ବଲାଙ୍ଗୀର ଅଫିସ,୧୧ା୪: ଗରିବଙ୍କ ଦୁଃଖକୁ ଜଣେ ଗରିବ ହିଁ ଠିକ୍ ଭାବେ ବୁଝିପାରେ। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ବଲାଙ୍ଗୀର ସଦର ବ୍ଲକ ଖୁଜେନପାଲି ଗ୍ରାମ ପଞ୍ଚାୟତ ୧୦ ନମ୍ବର ୱାର୍ଡର ୱାର୍ଡସଭ୍ୟ ତଥା କାମାକ୍ଷୀନଗର ନିବାସୀ ଶିବ ସା (୫୮)। ଶିବ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ଗରିବଙ୍କୁ ସହଯୋଗ କରିବାକୁ ଭୁଲି ନାହାନ୍ତି। ଲକ୍ ଡାଉନ୍ ପାଇଁ ରିକ୍ସା ଚଳାଇବା ବନ୍ଦ କରିଦେଇଥିଲେ। ତେବେ ଗରିବ, ଅସହାୟ ଓ ଭିନ୍ନକ୍ଷମ ହସ୍ପିଟାଲ ଯିବାବେଳେ ଅସୁବିଧା ଭୋଗୁଥିବା ଜାଣିବା ପରେ ଏବେ ସେ ନିଜର ରିକ୍ସା ବାହାର କରିଛନ୍ତି। ଗରିବ ରୋଗୀଙ୍କୁ ହସ୍ପିଟାଲ ନେବା ଆଣିବା କରୁଛନ୍ତି। ଶିବଙ୍କ ପରିବାରରେ ସ୍ତ୍ରୀ, ପୁଅ ଝିଅ ସହ ୯ ଜଣ ସଦସ୍ୟ ଅଛନ୍ତି। ଗରିବୀରେ ରହିଲେ ମଧ୍ୟ ତାଙ୍କ ଭିତରେ ସେବାଭାବ ରହିଛି। ତୁଳସୀନଗରପଡା ଛକ ଠାରେ ନିଜ ରିକ୍ସାକୁ ଲଗାଇ କେବଳ ହସ୍ପିଟାଲ ନେବା ଆଣିବା କରିବେ ବୋଲି ଲୋକଙ୍କୁ ଜଣାଇଛନ୍ତି। ଯିଏ ଯେତେ ଟଙ୍କା ଦେଲା ତାକୁ ସହଜରେ ଗ୍ରହଣ କରିନିଅନ୍ତି ସେ। ଶିବଙ୍କ ଏଭଳି ମାନବିକତା ଓ ସେବା କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।