ନୂଆଦିଲ୍ଲୀ,୨୧ା୯(ପି.ଟି.): ସୁପ୍ରିମକୋର୍ଟରେ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍ଜିଦ ଜମି ବିବାଦ ମାମଲାର ଶୁଣାଣି ଜାରି ରହିଥିବାବେଳେ ଆସନ୍ତା ସୋମବାରରୁ ସାମ୍ବିଧାନିକ ପୀଠ ଅଧିକ ଏକଘଣ୍ଟା ବସିବ। ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ବେଞ୍ଚ୍ରେ ଅଗଷ୍ଟ ୬ରୁ ଚାଲିଛି। ୨୩ ତାରିଖରୁ ଶୁଣାଣି ଅପରାହ୍ନ ୪ଟା ପରିବର୍ତ୍ତେ ୫ଟା ପର୍ଯ୍ୟନ୍ତ ଚାଲିବ ବୋଲି ଉଭୟ ହିନ୍ଦୁ ଓ ମୁସଲମାନ ପକ୍ଷଙ୍କୁ ଅଦାଲତ ଜଣାଇଦେଇଛନ୍ତି। ଉକ୍ତ ସାମ୍ବିଧାନିକ ପୀଠରେ ଜଷ୍ଟିସ୍ ଏସ୍.ଏ. ବୋବ୍ଡେ, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍.ଏ. ନାଜିର ରହିଛନ୍ତି।
ସୁପ୍ରିମକୋର୍ଟରେ ନବନିଯୁକ୍ତ ୪ ବିଚାରପତି କ୍ରିଷ୍ଣା ମୁରାରି, ଏସ୍.ଆର୍. ଭଟ୍ଟ, ଭି. ରାମସୁବ୍ରମଣ୍ୟନ୍ ଏବଂ ହୃଷୀକେଶ ରାୟ ସୋମବାର ଶପଥ ନେବା ଆଶା କରାଯାଉଛି। ଅଯୋଧ୍ୟା ମାମଲାର ଶୁଣାଣି ଅକ୍ଟୋବର ୧୮ରେ ଶେଷ କରିବା ପାଇଁ ଅଦାଲତ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ମଧ୍ୟଭାଗରେ ରାୟ ପ୍ରକାଶ ପାଇବା ସମ୍ଭାବନା ରହିଛି।