ସୁନାବେଡ଼ା,୧୮ । ୪(ସ୍ବ.ପ୍ର.): ଲକ୍ଡାଉନ ବେଳେ ସମସ୍ତେ ଘରେ ଥିବାବେଳେ ବାହାରର ଆବର୍ଜନା ସଫେଇ ପାଇଁ ବାହାରି ଆସି କାମରେ ଲାଗିଛନ୍ତି ସଫେଇ କର୍ମଚାରୀ। ପୌରପରିଷଦ ଅନ୍ତର୍ଗତ ସମସ୍ତ ଅଞ୍ଚଳର ସାହି, ବସ୍ତିରେ ଥିବା ନାଳ ନର୍ଦ୍ଦମା, ରାସ୍ତାଘାଟ ସଫେଇ କରି ସମସ୍ତ ଅଞ୍ଚଳକୁ ସ୍ବଚ୍ଛ ରଖୁଛନ୍ତି ସଫେଇ କର୍ମଚାରୀ। ନିଜର ଓ ପରିବାର ସ୍ବାସ୍ଥ୍ୟକୁ ପଛରେ ପକାଇ ସେମାନେ ଅଞ୍ଚଳର ପରିମଳକୁ ସଜାଡ଼ିବା କାମରେ ଲାଗିଥିବାରୁ ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ଏକ ପ୍ରୟାସ କରାଯାଇଛି। ସେହି ସଫେଇ କର୍ମଚାରୀଙ୍କ ନିରବଚ୍ଛିନ୍ନ କାର୍ଯ୍ୟ ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପୌର ପରିଷଦ ନିର୍ବାହୀ ଅଧିକାରୀ ସ୍ବସ୍ତିକ ଜମାଦାର। ପୌର ପରିଷଦର ୨୧ ଜଣ ସଫେଇ କର୍ମଚାରୀଙ୍କୁ ହ୍ୟାଣ୍ଡ ଗ୍ଲବସ, ମାସ୍କ, ସାନିଟାଇଜର ଓ ବିସ୍କୁଟ ମଧ୍ୟ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ଗୋଷ୍ଠୀ ସଂଯୋଜକ ଚିତ୍ତରଞ୍ଜନ ସାହୁ, ଲକ୍ଷ୍ମୀଧର ମହାପାତ୍ର, ଶମ୍ଭୁନାଥ ଜେନା ଓ କାଉନସିଲର ସୁବ୍ରତ ବିଷୋୟୀ ଉପସ୍ଥିତ ଥିଲେ।