ପୁରୁଣା ଭୁବନେଶ୍ୱର, ୧୯।୩ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ଏକ ପ୍ରଶାସନିକସ୍ତରୀୟ ବୈଠକ ନୂତନ କାର୍ଯ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା ଜିଲାପାଳ ସିତାଂଶୁ ରାଉତ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପ୍ରମୁଖ ନିଯୋଗଙ୍କ ସେବାୟତଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ମାର୍ଚ୍ଚରେ ସୈରାତ ଉତ୍ସ ଗୁଡିକ ନିଲାମ ଶେଷ ହେଉଛି। ନୂତନ ଆର୍ଥିକ ବର୍ଷରେ ଠାକୁରଙ୍କ ସୈରାତ ଉତ୍ସଗୁଡିକରୁ ଆଦାୟ କରାଯାଉଥିବା ଟଙ୍କାରୁ ବିଏମ୍ସିଠାରୁ କେତେ ପ୍ରତିଶତ ବୋର୍ଡ ଭାଗ ନେବ ତାହା ଆଲୋଚନା ହୋଇଥିଲା। ସେହିଭଳି ମନ୍ଦିର କାର୍ଯ୍ୟାଳୟ କର୍ମଚାରୀଙ୍କ ଭତ୍ତା ବୃଦ୍ଧି, ଠାକୁରଙ୍କ ରଥଯାତ୍ରା ନୀତି ନିର୍ଘଣ୍ଟ ପ୍ରସ୍ତୁତି, ଶିବରାତ୍ରିର ଆୟବ୍ୟୟ ଅଟକଳ, ଶୀତଳଷଷ୍ଠୀ ପରିଚାଳନା ନେଇ ଅନେକ ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ ସମେତ ସମସ୍ତ ଟ୍ରଷ୍ଟ ବୋର୍ଡ ସଦସ୍ୟ , ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।