ମ୍ୟୁନିକ୍, ୩୦।୫(ପି.ଟି.)- ଦେଶର ୭ମ ଶୁଟର ଭାବେ ମନୁ ଭାକର ୨୦୨୦ ଟୋକିଓ ଅଲିମ୍ପିକ୍କୁ ଯୋଗ୍ୟତା ଅର୍ଜନ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଠାରେ ଚାଲିଥିବା ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ର ୧୦ ମିଟର ମହିଳା ଏୟାର ପିସ୍ତଲ ଇଭେଣ୍ଟରେ ୧୭ ବର୍ଷୀୟା ମନୁ ୪ର୍ଥ ସ୍ଥାନରେ ରହି ଅଲିମ୍ପିକ୍ ଟିକେଟ୍ ପାଇଛନ୍ତି। ଏହି ଇଭେଣ୍ଟର ଫାଇନାଲରେ ମନୁ ୨୦୧.୦ ସ୍କୋର କରି ୪ର୍ଥ ସ୍ଥାନରେ ରହିବା ସହ ଅଳ୍ପକେ ପୋଡିୟମ ଫିନିଶ୍ କରିବାରୁ ବଞ୍ଚତ୍ତ ହୋଇଥିଲେ। ପୂର୍ବରୁ ବିଭିନ୍ନ ବିଶ୍ୱସସ୍ତରୀୟ ଇଭେଣ୍ଟରେ ପଦକ ଜିତି ସାରିଥିବା ମନୁ ଯୋଗ୍ୟତା ପର୍ଯ୍ୟାୟରେ ୫୮୨ ପଏଣ୍ଟ ସ୍କୋର କରି ୩ୟ ସ୍ଥାନରେ ରହିଥିଲେ। ଏଥିରେ ସେ ନିଜର ଶେଷ ଦୁଇ ରାଉଣ୍ଡରେ ୯୮ ପଏଣ୍ଟ ଲେଖାଏ ସ୍କୋର କରିଥିଲେ। ମହିଳା ୧୦ ମିଟର ପିସ୍ତଲରେ ଏହା ମଧ୍ୟ ଭାରତର ପ୍ରଥମ କୋଟା ଥିଲା। ସୌରଭ ଚୌଧାରୀ ଓ ଅଭିଷେକ ବର୍ମା ପୂର୍ବରୁ ପୁରୁଷ ୧୦ ମିଟର ଏୟାର ପିସ୍ତଲରେ ଅଲିମ୍ପକ୍କୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।