Posted inରାଜ୍ୟ

ହାଟବେଳେ ଭୁଶୁଡ଼ିଲା ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରି; ଚପିଗଲା ଚାରି ଜୀବନ

ଢେଙ୍କାନାଳ ଅଫିସ,୧୦ା୬

ହାଟର ନାଁ ଅଳସୁଆ। ହେଲେ ହାଟୁଆମାନେ ଆଦୌ ଅଳସୁଆ ନୁହନ୍ତି। ସେଥିପାଇଁ ପ୍ରତି ସପ୍ତାହର ଶେଷ ଦିନରେ ଭାରି ଭିଡ଼ ହୁଏ ଢେଙ୍କାନାଳ ଷ୍ଟେଶନ ବଜାର ରୋଡ୍‌ରେ ଥିବା ଏହି ହାଟରେ। ସବୁଥର ପରି ରବିବାର ବି ବସିଥିଲା ହାଟ। ଭଲ ବେପାର ଆଶାରେ ଆସିଥିଲେ ବ୍ୟବସାୟୀ। ତାଜା ପରିବା ନେବାକୁ ପହଞ୍ଚିଥିଲେ ଗରାଖ। କିଣା ବିକା ଜୋର୍‌ ଧରୁଥିବା ବେଳେ ହଠାତ୍‌ ଘଟିଗଲା ଏକ ଦୁର୍ଘଟଣା। ସକାଳ ୮ଟା ୧୫ରେ ଭୁଶୁଡ଼ି ପଡ଼ିଲା ହାଟ ନିକଟରେ ଥିବା ଏକ ପରିତ୍ୟକ୍ତ ରାଇସ୍‌ ମିଲ୍‌ର ପାଚେରି, ଯାହା ତଳେ ଚପିଗଲା ୪ ବ୍ୟବସାୟୀଙ୍କ ଜୀବନ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି। ଏଥିସହିତ ଆହତମାନଙ୍କ ଚିକିତ୍ସା ବିନା ମୂଲ୍ୟରେ କରାଯିବ ବୋଲି ସେ କହିଛନ୍ତି।
ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇଥିଲା ଢେଙ୍କାନାଳ ପୌର ପରିଷଦ ଅଧୀନରେ ଥିବା ଅଳସୁଆ ହାଟ। ଅପରାହ୍ନ ଯାଏ ଏହା ଚାଲିବାକୁ ଥିବାରୁ ଖରାରୁ ବର୍ତ୍ତିବା ପାଇଁ କେତେଜଣ ବ୍ୟବସାୟୀ ହାଟ ପାର୍ଶ୍ୱ ଡି. ହଂସରାଜ ନାମକ ଏକ ପରିତ୍ୟକ୍ତ ରାଇସ୍‌ମିଲ୍‌ର ପାଚେରି ଛାଇରେ ବସିଥିଲେ। କିଛି ଗ୍ରାହକ ସମ୍ପୃକ୍ତ ବେପାରୀଙ୍କଠାରୁ ପରିବା କିଣୁଥିବା ବେଳେ ୧୦ରୁ ଅଧିକ ବାଇକ୍‌ ସେଠାରେ ରହିଥିଲା। ଏହି ସମୟରେ ହଠାତ୍‌ ୪୦ ବର୍ଷ ପୁରୁଣା ଉକ୍ତ ପାଚେରି ଭୁଶୁଡି ପଡିଥିଲା। ଫଳରେ ଏହା ତଳେ ବସିଥିବା ୪ ପରିବା ବ୍ୟବସାୟୀ ସଦର ଥାନା ଚାଇଁପୁରପାଟଣାର ସଂଗ୍ରାମ ସାହୁ(୨୫), ଗେଙ୍ଗୁଟିଆ ଗ୍ରାମର ରାମଚନ୍ଦ୍ର ସାହୁ(୩୨), ଗୁରୁଜଙ୍ଗର ଅଭିମନ୍ୟୁ ବିଶ୍ୱାଳ(୬୫), ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି କମଗରା ସିଦ୍ଧପଡା ଗ୍ରାମର ମାୟାଧର ମଲିକ(୭୦) ଚାପି ହୋଇଯାଇଥିଲେ। ପରିବା ନେବାକୁ ଆସିଥିବା ସୋଗର କଣପାଳ ଗ୍ରାମର କିଣା ବେହେରା(୪୫), ସଦରଥାନା ଗୁଣ୍ଡିଚାପଡା ଗ୍ରୀଡ୍‌ର ସୁରକ୍ଷା କର୍ମୀ ଭାବେ କାମ କରୁଥିବା ଗଁଦିଆ ଥାନା ନୂଆଗଡର କାମେଶ ପାତ୍ର ଓ ରାସୋଳ ଥାନା ଗଞ୍ଜରା ଗ୍ରାମର ଶରତ ରାଉତ (୬୦) ମଧ୍ୟ ପାଚେରି ତଳେ ରହିଯାଇଥିଲେ। ହାଟରେ ଉପସ୍ଥିତ ଲୋକେ ପାଚେରି ତଳୁ ସମସ୍ତଙ୍କୁ ବାହାର କରିବାକୁ ଉଦ୍ୟମ କରୁଥିବା ବେଳେ ଖବରପାଇ ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିଥିଲେ। ଗୁରୁତର ଅବସ୍ଥାରେ ୭ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ା ହେଲେ ସେଠାରେ ଡାକ୍ତର ୪ ବେପାରୀ ସଂଗ୍ରାମ ସାହୁ, ରାମଚନ୍ଦ୍ର ସାହୁ, ଅଭିମନ୍ୟୁ ବିଶ୍ୱାଳ ଓ ମାୟାଧର ମଲିକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଘଟଣାରେ ସାମାନ୍ୟ ଆହତ ହୋଇଥିବା ଢେଙ୍କାନାଳ ସହର ଟାଉନ ପ୍ଲାନିଂ ଅଞ୍ଚଳର ୨ଜଣଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଖବରପାଇ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ, ଏସ୍‌ପି ଅନୁପମା ଜେମ୍‌ସ ପ୍ରମୁଖ ଘଟଣାସ୍ଥଳ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ମୃତକଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ୨୫ ହଜାର ଟଙ୍କା ଲେଖାଏ ସହାୟତା ଦିଆଯାଇଥିବା ବେଳେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ସଂକ୍ରାନ୍ତରେ ଟାଉନ ଥାନାରେ ନଂ. ୧୯/୨୦୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଅନ୍ୟପଟେ ମୃତ ବ୍ୟବସାୟୀଙ୍କ ପରିବାରକୁ ଅଧିକ କ୍ଷତିପୂରଣ ଦାବିରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସାମାନ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ସମୟରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ, ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର ପ୍ରମୁଖ ପହଞ୍ଚି ମୃତକଙ୍କ ପରିବାରକୁ ବୁଝାଶୁଝା କରିଥିଲେ। ଅଧିକ ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶାସନ ପକ୍ଷରୁ ଲିଖିତ ଭାବେ ଜଣାଯାଇଛି ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେବାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏହି ଦୁର୍ଘଟଣା ପରେ ପୌରସଂସ୍ଥା ପକ୍ଷରୁ ତୁରନ୍ତ ଅଳସୁଆ ହାଟ ପାର୍ଶ୍ୱରେ ଥିବା ଉକ୍ତ ପରିତ୍ୟକ୍ତ ପାଚେରିର ଅନ୍ୟ ଅଂଶ ସହ ପରିତ୍ୟକ୍ତ ଘର ଗୁଡିକୁ ଜେସିବି ମେଶିନ ସାହାଯ୍ୟରେ ଭଙ୍ଗା ଯାଇଥିଲା।
ଏ ସମ୍ପର୍କରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ମୃତ ବ୍ୟବସାୟୀଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରାଯାଇ ତୁରନ୍ତ ରେଡକ୍ରସ ପକ୍ଷରୁ ୨୫ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଛି। କଟକରେ ୩ ଗୁରୁତରଙ୍କ ଚିକିତ୍ସାର ତଦାରଖ କରାଯାଉଛି। ଯେଉଁମାନେ ସାମାନ୍ୟ ଆହତ ହୋଇଥିଲେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଛାଡି ଦିଆଯାଇଛି। ରାଇସମିଲ୍‌ କରିଥିବା ସଂସ୍ଥା କିଭଳି ଲିଜ୍‌ ନେଇଥିଲା ଏବଂ କେବେଠାରୁ ତାହା ବନ୍ଦ ପଡିଥିଲା ସେ ସମ୍ପର୍କରେ ତଦନ୍ତ କରାଯାଇ ନୋଟିସ୍‌ ଜାରି କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହାଟ ପାର୍ଶ୍ୱରେ ଥିବା ବିପଦସଙ୍କୁଳ ସମସ୍ତ ପାଚେରି, ଘରଗୁଡ଼ିକୁ ଭଙ୍ଗାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ୱର,୨୦।୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ଜନ ଶୁଣାଣି ପାଇଁ ଗୁରୁବାରଠାରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ...

ସାହାରା ଜମାକାରୀଙ୍କ ପାଇଁ ଖୁସିଖବର: ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ଅନୁରାଧା ମହାରଣା):ସରକାର ସାହାରା ଗ୍ରୁପ୍‌ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri