ସନାତନ ପରମ୍ପରାରେ ସୁନାବେଶ ଦିନ ଅର୍ଦ୍ଧରାତ୍ରରୁ ଚତୁର୍ମାସ୍ୟା ଆରମ୍ଭ ହୁଏ। ଏହିଦିନ ଠାରୁ ମହାପ୍ରଭୁ ଶୟନ ଯାଇଥାନ୍ତି। ଏହାକୁ ହରିଶୟନ ଏକାଦଶୀ କୁହାଯାଏ। ଚାରି ମାସ ପର୍ଯ୍ୟନ୍ତ ମହାପ୍ରଭୁ ଶୟନ କରିଥାନ୍ତି। ଠାକୁରଙ୍କର ଏହି ଶୟନ କାଳରେ ବାନପ୍ରସ୍ତ, ଋଷି, ମୁନି, ସାଧୁସନ୍ଥ, ମହାପୁରୁଷ, ସନ୍ନ୍ୟାସ ଧର୍ମ ଆଚରଣ କରୁଥିବା ଲୋକମାନେ ଚତୁଃର୍ମାସ୍ୟା ବ୍ରତ ପାଳନ କରନ୍ତି। ଗୋଟିଏ ସ୍ଥାନରେ ରହି ଶାସ୍ତ୍ର ମୁତାବକ ନିୟମ ପାଳନ କରି ଠାକୁରଙ୍କୁ ସ୍ମରଣ କରିଥାନ୍ତି। ମହାପ୍ରଭୁଙ୍କ ଶୟନ କାଳ ମଣିଷମାନଙ୍କ ପାଇଁ ଅଶୁଭ କାଳ ଭାବେ ଗ୍ରହଣ କରାଯାଏ। ଏହି ସମୟରେ ସୂର୍ଯ୍ୟ ଦକ୍ଷିଣାୟନ ଗତି କରନ୍ତି। ଜ୍ୟୋତିଷ ଶାସ୍ତ୍ରମତେ ସୂର୍ଯ୍ୟଙ୍କ ଦକ୍ଷିଣାୟନ ସମୟରେ କୌଣସି ଶୁଭକାର୍ଯ୍ୟ ଅର୍ଥାତ୍ ଯଜ୍ଞ, ବିବାହ, ଗୋଦାନ ଆଦି ହୁଏ ନାହିଁ। ସୂର୍ଯ୍ୟଙ୍କର ଉତ୍ତରାୟଣ ହେଲେ ପୁଣି ଶୁଭକାର୍ଯ୍ୟ ଆରମ୍ଭ ହୁଏ।
ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଓ ଲାଗି ପରେ ଚନ୍ଦନ ଲାଗି, ବଡ ସିଂହାର ବେଶ, ଭୋଗ ହୋଇଥାଏ। ମହାସ୍ନାନ ପୂଜାପାଠ ପରେ ଠାକୁର ରଥକୁ ବିଜେ ହୋଇଥାନ୍ତି। ରଥରେ ନୀତି ସରିବା ପରେ ଅଧରାତିରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ନେଇ ଶୟନ ଯାଇଥାନ୍ତି। ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ ଠାକୁର ପାର୍ଶ୍ୱ ପରିବର୍ତ୍ତନ ଅର୍ଥାତ୍ କଡ ଲେଉଟାଇ ଥାନ୍ତି। ତେଣୁ ଏହାକୁ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ କୁହାଯାଏ। କାର୍ତ୍ତିକ ମାସ ବଡ଼ ଏକାଦଶୀରେ ଠାକୁର ନିଦ୍ରା ତ୍ୟାଗ କରି ଉଠିଥାନ୍ତି। ଏହାକୁ ଦେବ ଉତ୍ଥାପନ ଏକାଦଶୀ ବୋଲି କୁହାଯାଏ।
ଆଷାଢ଼ ଶୁକ୍ଳ ପକ୍ଷରେ ପଡୁଥିବା ଏକାଦଶୀକୁ ହରିଶୟନ ଏକାଦଶୀ କୁହାଯାଏ। ଶାସ୍ତ୍ର ଅନୁସାରେ ଯେଉଁମାନେ ପବିତ୍ର ମନରେ ଏହି ଏକାଦଶୀ ବ୍ରତ ପାଳନ କରିଥାନ୍ତି ତାଙ୍କର ମନୋସ୍କାମନା ପୂର୍ଣ୍ଣ ହେବା ସହ ସମସ୍ତ ପାପ ମଧ୍ୟ କ୍ଷୟ ହୋଇଥାଏ। ଅନ୍ୟପକ୍ଷରେ ହରିଶୟନ ଏକାଦଶୀ କଥା ପଢିବା ଓ ଶୁଣିବା ଦ୍ୱାରା ସହସ୍ର ଗୋଦାନ ତୁଲ୍ୟ ଫଳ ପ୍ରାପ୍ତି ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି।