ଶିଶୁମାନେ ହିଁ ଦେଶ ତଥା ବିଶ୍ୱର ଭବିଷ୍ୟତ। ଏଣୁ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇ ପ୍ରତି ବର୍ଷ ଜୁନ୍ ୧୨ରେ ସାରା ବିଶ୍ୱରେ ଆନ୍ତର୍ଜାତିକ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। ୨୦୦୨ରେ ଆନ୍ତର୍ଜାତିକ ଶ୍ରମ ସଂଗଠନ(ଆଇଏଲଓ) ଦ୍ୱାରା ପ୍ରଥମେ ଆନ୍ତର୍ଜାତିକ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଇଥିଲା। ଶିଶୁର ବଞ୍ଚିବାର ଅଧିକାର, ଶିକ୍ଷା ଅଧିକାର ଓ ନିଜର ମତାମତ ପ୍ରକାଶ କରିବାର ଅଧିକାର ,ନିରାପତ୍ତା ଅଧିକାର ଉପରେ ଗୁରୁତ୍ୱ ଦେବା ସହ ତାକୁ ଏକ ଉତ୍ତମ ନାଗରିକ ରୂପେ ଗଢି ତୋଳିବା ଏହି ଦିବସର ଉଦ୍ଦେଶ୍ୟ। ଉକ୍ତ ଦିବସରେ ଶିଶୁ ଶ୍ରମିକଙ୍କ ଉପରେ ହେଉଥିତ୍ବା ନିର୍ଯାତନା ବିରୋଧରେ ସଚେତନତା ସୃଷ୍ଟି କରାଯାଇଥାଏ। ଶିଶୁ ଶ୍ରମିିକ ନିରୋଧୀ ଆଇନ ଥାଇ ବି ଆମ ଦେଶରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ରହିଛିି ା ଆଇନକୁ ଉଲ୍ଲଂଘନ କରି ଶିଶୁ ଶ୍ରମିକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଉଛି। ଫଳରେ ସେମାନେ ଶୋଷଣ ଓ ନିର୍ଯାତନାର ଶିକାର ହେଉଛନ୍ତି ା ସେମାନଙ୍କୁ ବାହାରକୁ ଚାଲାଣ କରାଯାଉଛି। ଅନେକେ ମଧ୍ୟ ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ଜାତିସଂଘ ହିସାବ ମୁତାବକ ସମଗ୍ର ବିଶ୍ୱରେ ୧୫.୨ କୋଟି ଶିଶୁ ଶ୍ରମିକଙ୍କ ମଧ୍ୟରୁ ୭.୨ କୋଟି ଅତି କଠିନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୧ ପ୍ରତିଶତ କୃଷି କ୍ଷେତ୍ରରେ,୧୭ ପ୍ରତିଶତ ସର୍ଭିସ କ୍ଷେତ୍ରରେ ଏବଂ ୧୨ ପ୍ରତିଶତ ଖଣି ସମେତ ବିଭିନ୍ନ ଶିଳ୍ପ କ୍ଷେତ୍ରରେ କାମ କରୁଛନ୍ତି। ଆମ ଦେଶରେ ୧ କୋଟିରୁ ଊର୍ଦ୍ଧ୍ୱ ଶିଶୁ ଶ୍ରମିକ ରହିଛନ୍ତି। ଦାରିଦ୍ର୍ୟ ହିଁ ଜନ୍ମ ଦେଉଛି ଶିଶୁ ଶ୍ରମିକ। ଅର୍ଥାତ୍ ଦାରିଦ୍ର୍ୟ ଦୂର ନ ହେଲେ କୌଣସି ଆଇନ କିମ୍ବା ଯୋଜନାରୁ ସୁଫଳ ମିଳିବ ନାହିଁ। ଦାରିଦ୍ର୍ୟ, କ୍ଷୁଧା ଓ ରୋଗ ଦୂରୀକରଣ ପାଇଁ ଜାତିସଂଘର ସହସ୍ରାବ୍ଦୀ ଲକ୍ଷ୍ୟ ଏଯାବତ ପୂରଣ ହୋଇପାରି ନ ଥିବାରୁ ଶିଶୁ ଶ୍ରମିକକୁ ରୋକିବା କଷ୍ଟକର ହୋଇପଡିଛି। ଦାରିଦ୍ର୍ୟ ଯୋଗୁ ଅନେକ ଶିଶୁ ଅଧାରୁ ପାଠ ଛାଡି ଶିଶୁଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଶିଶୁ ଶ୍ରମିକ ନିରୋଧ ଆଇନ କାର୍ଯ୍ୟକାରୀ କରିବାରେ ମାନସିକତାର ଅଭାବ ହିଁ ଏହାର ମୁଖ୍ୟ କାରଣ। ସମ୍ପ୍ରତି ଚିନ୍ତା କରିବାର ସମୟ ଆସିଛି ା ବିଶେଷକରି ମହାମାରୀ କରୋନା ଯୋଗୁ ଦାରିଦ୍ର୍ୟ ବୃଦ୍ଧି ପାଇବା ସହ ଲକ୍ଷ ଲକ୍ଷ ଅସହାୟ ଶିଶୁ ଶ୍ରମିକ ପାଲଟିବେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। କୋଭିଡ-୧୯ ମହାମାରୀ ସମୟରେ ଏବେ ଶିଶୁ ଶ୍ରମିକଙ୍କ ସୁରକ୍ଷା ଉପରେ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି, ଯାହା ଉପରେ ଆନ୍ତର୍ଜାତିକ ଶିଶୁ ଶ୍ରମିକ ନିରୋଧ ଦିବସ, ୨୦୨୦ ଅଧିକ ଧ୍ୟାନ ଦେଇଛି।