ପୁରୀ ଅଫିସ,୧୧।୭: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖକୁ ଶରଧାବାଲି କୁହାଯାଏ। ଶରଧାବାଲିର ଧୂଳିକୁ ବ୍ରଜଧୂଳି ସହିତ ତୁଳନା କରାଯାଇଛି। ବାହୁଡ଼ା ଦିନ ତିନିଠାକୁର ଧାଡ଼ିପହଣ୍ଡିରେ ଶରଧାବାଲି ଦେଇ ରଥ ଉପରକୁ ଚଢନ୍ତି। ଏଣୁ ମହାପ୍ରଭୁଙ୍କ ସ୍ପର୍ଶ ପାଇ ଶରଧାବାଲି ଅତ୍ୟନ୍ତ ପବିତ୍ର ହୋଇଯାଇଥାଏ। ଏହାର ରେଣୁ ରେଣୁରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସ୍ପର୍ଶ ପାଇଥାଏ। ଏଣୁ ଶରଧାବାଲି ଅତି ପବିତ୍ର ବୋଲି କୁହାଯାଇଛି। ରଥଯାତ୍ରା ସମୟରେ ଶରଧାବାଲିର ମୁଠେ ଧୂଳି ଲାଗି ଭକ୍ତ ମନ ଆତୁର ହୋଇ ଉଠେ। ବାହୁଡ଼ା ପର୍ଯ୍ୟନ୍ତ ତିନିରଥ ଶରଧାବାଲିରେ ରହିଥାଏ। ଏହି ସମୟରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ସହ ଶରଧାବାଲିର ଧୂଳିକୁ ମଥାରେ ଲଗାଇଲେ ଅଶେଷ ପୂର୍ଣ୍ଣପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏବେ ଶରଧାବାଲିରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି। କେହି ମହାପ୍ରଭୁଙ୍କ ନାମ ଜପୁଥିବାବେଳେ ଆଉ କେହି ଭଜନ କୀର୍ତ୍ତନରେ ମଜ୍ଜିଛନ୍ତି। ଭକ୍ତମାନେ ଶରଧାବାଲିରେ ଗଡ଼ି ଏହାର ପବିତ୍ରତାକୁ ଅନୁଭବ କରୁଛନ୍ତି। ବହୁ ବିଦେଶୀ ଭକ୍ତ ଭାବାବେଗରେ ଏହାର ଧୂଳିକୁ ଦେହରେ ବୋଳି ହେଉଥିବା ଦେଖିବାକୁ ମିଳିଛି। ବିଶିଷ୍ଟ ସଙ୍ଗୀତକାର ଭିକାରୀ ବଳଙ୍କ ଗୀତ ‘ହାତରେ ମୋ ମୁଠା ମୁଠା ଶରଧାବାଲି… ନରେନ୍ଦ୍ରର ଜଳେ ପଡ଼େ ମଥାରୁ ଝରି… ’ ଏହାର ପବିତ୍ରତାକୁ ପରିପ୍ରକାଶ କରେ। ଗବେଷକମାନେ କୁହନ୍ତି, ରଥଯାତ୍ରା ସମୟରେ ଶରଧାବାଲିରେ ଗଡ଼ିିଲେ ଓ ମୁଣ୍ଡରେ ଲଗାଇଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଶରଧାବାଲିର ମହାତ୍ମାକୁ ନେଇ ବହୁ ଗବେଷକ, ଲେଖକ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଛନ୍ତି।
ଶ୍ରଦ୍ଧାମଣିଙ୍କ ନାମାନୁସାରେ ‘ଶରଧାବାଲି’
କେତେଜଣ ଗବେଷକଙ୍କ ମତରେ ଶ୍ରଦ୍ଧାମଣି ପାଟମହାଦେଈଙ୍କ ନାମାନୁସାରେ ଏହି ବାଲିର ନାମ ଶରଧାବାଲି ହୋଇଛି। ହେରାପଞ୍ଚମୀ ପରେ ତିନିରଥ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରୁହନ୍ତି। ଚତୁର୍ଦ୍ଧାମୂର୍ତ୍ତି ଶରଧାବାଲି ଦେଇ ରଥାରୂଢ଼ ହୋଇଥାନ୍ତି। ମହାପ୍ରଭୁଙ୍କ ସ୍ପର୍ଶରେ ଏହି ବାଲି ଅତ୍ୟନ୍ତ ପବିତ୍ର ହୋଇଯାଇଥାଏ। ଏହାର ଧୂଳିକୁ ମଥାରେ ଲଗାଇଲେ ମନରେ ପବିତ୍ରତା ଭାବ ଜାଗ୍ରତ ହେବା ସହ ମହାପ୍ରଭୁଙ୍କ ସ୍ନାନିଧ୍ୟ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଣୁ କବିଙ୍କ ମତରେ ‘ହେ ଜଗନ୍ନାଥ, ଧନ ଜନ ମାଗୁ ନାହିଁ, ମାଗୁଛି ଶରଧାବାଲିରୁ ମୁଠେ।’ ଶରଧାବାଲିରେ ପାଦ ଦେଲେ ମନରେ ଆପେ ଆପେ ଭକ୍ତିଭାବ ସଞ୍ଚରିଯାଏ। ଅତୀତରେ ଅନେକ ସାଧୁସନ୍ଥ ଏଠାକୁ ଆସି ଶରଧାବାଲିରେ ଗଡ଼ିଥିବାର ବିଭିନ୍ନ ଶାସ୍ତ୍ର, ପୁରାଣରୁ ଜଣାପଡ଼େ।