ଛତ୍ରପୁର/ସୋରଡ଼ା, ୨୫ା୪(ଡି.ଏନ.ଏ)-ଗଞ୍ଜାମ ଜିଲା ସୋରଡା ବ୍ଲକ ୧୮୨ନଂ. ରେଣ୍ଟି ବୁଥ୍ରେ ଗୁରୁବାର ସାନି ମତଦାନ ହେବ ା ଏଥିପାଇଁ ଜିଲା ପ୍ରଶାସନ ଓ ଗଞ୍ଜାମ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ା ଶାନ୍ତିଶୃଙ୍ଖଳାରେ ମତଦାନ ହେବ। ବୁଧବାର ନିଜେ ଯାଇ ଅନୁଧ୍ୟାନ କରି ଆସିଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ଉକ୍ତ ବୁଥରେ ମାଇକ୍ରୋ ଅବଜର୍ଭର ସହ ୱେବକାଷ୍ଟିଂ ଓ ଭିଡିଓ ଗ୍ରାଫି ବ୍ୟବସ୍ଥା କରାଯାଇଥିବା ଜିଲାପାଳ କହିଛନ୍ତି। ବୁଥଟି ସମ୍ବେଦନଶୀଳ ନ ଥିବାରୁ ଗତ ୧୮ରେ ରେଣ୍ଟି ବୁଥ୍ରେ ମତଦାନ ବେଳେ ଭିଡିଓଗ୍ରାଫି କିମ୍ବା ସିସି କ୍ୟାମେରା ବ୍ୟବସ୍ଥା କରାଯାଇ ନ ଥିଲ। ଏହାର ଫାଇଦା ନେଇ ଇଭିଏମ୍ କଣ୍ଟ୍ରୋଲ ୟୁନିଟ୍ ଭଙ୍ଗାଯାଇଥିଲା। ମତଦାନ ଅଧାରୁ ବନ୍ଦ ରହିଥିଲା ା ଏହି ଘଟଣା ପରେ ସାନି ମତଦାନ ପାଇଁ ଏହି ବୁଥ୍କୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରି ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗୁରୁବାର ସେଠାରେ ଆସିକା ଲୋକସଭା ଓ ସୋରଡା ବିଧାନସଭା ଆସନ ପାଇଁ ସାନି ମତଦାନ ହେବ ା ପୋଲିଂ ଦଳ ବୁଥ୍ରେ ପହଞ୍ଚି ସାରିଥିବା ଜିଲାପାଳ କହିଛନ୍ତି।
ସୂଚନାଯୋଗ୍ୟ, ୧୮ରେ ରେଣ୍ଟି ବୁଥ୍ରେ ଭୋଟ ଚାଲିଥିବା ବେଳେ ଭାଜପା ପ୍ରାର୍ଥୀ ନୀଳମଣି ବିଷୋୟୀ ପହଞ୍ଚି ପ୍ରିଜାଇଡିଂ ଅଫିସରଙ୍କ କାର୍ଯ୍ୟରେ ବାଧା ଦେଇଥିଲେ ା ପରେ ସୋରଡା ବିଧାନସଭା ଆସନ ପାଇଁ ଉଦ୍ଦିଷ୍ଟ ଇଭିଏମ୍ କଣ୍ଟ୍ରୋଲ ୟୁନିଟ୍କୁ ସେ ଭାଙ୍ଗି ଦେଇଥିଲେ ା ଫଳରେ ସେଠାରେ ଭୋଟ ଅଧାରୁ ବନ୍ଦ ହୋଇଯାଇଥିଲା ା ଇଭିଏମ୍ ଭାଙ୍ଗିବା ଘଟଣାରେ ସୋରଡା ପୋଲିସ ଏକ ମାମଲା ରୁଜୁ କରି ନୀଳମଣିଙ୍କୁ ୧୮ ତାରିଖ ରାତିରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତାଙ୍କୁ ସୋରଡା ଜେଲକୁ ପଠାଇ ଦିଆଯାଇଥିଲା ା ଏନେଇ ଏକ ରିପୋର୍ଟ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସିଇଓଙ୍କୁ ପ୍ରଦାନ କରାଯାଇଥିଲା ା ଏହାପରେ ଜିଲାପାଳଙ୍କ ରିପୋର୍ଟକୁ ଆଧାର କରି ଉକ୍ତ ବୁଥ୍ରେ ସାନି ମତଦାନ ପାଇଁ ଘୋଷଣା ହୋଇଥିଲା ା ଅନ୍ୟପକ୍ଷରେ ୧୮ରେ କେତେକ ବୁଥ୍ରେ ଭୋଟ ଗ୍ରହଣ ବେଳେ ରିଗିଂ ହୋଇଥିବା ଅଭିଯୋଗ ନେଇ ନୀଳମଣିଙ୍କ ପକ୍ଷରୁ ସୋରଡା ଥାନାରେ ଦିଆଯାଇଥିବା ଏତଲା ଉପରେ କୌଣସି ମାମଲା ରୁଜୁ ହୋଇନାହିଁ।