ଭୁବନେଶ୍ୱର, ୧୦।୧୨(ବ୍ୟୁରୋ):ସହର ହେଉ ବା ଗ୍ରାମାଞ୍ଚଳ, ସବୁଠାରେ ମହିଳା ଓ ଯୁବତୀମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାୟ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ମହିଳା, ଯୁବତୀ ତଥା ବାଳିକାଙ୍କ ସହ ନିର୍ଯାତନା ଓ ପାଶବିକ ଅତ୍ୟାଚାର ହେଉଛି। ନାରୀମାନଙ୍କ ପାଇଁ ସୁରକ୍ଷିତ ପରିବେଶଟିଏ ଗଢ଼ିବା ସମସ୍ତଙ୍କ ଦାୟିତ୍ୱ ହେବା ଉଚିତ। ତେଣୁ ଏହି ପରିପ୍ରେକ୍ଷୀରେ ଲିଙ୍ଗଭିତ୍ତିକ ହିଂସାର ବିଲୋପ ପାଇଁ ଭୁବନେଶ୍ୱର ୟଙ୍ଗ୍ ଅର୍ବାନ୍ ୱିମେନ୍ ଫୋରମ୍ ଆରମ୍ଭ କରିଛି ପୋଷ୍ଟକାର୍ଡ ଅଭିଯାନ। ଏହି କ୍ରମରେ ଫୋରମ୍ ପକ୍ଷରୁ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପୋଷ୍ଟକାର୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରେରଣ କରାଯାଇଛି। ଏହି ଅଭିଯାନରେ ଫୋରମ୍ର ରଚନା ତ୍ରିପାଠୀ, ଲିଜା ବେହେରା, ଏଲ୍.ଉମାବତୀ, ଶୁଭ ସାହୁ ପ୍ରମୁଖ ସାମିଲ ହୋଇଥିଲେ।