ନୂଆଦିଲ୍ଲୀ,୨।୯: ଦିଲ୍ଲୀ ସଂସଦ ଭବନରେ ସୋମବାର ଜଣେ ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଗିରଫ କରିଛି। ଯୁବକ ଜଣକ ସାଙ୍ଗରେ ଛୁରୀ ଧରି ରାମ ରହିମଙ୍କ ନାରା ଦେଇ ସଂସଦରେ ପଶିବାକୁ ଉଦ୍ୟମ କରୁଥିଲେ। ସେହି ସମୟରେ ପରିସରରେ ଥିବା ସୁରକ୍ଷାକର୍ମୀ ତାଙ୍କୁ କାବୁ କରିନେଇ ପୋଲିସକୁ ହସ୍ତାନ୍ତର କରିଥିଲେ। ଯୁବକ ଜଣକ ହେଲେ ଲକ୍ଷ୍ମୀ ନଗରର ସାଗର ଇନସା। ତେବେ ସାଗର ଜେଲ୍ରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମୀତ ରାମ ରହିମଙ୍କ ସମର୍ଥକ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗେଟ୍ ନମ୍ବର ୧ରେ ସାଗର ବାଇକ୍ ରଖି ହାତରେ ଛୁରୀ ଧରି ରାମ ରହିମ୍ଙ୍କ ନାରା ଲଗାଇବା ସହ ସଂସଦ ଭବନ ଭିତରକୁ ପ୍ରବେଶ କରିଥିଲେ। ସେହି ସମୟରେ ସୁରକ୍ଷାକର୍ମୀ ତାଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ସଂସଦ ଭବନରୁ ରାମ ରହିମ୍ଙ୍କ ସମର୍ଥକଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିଛି।