ବମ୍ବେ: ଦିନ ଥିଲା ଉଭୟ ଉଭୟଙ୍କୁ ଭଲପାଇ ବସିଥିଲେ। ବିବାହ କରିବେ ବୋଲି ନିଷ୍ପତ୍ତି ମଧ୍ୟ ନେଇଥିଲେ। ହେଲେ ଏହା ହୋଇପାରି ନ ଥିଲା। ଶେଷରେ ସୁଶାନ୍ତ ସିଂ ରାଜପୁତଙ୍କଠାରୁ ଅଲଗା ହୋଇଥିଲେ ଅଭିନେତ୍ରୀ ତଥା ପ୍ରେମିକା ଅଙ୍କିତା ଲୋଖଣ୍ଡେ। ନିକଟରେ ଅଙ୍କିତା ଜଣେ ବ୍ୟବସାୟୀଙ୍କ ସହ ନିର୍ବନ୍ଧ ମଧ୍ୟ କରିଛନ୍ତି। ହେଲେ ହଠାତ୍ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ସେ ସହଜରେ ଗ୍ରହଣ କରିପାରୁନାହାନ୍ତି। ସେ ଘଟଣାକୁ ଜାଣିବା ପରେ ଭାଙ୍ଗି ପଡ଼ିଥିବା ଚର୍ଚ୍ଚା ହେଉଛି।
ମଙ୍ଗଳବାର ଅଙ୍କିତା ସୁଶାନ୍ତଙ୍କ ବାନ୍ଦ୍ରାସ୍ଥିତ ଘରେ ପହଞ୍ଚିଥିଲେ। ସେଠାରେ ସେ ସୁଶାନ୍ତଙ୍କ ପରିବାରଲୋକଙ୍କୁ ଭେଟିଥିଲେ। ପରେ ସେ ଏକତା କପୁରଙ୍କ ଘରକୁ ଯାଇଥିଲେ। ଏହି ସମୟର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ଅଙ୍କିତା କେତେ ଦୁଃଖୀ ତାହା ସ୍ପଷ୍ଟ ହେଉଛି।
ଟେଲି ଧାରାବାହିକ ‘ପବିତ୍ର ରିସ୍ତା’ରେ ଅଙ୍କିତା ସୁଶାନ୍ତଙ୍କ ନାୟିକା ସାଜିଥିଲେ। ଏହି ସମୟରେ ଉଭୟ ପ୍ରେମରେ ପଡ଼ିଥିଲେ। ଏକ ରିଆଲିଟି ଶୋ’ରେ ସୁଶାନ୍ତ ଅଙ୍କିତାଙ୍କୁ ନିଜ ମନ କଥା ମଧ୍ୟ କହିଥିଲେ। ଏପରିକି ସୁଶାନ୍ତ ଟେଲିଭିଜନ ଦୁନିଆ ଛାଡ଼ି ବଡ଼ ପରଦାକୁ ଆସିବା ସମୟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଥିଲା। ହେଲେ କିଛି ଦିନ ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ସୁଶାନ୍ତ ଏବେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଡେଟ୍ କରୁଥିବା କୁହାଯାଉଥିଲା।