ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ
ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ପୁରସ୍କାର ହାତେଇଲେ ବି ରାଜନୀତି ଓ ପୁରସ୍କାର ପଛରେ ବି ରାଜନୀତି। ଏଇ ରାଜନୀତି ପାଇଁ ସାଧାରଣ ଲୋକେ ଏବେ ଅଣନିଃଶ୍ୱାସୀ। ଯଦି କାହାକୁ ପଚାରିବେ- ଆରେ ଭାଇ ତୋ ମତରେ ରାଜନୀତି କ’ଣ? ଉତ୍ତର ଆସିବ- ରାଜନୀତିରେ ନୀତି ନ ଥାଏ, ଅର୍ଥବଳ ଓ ବାହୁବଳୀଙ୍କ ପ୍ରଭାବ ଅଧିକ, ଲୋକଙ୍କ ହାତରେ କିଛି ନ ଥାଏ, ନେତା କେବଳ ଭୋଟ ବେଳେ ନାଚନ୍ତି, ଏଠାରେ କେବଳ ମିଛ ଚାଲେ, ବେଳ ପଡ଼ିଲେ ଚରଣ, ବେଳ ପଡ଼ିଲେ ଚୁଟି ଧରୁଥିବା ଲୋକେ ଏଥିରେ ଅଧିକ ମାତ୍ରାରେ ସକ୍ରିୟ, ଏହା ଏକ ନାଟକ ା
ଭୋଟ ଦେବାକୁ ଆସ, ବୁଥ୍‌ରେ ପଶ ଓ ଭୋଟ ଦେଇ ବାହାରିଯାଅ, ଗଣତନ୍ତ୍ର ଚାଲିବ। ନ ଆସ, ଘରେ ବସ- ତେବେ ବି ଗଣତନ୍ତ୍ର ଚାଲିବ। ମୋଟାମୋଟି ଆମର ଯାତ୍ରାପାର୍ଟି ଓ ରାଜନୀତି ଭିତରେ ବିଶେଷ କିଛି ଫରକ ନାହିଁ। ଯାତ୍ରା ପାଇଁ କେବଳ ଷ୍ଟେଜ୍‌ ଥାଏ, ଆଉ ରାଜନୀତି ହେଉଛି ଓପନ୍‌ ଷ୍ଟେଜ୍‌, ଯେଉଁଠି ଶେଷ ଯାଏ କେବଳ ସ୍କ୍ରିପ୍ଟ ଲେଖାଚାଲିଥାଏ। ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ବି ରାଜନୀତି କରୁଛନ୍ତି, ଆଉ ଯେଉଁମାନେ ବିରୋଧୀ ଦଳ ଭୂମିକାରେ ସେମାନେ ବି ସେଇ ରୋଗରେ ପୀଡିତ। ରୋଗଟି ହେଉଛି ଲୋକଙ୍କୁ ଭୁଆଁବୁଲାଇବା। ରାଜନୀତିର ଏଇ ସାପଶିଡ଼ି ଖେଳ ଭିତରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଶିଳ୍ପ ପରି ବାସ୍ତବ ପ୍ରସଙ୍ଗଗୁଡିକ ବର୍ତ୍ତମାନ ଅଣଦେଖା ହୋଇଯାଇଛି।
ଯେମିତି ଓଡ଼ିଶାର ଲୋକଙ୍କୁ ସରକାର ବୁଝାଇଦେଇଛନ୍ତି, ଗରିବ ହେବା ମହାପୁଣ୍ୟ। ଗରିବ ହେଲେ ଯାଇ ଟଙ୍କିକିଆ ଚାଉଳ ପାଇବ, ଭତ୍ତା ପାଇବ, ଛତା, କମ୍ବଳ ପାଇବ, ପାଞ୍ଚ ଟଙ୍କିଆ ଆହାର ମିଳିବ। ବିଜୁ ଘର ବା ଇନ୍ଦିରା ଆବାସ ପାଇବ, ମାଗଣାରେ ତୀର୍ଥଯାତ୍ରା ବି କରିପାରିବ। ଧନୀ ବା ମଧ୍ୟବିତ୍ତ ହେବାକୁ ଚେଷ୍ଟା କଲେ ଏସବୁ ମିଳିବ ନାହିଁ। ଯାହାର କୋଠାଘର ଅଛି, ସେ ରାଶନ୍‌ କାର୍ଡ ପାଇଁ ଧାଉଁଛି। ମାସକୁ ୫ କିଲୋ ଚାଉଳ ଯାହାର ଦାମ୍‌ ପାଖାପାଖି ୧୦୦ ଟଙ୍କା ସେ ଲୋଭ ତାକୁ ଘାରିଛି। ଥିଲାବାଲା ଘରର ଲୋକ ସହରରେ ୫ ଟଙ୍କିଆ ଭାତ-ଡାଲମା ପାଇଁ ଆହାର କେନ୍ଦ୍ରରେ ଗହଳି କରୁଛନ୍ତି। ଛତରଖିଆ ହେବାକୁ ସୁଯୋଗ ଓ ଗୌରବ ବୋଲି ଭାବି ଏଥିପାଇଁ ଏକ ଅଜବ ପ୍ରତିଯୋଗିତା ଚାଲିଛି। ଚାଷକୁ ପଚାରେ କିଏ? ଏମିତି ଚିତ୍ର ସବୁ ଏବେ ଜନଜୀବନକୁ ଧୀରେ ଧୀରେ କବଳିତ କରିସାରିଲାଣି।
ଜଣେ ଜର୍ମାନ ଦାର୍ଶନିକ ଥିଲେ- ଇମାନୁଏଲ୍‌ କାଣ୍ଟ। ସେ କହିଥିଲେ, ଲୋକଙ୍କୁ ଯେତେ ଅଧିକ ସାହାଯ୍ୟ କରିବ, ସେମାନଙ୍କୁ ସେତେ ଅପାରଗ କରି ଗଢିତୋଳିବ। ସରକାରଙ୍କ କାମ ହେଉଛି, ଲୋକଙ୍କୁ ରୋଜଗାରର କୌଶଳ ଶିଖାଇବା, ମାଗଣା ବାଣ୍ଟିବା ନୁହେଁ। ଏକଦା ଧାନ ଉପତ୍ାଦନରେ ଓଡିଶା ଏକ ନମ୍ବର ସ୍ଥାନରେ ରହୁଥିବା ବେଳେ ଏବେ ଆନ୍ଧ୍ର, ପଶ୍ଚିମବଙ୍ଗ ଏପରି କି ଛତିଶଗଡ ଓ ଝାଡଖଣ୍ଡଠାରୁ ଆମେ ପଛରେ ପଡିଛେ। ଟଙ୍କିକିଆ ଚାଉଳ ମାୟାରେ ଲୋକେ ଏବେ ଶ୍ରମ କରିବାକୁ କୁଣ୍ଠିତ।
ଏଠି ଆଉ ଗୋଟିଏ ବାତାବରଣ ସୃଷ୍ଟି କରାଯାଇଛି, ତାହା ହେଲା କୃଷିର ଶତ୍ରୁ ହେଉଛି ଶିଳ୍ପ। ଶିଳ୍ପ ପାଇଁ ଯୋଜନା ହେଲା ମାତ୍ରକେ ଆଗେ ବିରୋଧ ସାମନାକୁ ଆସେ। ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ଜୀବନଜୀବିକା ଯାଏ ନାନା ରକମର ଫନ୍ଦିଫିକର ଚାଲୁଛି। ହେଲେ କେହି ଏହାର ସମାଧାନ ବାହାର କରିବାକୁ ଚାହାନ୍ତି ନାହିଁ। ଯେତେ ବିଳମ୍ବ ସେତେ ଲାଭ। ଶିଳ୍ପସଂସ୍ଥାଙ୍କ ଶୋଷଣ ଓ ମନମାନିକୁ ନିୟନ୍ତ୍ରଣ କରିବା ଦାୟିତ୍ୱ ତ ସରକାରଙ୍କର। ସରକାର ଚାହିଁଲେ, ଚାଷ ଓ ଶିଳ୍ପ ପରସ୍ପରର ମିତ୍ର ହୋଇପାରନ୍ତେ। ଚାଷୀ ବି ହସନ୍ତା, ଶିଳ୍ପ ବି ବଢନ୍ତା। ହେଲେ ଏଥିପାଇଁ ସମୟ କାହା ପାଖରେ ଅଛି? ଗୋଟିଏ ପଟେ ମେକ୍‌ ଇନ୍‌ ଓଡିଶା କଥା କହୁଛେ, ହେଲେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାର ବାତାବରଣ ତିଆରି ହୋଇପାରିନି ଏଯାଏ।
ଆଉ ଗୋଟିଏ ବଡ଼ ପ୍ରସଙ୍ଗ ହେଲା ଶିକ୍ଷା, ଯାହାକୁ ବିକାଶର ପ୍ରମୁଖ ହତିଆର ବୋଲି କୁହାଯାଏ। ହେଲେ ଆମର ଏଠି ସ୍କୁଲଗୁଡିକ ଭୋଜନ କେନ୍ଦ୍ରରେ ପରିଣତ ହୋଇଗଲାଣି। ମଧ୍ୟାହ୍ନଭୋଜନ ଉପରେ ଯେତିକି ଗୁରୁତ୍ୱ ଦିଆଯାଉଛି, ପାଠପଢା ଉପରେ ସେତିକି ଗୁରୁତ୍ୱ ଦେଉନାହାନ୍ତି ସରକାର। ଆମ ଶିକ୍ଷକମାନେ ଯେତେ ଭଲ ହେବେ, ଯୋଗ୍ୟ ହେବେ, ଶିକ୍ଷାର ମାନ ସେତିକି ଉନ୍ନତ ହେବ। ହେଲେ ଏକଥା କାହାକୁ ଦିଶୁନାହିଁ। ଭୋଟର ଲିଷ୍ଟ ତିଆରି, ଭତ୍ତା ବଣ୍ଟା, ବିପିଏଲ୍‌ ସର୍ଭେରେ ଶିକ୍ଷକ ବ୍ୟସ୍ତ, ତା’ ସାଙ୍ଗକୁ ପେଟପାଟଣା ପାଇଁ ବର୍ଷତମାମ ଆନ୍ଦୋଳନ। ବାକି ଯିଏ ରହିଲେ ସେମାନେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମରେ ବ୍ୟସ୍ତ। ପାଠପଢା ଚୁଲିକୁ ଯାଉ। ଗୁଣାତ୍ମକ ଶିକ୍ଷାକ୍ଷେତ୍ରରେ ଏହା ହେଉଛି ସବୁଠାରୁ ବଡ ପ୍ରତିବନ୍ଧକ।
ସାଧାରଣଲୋକଙ୍କୁ ବିକାଶ ପାଇଁ ପ୍ରୋତ୍ସାହିତ କରିବା, ସେମାନଙ୍କୁ ଏଥିପାଇଁ ପ୍ରସ୍ତୁତ କରିବା ଓ ବିକାଶ ପାଇଁ ବାତାବରଣ ସୃଷ୍ଟି କରିବା ରାଜନୈତିକ ନେତୃବୃନ୍ଦଙ୍କ ଦାୟିତ୍ୱ। ହେଲେ ଶସ୍ତା ରାଜନୀତିରେ ବ୍ୟସ୍ତ ଥିବା ଉଭୟ ସରକାର ଅବା ବିରୋଧୀଙ୍କ ପାଖରେ ଏହା ସବୁବେଳେ ଗୌଣ। ବରଂ ଭୋଟବ୍ୟାଙ୍କ ପଲିଟିକ୍ସ ଗଣତନ୍ତ୍ରରେ ରାଜା। ଯେନତେନପ୍ରକାରେ ଲୋକଙ୍କୁ ଭୁଆଁବୁଲାଇ, ପ୍ରଲୋଭିତ କରି କ୍ଷମତା ହାତେଇବା ହେଉଛି ଲକ୍ଷ୍ୟ। ଶେଷରେ ଏତିକି କହିବା ଠିକ୍‌ ହେବ, ଆପେ ବଞ୍ଚିଲେ ବାପର ନାଁ- ଏହା ହିଁ ପଲିଟିକ୍ସ।
ମୋ- ୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ବେଢ଼ାରେ ଗଜାନନ

ଶ୍ରୀମନ୍ଦିର  ପଶ୍ଚିମ ପାର୍ଶ୍ୱରେ ଥିବା ସାକ୍ଷୀଗୋପାଳ ମନ୍ଦିର ନିକଟରେ ରହିଛି କାଞ୍ଚତ୍ ଗଣେଶ ମନ୍ଦିର। କାଞ୍ଚତ୍ ଗଣେଶଙ୍କୁ ତନ୍ତ୍ର ଗଣେଶ ମଧ୍ୟ କୁହାଯାଏ। ଭିତରଛୁ ମହାପାତ୍ର...

ଶକ୍ତ ବିରୋଧୀ, ସଶକ୍ତ ଗଣତନ୍ତ୍ର

ବିଗତ ଦିନରେ ଦେଶରେ ଏପରି କିଛି ଘଟଣା ଘଟିଛି, ଯାହା ଏନ୍‌ଡିଏ ୩.୦ ସରକାରଙ୍କ ଅସହାୟତାକୁ ପଦାରେ ପକାଇଛି। ଏହି ନିରୁପାୟ ଶକ୍ତ ବିରୋଧୀ ଦଳ...

ନିବେଶ ଲକ୍ଷ୍ୟରେ ଭଜନଲାଲ

ଡିସେମ୍ବର ୯ରୁ ୧୧ ଜୟପୁରରେ ‘ରାଇଜିଂ ରାଜସ୍ଥାନ’ ବୈଶ୍ୱିକ ନିବେଶ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଇଏଏସ୍‌ ଅଧିକାରୀଙ୍କ ଗୋଟିଏ ଟିମ୍‌ ସାରା...

ଗୃହ ବିଦ୍ୟାଳୟ

ଆଜି ସବୁଠି ଅଭିଯୋଗ ଯେ ପଞ୍ଚମ ଶ୍ରେଣୀରେ ପଢୁଥିବା ପିଲା ନିଜ ନାଁ ବି ଠିକ୍‌ ସେ ଲେଖି ପାରୁନି ଏବଂ ହାଇସ୍କୁଲରେ ପାଠ ପଢୁଥିବା...

ଓ୍ବିମ୍ବେଲଡନରେ ଜଳବାୟୁ ପ୍ରତିବାଦ

ଜଳବାୟୁ ପ୍ରଦର୍ଶନକାରୀମାନେ ୱିମ୍ବେଲଡନ ଟେନିସ୍‌ ପ୍ରତିଯୋଗିତାରେ ବାଧା ସୃଷ୍ଟି କରିଥିଲେ। ସେମାନେ ପ୍ରସିଦ୍ଧ ଚିତ୍ରକଳାକୁ ସୁରକ୍ଷା ଦେଉଥିବା ଗ୍ଲାସ୍‌ ଉପରକୁ ଟମାଟୋ ସସ୍‌ ପକାଇଥିଲେ। ଏହାସହ...

କଠୋର ଦଣ୍ଡବିଧାନ ଲୋଡ଼ା

ନାରୀଶକ୍ତିର ଦୁରବସ୍ଥା ଆଜି ଖବରକାଗଜ, ଟେଲିଭିଜନ ଖୋଲିଲେ ଜଣାପଡ଼େ। ୨୦୧୨ମସିହାରେ ନୂଆ ଦିଲ୍ଲୀ ରାଜରାସ୍ତାର ଚଳନ୍ତା ବସ୍‌ରେ ଘଟିଥିବା ନାରକୀୟ କାଣ୍ଡ ସମଗ୍ର ସଭ୍ୟସମାଜରେ ହଇଚଇ...

ଗୁରୁ ଚିର ନମସ୍ୟ

ଦେଶର ଅଗଣିତ ଶିଶୁମାନଙ୍କୁ ଶିକ୍ଷାଦାନ କରି ଜଣେ ସୁନାଗରିକ କରିବାରେ ଗୁରୁମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମାଜରେ ଯଥେଷ୍ଟ ଉପରେ ରହିଛି। ଆମ ପୁଣ୍ୟ ଭୂମି...

ଗାନ୍ଧିଜୀଙ୍କ ଅନୁସୃତ ଚିକିତ୍ସା ପଦ୍ଧତି

ମନୁଷ୍ୟ ଶରୀର ପଞ୍ଚଭୂତରୁ ସୃଷ୍ଟି। ସେଗୁଡ଼ିକ ହେଉଛି- ଅଗ୍ନି, ବାୟୁ, ଜଳ, ଆକାଶ ଓ ପୃଥିବୀ। ତେଣୁ ମାଟି, ପାଣି, ବାୟୁ, ଆଲୋକ ଓ ଉତ୍ତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri