ଅହମ୍ମଦାବାଦ୍,୨୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଯୋଜନା ନେଇ ଦେଶରେ ଚର୍ଚ୍ଚା ଜାରି ରହିଛି। ଏପରିସ୍ଥଳେ ଗୁଜରାଟର ମେହସଣା ପଞ୍ଚାୟତର ନିଷ୍ପତ୍ତି ଏହି ଯୋଜନାରେ ବାଧା ସୃଷ୍ଟି କରିଛି। ପଞ୍ଚାୟତରେ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ସ୍ମାର୍ଟଫୋନ୍ ବ୍ୟବହାର ମନା କରାଯାଇଛି। ଏହାର ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବ ବୋଲି ତାଗିଦ୍ କରାଯାଇଛି। ତେବେ ସରପଞ୍ଚ ଅଞ୍ଜନା ପଟେଲଙ୍କ ଏହି ନିଷ୍ପତ୍ତି ଯୋଗୁ ଅଭିଭାବକମାନେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି। ସ୍ମାର୍ଟଫୋନ୍ ଧରି ଛୋଟ ପିଲାମାନେ ପାଠପଢ଼ା ପ୍ରତି ଅବହେଳା କରୁଥିଲେ। ଏହା ସହିତ ଗାଁରେ କେତେକ ଅପରାଧୀକ ଘଟଣା ମଧ୍ୟ ଘଟୁଥିଲା। ତେବେ ଏଣିକି ଏଥିରୁ ମୁକ୍ତି ମିଳିବ ବୋଲି ଅଭିଭାବକ କହିଛନ୍ତି। ଏହା ସହିତ ସ୍ମାର୍ଟଫୋନ୍ ରିଚାର୍ଜ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ମଧ୍ୟ ସଞ୍ଚୟ ହେବ।