ଅନୁଗୋଳ ଅଫିସ, ୧୩।୬ – ବାହାରେ ତାତି, ଘର ଭିତରେ ଗୁଳଗୁଳିରେ ଲୋକେ ହନ୍ତସନ୍ତ ହେଉଥିବାବେଳେ ସମସ୍ୟା ବଢାଉଛି ଘନଘନ ଅଘୋଷିତ ବିଦ୍ୟୁତ୍ କାଟ୍। ଅନେକ ସମୟରେ ସକାଳେ ଲାଇନ୍ ଗଲେ ସନ୍ଧ୍ୟାବେଳକୁ ଆସୁଛି। କିଛି ଗଁ। ରେ ତ ଦିନ ଦିନ ଧରି ଆସୁ ନ ଥିବା ଲୋକେ ଅଭିଯୋଗ କରୁଛନ୍ତି। ଟିକିଏ ବର୍ଷା ହେଲେ ବିଭାଗ ପକ୍ଷରୁ ସଙ୍ଗେ ସଙ୍ଗେ ପାଓ୍ବାର୍ କଟ୍ କରାଯାଉଥିବାରୁ ଅନୁଗୋଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କେବଳ ଅନୁଗୋଳର ଗାଁ ଗଣ୍ଡା ନୁହେଁ ସହରରେ ମଧ୍ୟ ସମାନ ଅବସ୍ଥା। ଥରେ ଲାଇନ ଗଲେ କେତେବେଳେ ଆସିବ ତାହା ବିଭାଗୀୟ କର୍ମଚାରୀମାନେ ମଧ୍ୟ କହିପାରୁ ନାହାନ୍ତି। ପାଖାପାଖି ମାସେରୁ ଅଧିକ ସମୟ ହେଲା ଏପରି ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁ ଲୋକେ ନାନା ଅସୁବିଧା ଭୋଗୁଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ସତ୍ତ୍ୱେ କେହି ଶୁଣୁ ନ ଥିବା ସହରବାସୀ ପ୍ରକାଶ କରିଛନ୍ତି। ସେହିପରି ଲୋ ଭୋଲଟେଜ ଯୋଗୁ ଅନେକ ଉପଭୋକ୍ତାଙ୍କ ବିଦ୍ୟୁତ୍ ଉପକରଣ ପୋଡିଯାଇଥିବା ଜଣାପଡିଛି। ଏ ନେଇ ଅନୁଗୋଳ ସେସୁ ଡିଭିଜନ୍ ନିର୍ବାହୀ ଅଧିକାରୀ ସୁବ୍ରତ ସାହୁ କହିଛନ୍ତି, ଫ୍ୟୁଜ୍ କଟୁଥିବାରୁ ସମସ୍ୟା ହେଉଛି। ମୁଖ୍ୟତଃ ଏଲ୍ଟି ଲାଇନ୍ରୁ ଅଭିଯୋଗ ଆସୁଛି। ଖରାଦିନେ ଅଧିକ ଲୋଡ ଯୋଗୁ ମଧ୍ୟ ଅନେକ ସମୟରେ ପାଓ୍ବାର ଚାଲିଯାଉଛି। ଯଥାସମ୍ଭବ ବିଦ୍ୟୁତ୍ କାଟ୍ ରୋକିବା ସହ ଉତ୍ତମ ସେବା ଦେବାକୁ ଉଦ୍ୟମ ଜାରି ରହିଥିବା ନିର୍ବାହୀ ଅଧିକାରୀ ସାହୁ ପ୍ରକାଶ କରିଛନ୍ତି।