବନ, ୨୦।୭(ଡି.ଏନ.ଏ.) – ମାତ୍ରାଧିକ ପାଣି ଛଡ଼ାଯିବା କାରଣରୁ ରେଙ୍ଗାଳି ବାମ ଶାଖା କେନାଲର ୨ଟି ସ୍ଥାନରେ ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହୋଇଛି। ଏଥିରେ ବ୍ୟାପକ ଧାନ ଚାଷ ନଷ୍ଟ ହୋଇଥିବାବେଳେ ୨୦ ଏକରରୁ ଊର୍ଦ୍ଧ୍ୱ ଜମି ବାଲିଚର ହୋଇଯାଇଛି।
ଢେଙ୍କାନାଳ ଜିଲା ଭୁବନ ଏନ୍ଏସି ଅନ୍ତର୍ଗତ ଚାଷଜମିର ମଧ୍ୟଭାଗ ଦେଇ ଖନନ କରାଯାଉଛି ରେଙ୍ଗାଳି ବାମ କେନାଲ ଶାଖା। ଏହି କାର୍ଯ୍ୟ ଦୀର୍ଘଦିନ ଧରି ଜାରି ରହିଛି। ବୁଧବାର ଚାଷଜମିକୁ ଜଳସେଚନ ପାଇଁ କେନାଲରେ ପାଣି ଛଡ଼ାଯାଇଥିଲା। ହେଲେ ଅତ୍ୟଧିକ ପାଣି ଆସିବା କାରଣରୁ ମୁକ୍ତାପଶି ଅଞ୍ଚଳ ଦେଇ ଯାଇଥିବା କେନାଲର ୨ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଫଳରେ ଶତାଧିକ ଚାଷୀଙ୍କ ଧାନତଳି ନଷ୍ଟ ହୋଇଯାଇଛି। ଧାନ ରୁଆ ପୂର୍ବରୁ ତଳି ନଷ୍ଟ ଚାଷୀଙ୍କୁ ଚିନ୍ତାରେ ପକାଇଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆ ନ ଗଲେ ବର୍ଷାରେ କେନାଲ ସମ୍ପୂର୍ଣ୍ଣ ଭାଙ୍ଗିଯିବା ଆଶଙ୍କା ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ରେଙ୍ଗାଲି ବାମ କେନାଲ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ଇଂ. ଦୀପକ କୁମାର ବେହେରା କୁହନ୍ତି, କେନାଲରେ ନୂଆ ମାଟି ପଡ଼ିଥିଲା। ଅଧିକ ପାଣି ଆସିବାରୁ ୨ଟି ସ୍ଥାନରେ ବନ୍ଧ ଭାଙ୍ଗିଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି ଆରମ୍ଭ ହୋଇଛି। ୩ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।