ନୂଆଦିଲ୍ଲୀ,୨୪-୧୧: ଚଳିତ ବର୍ଷ ଜାନୁୟାରୀ ମାର୍ଚ୍ଚ ସମୟରେ ସହରାଞ୍ଚଳରେ ବେରୋଜଗାରୀ ହ୍ରାସ ଘଟିଥିବା ଜଣାପଡିଛି। ଏହି ସମୟରେ ବେରୋଜଗାରୀ ହାର ୯.୩% ରହିଛି, ଯାହା ୪ ତ୍ରୈମାସ ମଧ୍ୟରେ ସର୍ବନିମ୍ନ ସ୍ତର। ସରକାରଙ୍କ ପକ୍ଷରୁ ପ୍ରକାଶ ପାଇ ନ ଥିବା ଏକ ରିପୋର୍ଟ ଆଧାରରେ ଏହି ତଥ୍ୟ ଏକ ଗଣମାଧ୍ୟମ ହାତରେ ଲାଗିଛି। ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ଏବଂ ନିଯୁକ୍ତିକୁ ନେଇ ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚନା ଶୁଣିବାକୁ ମିଳୁଥିବା ନୂଆ ତଥ୍ୟ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଏହାର ପୂର୍ବ ତ୍ରୈମାସରେ ବେରୋଜଗାରୀ ହାର ୯.୯% ରହିଥିଲା। ଗ୍ରାମାଞ୍ଚଳ ବେରୋଜଗାରୀ ସମ୍ପର୍କରେ ଏବେ ଯାଏ କୌଣସି ତଥ୍ୟ ସାମ୍ନାକୁ ଆସି ନ ଥିବା ବେଳେ ସହରାଞ୍ଚଳ ନିଯୁକ୍ତି ସଂକ୍ରାନ୍ତ ବିସ୍ତୃତ ତଥ୍ୟ ଶୀଘ୍ର ପ୍ରକାଶ ପାଇବ ବୋଲି ଜଣାପଡିଛି।