କାମାକ୍ଷାନଗର, ୧୫ା୮: ହିନ୍ଦୁ ପୁରାଣ ଶାସ୍ତ୍ରରେ ଘୁମୁରା ନୃତ୍ୟର ସ୍ଥାନ ସ୍ବତନ୍ତ୍ର। ଦୀର୍ଘବର୍ଷ ଧରି ଏହାଶକ୍ତି ଉପାସନାରେ ବ୍ୟବହୃତ ହୋଇ ଆସୁଛି। ଏହାକୁ ରଣବାଦ୍ୟ ଭାବେ ଯୁଦ୍ଧକ୍ଷେତ୍ରରେ ବ୍ୟବହାର କରାଯାଉଥିବା ଇତିହାସରେ ଉଲ୍ଲେଖ ରହିଛି। କେବଳ ଏତିକି ନୁହେଁ, ରାଜରାଜୁଡ଼ା ସମୟରେ ରାଜଦରବାରରେ ପ୍ରଜାଙ୍କ ମନୋରଞ୍ଜନ ପାଇଁ ମଧ୍ୟ ଘୁମୁରା ନୃତ୍ୟ ପରିବେଷଣ କରାଯାଉଥିଲା। ଏହି ଲୋକନୃତ୍ୟରେ ସାମିଲ ହେଉଥିବା କଳାକାରଙ୍କ ବେଶ ପରିପାଟୀ, ବାଦ୍ୟ ଏବଂ ବାଜା ବଜାଇବା ଶୈଳୀ ସବୁ ନିଆରା।
ଯଦିଓ କଳାହାଣ୍ଡି ଜିଲାକୁ ଘୁମୁରାର ଅନ୍ତୁଡ଼ିଶାଳ କୁହାଯାଏ, ତେବେ ଢେଙ୍କାନାଳରେ ମଧ୍ୟ ଏହାର ଛାପ ଦେଖିବାକୁ ମିଳେ। ବିଶେଷ କରି କାମାକ୍ଷାନଗର ଉପଖଣ୍ଡର ବାଇସିଙ୍ଗା, ବାଙ୍ଗୁରା, କାଦୁଆ, ମାଳପୁରା, ଇନ୍ଦିପୁର, ବଡ଼ସୁଅଁାଳ, ଓଡ଼ିଶ, ଅନଳ, ଆମ୍ବବୋଲ, ଗାଙ୍ଗିଯୋଡ଼ି ସମେତ ଅଭ୍ୟନ୍ତରୀଣ ଗ୍ରାମରେ ବାସ କରୁଥିବା ହଜାର ହଜାର ଶବର ପରିବାର ଏହି ପାରମ୍ପରିକ ଲୋକନୃତ୍ୟ ସହିତ ଜଡ଼ିତ।
ବର୍ଷସାରା ମୂଲମଜୁରି ଲାଗି ପେଟ ପୋଷୁଥିବା ଶବରମାନେ ଭାଦ୍ରବ ଆସିଲେ ବେଶ୍ ଉତ୍ସାହୀ ହୋଇପଡ଼ନ୍ତି। କୁମ୍ଭକାର ସମ୍ପ୍ରଦାୟର କୁରାଳ ପଞ୍ଚମୀ, ଗୋପାଳଙ୍କ ଦୋଳ ଉତ୍ସବ, କ୍ଷତ୍ରିୟଙ୍କ ଦଶହରା ଭଳି ଶବର ସମ୍ପ୍ରଦାୟର ଲୋକେ ଗହ୍ମାପୂର୍ଣ୍ଣିମାକୁ ଜାକ୍ଜମକର ସହ ପାଳନ କରିଥାନ୍ତି। ଏହିଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପରେ ଗଁା ଦାଣ୍ଡରେ ଘୁମୁରା ନୃତ୍ୟ ପରିବେଷଣ କରିବା ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି। କେବଳ ଏତିକି ନୁହେଁ, ରାଖୀ ପୂର୍ଣ୍ଣିମାରେ ଶବର ସମ୍ପ୍ରଦାୟର ଲୋକେ ଘରଦ୍ୱାରା ଲିପାପୋଛା କରିବା ସହ ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ନୂଆ ହାଣ୍ଡିରେ ପିଠାପଣା କରି ଆରାଧ୍ୟ ଦେବୀ କମଣ୍ଡେଇ ଠାକୁରାଣୀଙ୍କୁ ଆବାହନ କରିଥାନ୍ତି। ମା’ କମଣ୍ଡେଇ ଶାନ୍ତ ରହିଲେ ଭଲ ଶସ୍ୟ ଉତ୍ପାଦନ ହୁଏ ବୋଲି ବିଶ୍ୱାସ ରହିଛି। ପୁରୁଷମାନେ ଗହ୍ମାପୂର୍ଣ୍ଣିମାଠାରୁ ଜନ୍ମାଷ୍ଟମୀ ଯାଏ ସାହି ସାହି ବୁଲି ଘୁମୁରା ବଜାଇବା ସହ ନୃତ୍ୟ କରିଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥିରେ ସାମିଲ ହୋଇଥାନ୍ତି ପୁରୁଷ ବେଶଧାରୀ ଶବରୁଣୀ। ହେଲେ ପରିବର୍ତ୍ତିତ ସମୟରେ ହାତଗଣତି କଳାକାରଙ୍କୁ ବାଦ୍ଦେଲେ ଏହି ପୁରାତନ ଲୋକକଳା ପ୍ରଦର୍ଶନ କରିବାକୁ କେହି ଆଗ୍ରହୀ ହେଉନାହାନ୍ତି। କଁା ଭଁା ଛାଡ଼ିଦେଲେ ଆଗଭଳି ଆଉ ଏପରି ଉତ୍ସବ ଦେଖିବାକୁ ମିଳୁନାହିଁ। ପ୍ରୋତ୍ସାହନ ହେଉ କ ଇଚ୍ଛାଶକ୍ତିର ଅଭାବ, ପିଢ଼ି ପିଢ଼ି ଧରି ପ୍ରଚଳିତ ଘୁମୁରା ନୃତ୍ୟ ଏବେ ଜିଲାରେ ଶେଷ ନିଃଶ୍ୱାସ ନେଉଛି।
(ସୁଧୀର କୁମାର ପରିଡ଼ା)