Posted inଖେଳ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ବାଂଲାଦେଶକୁ ପ୍ରଥମ ଟାଇଟଲ

ପୋଚେଫ୍ସଟ୍ରୁମ୍‌,୯।୨(ପି.ଟି.)- ଅଣ୍ଡରଡଗ୍‌ କୁହାଯାଉଥିବା ବାଂଲାଦେଶ ଏଥର ୧୯ ବର୍ଷରୁ କମ୍‌ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ଟାଇଟଲ ହାସଲ କରିଛି। ସ୍ଥାନୀୟ ସେନଓ୍ବେଜ ପାର୍କ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚ୍‌ରେ ବାଂଲାଦେଶ ଡକ୍‌ଓ୍ବର୍ଥ ଲୁଇସ୍‌ ନିୟମରେ ଗତଥରର ଚାମ୍ପିୟନ ଭାରତକୁ ୨୩ଟି ବଲ୍‌ ବାକି ରଖି ୩ ଉଇକେଟରେ ପରାସ୍ତ କରିଛି। ଏଥିସହିତ ପ୍ରଥମଥର ପାଇଁ ବାଂଲାଦେଶ ବିଶ୍ୱକପ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଟସ୍‌ ଜିତି ବାଂଲାଦେଶ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୪୭.୨ ଓଭରରେ ୧୭୭ ରନକରି ଅଲଆଉଟ ହୋଇଥିଲା। ମ୍ୟାଚ୍‌ର ଶେଷ ଆଡକୁ ବର୍ଷା ହେବା କାରଣରୁ ବାଂଲାଦେଶ ସମ୍ମୁଖରେ ଡକ୍‌ଓ୍ବର୍ଥ ଲୁଇସ୍‌ ନିୟମରେ ୪୬ ଓଭରରେ ପରିବର୍ତ୍ତିତ ୧୭୦ ରନର ଟାର୍ଗେଟ ଧାର୍ଯ୍ୟ କରାଯାଇଥିଲା। ବାଂଲାଦେଶ ଏହାକୁ ୪୨.୧ ଓଭରରେ ହାସଲ କରିନେଇଥିଲା। ୧୭୮ ରନ ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ଭଲ ଆରମ୍ଭ କରିଥିଲା। ପ୍ରଥମ ଉଇକେଟରେ ଦୁଇ ଓପନର ପରଭେଜ ହୋସେନ ଇମୋନ ଓ ତାନ୍‌ଜିଦ୍‌ ହାସନ ୫୦ ରନ ସଂଗ୍ରହ କରିଥିଲେ। ତେବେ ତାନଜିଦ ୧୭ ରନ କରି ଲେଗ୍‌ ସ୍ପିନର ରବି ବିଷ୍ଣୋଇଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏହାପରେ ବିଷ୍ଣୋଇଙ୍କୁ ସମ୍ମୁଖୀନ ହୋଇ ନ ପାରି ବାଂଲାଦେଶ କେତୋଟି ଉଇକେଟ ହରାଇଥିଲା। ଇମୋନ ୪୭ ରନକରି ଆଉଟ ହୋଇଥିବା ବେଳେ ଅଧିନାୟକ ଆକବର ଅଲି ଧୈର୍ଯ୍ୟର ସହ ବ୍ୟାଟିଂ କରି ୪୩ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଭାରତ ତରଫରୁ ବିଷ୍ଣୋଇ ସର୍ବାଧିକ ୪, ସୁଶାନ୍ତ ମିଶ୍ରା ୨ ଓ ଜୈସୁଆଲ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

ଜୈସୁଆଲଙ୍କ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ବାଂଲାଦେଶ ବୋଲରଙ୍କ ସମ୍ମୁଖୀନ ହୋଇପାରି ନ ଥିଲା ଓ ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଥିଲା। ଆରମ୍ଭରୁ ଭାରତ ଝଟ୍‌କା ଖାଇଥିଲା। ଓପନର ଦିବ୍ୟାଂଶ ସାକସେନା ମାତ୍ର ୨ ରନ କରି ଆଉଟ ହେବା ପରେ ଭାରତ ବେଶ୍‌ ମନ୍ଥର ବ୍ୟାଟିଂ କରିଥିଲା। ପ୍ରଥମ ୧୦ ଓଭରରେ ମାତ୍ର ୨୩ ରନ ସଂଗ୍ରହ କରିଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ। ପୁଣି ଥରେ ଓପନର ଯଶସ୍ବୀ ଜୈସୁଆଲ ନିଜର ଚମ୍‌କ ଦେଖାଇଥିଲେ। ସେ ୧୨୧ଟି ବଲର ସମ୍ମୁଖୀନ ହୋଇ ୮ ଚୌକା ଓ ୧ ଛକା ସହ ସର୍ବାଧିକ ୮୮ ରନ କରି ଆଉଟ ହୋଇ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଜୈସୁଆଲ କ୍ରମାଗତ ଚତୁର୍ଥ ଥର ପାଇଁ ୫୦ରୁ ଅଧିକ ସ୍କୋର ଅର୍ଜନ କରି ଏକ ବିରଳ ସଫଳତା ହାସଲ କରିଛନ୍ତି। ସେ ଟୁର୍ନାମେଣ୍ଟରେ ସର୍ବାଧିକ ୪୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ସେ ଗତ ୬ଟି ମ୍ୟାଚ୍‌ରେ ଯଥାକ୍ରମେ ୫୯, ଅପରାଜିତ ୨୯, ଅପରାଜିତ ୫୭, ୬୨, ଅପରାଜିତ ୧୦୫ ଓ ୮୮ ରନ ସଂଗ୍ରହ କରିଛନ୍ତି। କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ହାସଲ କରିବାରେ ପୂର୍ବରୁ ସର୍ଫରାଜ ଖାନ୍‌, ବ୍ରିଟ ଓ୍ବିଲିୟମ୍ସ ସଫଳ ହୋଇଥିଲେ। ବିଶ୍ୱକପ୍‌ରେ ଜୈସୁଆଲ ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ୫ଟି ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଛନ୍ତି। ଦ୍ୱିତୀୟ ଉଇକେଟ ଜୈସୁଆଲ ଓ ତିଲକ ବର୍ମା ୯୩ ରନ କରି ସ୍ଥିତି ସମ୍ଭାଳିବା ସହ ସ୍କୋରକୁ ଆଗକୁ ବଢାଇଥିଲେ। ବର୍ମା ୬୫ଟି ବଲ୍‌ ଖେଳି ୩ ଚୌକା ସହ ୩୮ ରନ କରି ଆଉଟ ହୋଇଥିଲେ। ଦଳର ସ୍କୋର ୧୫୬ ଥିବା ବେଳେ ଜୈସୁଆଲ ଆଉଟ ହୋଇଥିଲେ। ସେ ମିଡ୍‌ ଉଇକେଟରେ ତାନଜିଦ୍‌ ହାସନଙ୍କୁ ଛୋଟିଆ କ୍ୟାଚ୍‌ ଦେଇ ସୋରିଫୁଲ ଇସ୍‌ଲାମଙ୍କ ଶିକାର ହୋଇଥିଲେ। ଏହାପରେ ଭାରତର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ଏକଦା ୩ ଉଇକେଟ ହରାଇ ଭାରତ ୧୫୬ ରନ ସଂଗ୍ରହ କରିଥିଲା। ତେବେ ମାତ୍ର ୨୧ ରନରେ ଭାରତ ତା’ର ଅନ୍ତିମ ୭ ଉଇକେଟ ହରାଇଥିଲା। ଉଇକେଟକିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ୨୨ ରନ କରି ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଦଳର ୮ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଏହି କ୍ରମରେ ପ୍ରିୟମ ଗର୍ଗ ୭, ଅଥର୍ବ ଆଙ୍କୋଲେକର ୩, ରବି ବିଷ୍ଣୋଇ ୨, ସୁଶାନ୍ତ ମିଶ୍ର ୩ ରନ କରି ଆଉଟ ହୋଇଥିବା ବେଳେ ସିଦ୍ଧେଶ ବୀର ଓ କାର୍ତ୍ତିକ ତ୍ୟାଗୀ ଖାତା ଖୋଲିପାରି ନ ଥିଲେ। ଆକାଶ ସିଂ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ଦ୍ରୁତ ବୋଲର ଅଭିଷେକ ଦାସ ସର୍ବାଧିକ ୩, ସୋରିଫୁଲ ଓ ତାନ୍‌ଜିଦ ହାସନ ସାକିବ ୨ଟି ଲେଖାଏ, ରାକିବୁଲ ହାସନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୁମ୍‌ରା ହେଲେ ଟେଷ୍ଟ ଟିମ୍‌ର ଅଧିନାୟକ, ମେଲବର୍ନ ଟେଷ୍ଟ ପରେ ବଡ଼ ଘୋଷଣା…

ନୂଆଦିଲ୍ଲୀ,୩୧।୧୨: ମେଲବର୍ନ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ପରାଜୟ ପରେ ଅଧିନାୟକ ରୋହିତ ଶର୍ମାକୁ ହଟାଇବାକୁ ଲଗାତାର ଦାବି ହେଉଛି। ତାଙ୍କ ସ୍ଥାନରେ ଷ୍ଟାର ଦ୍ରୁତ...

କାହାକୁ ମିଳିବ ୨୦୨୪ ଟି -୨୦ କ୍ରିକେଟର ଅଫ ଦ ଇୟର ଆଓ୍ବାର୍ଡ, ଲିଷ୍ଟରେ ଏମାନେ, ଭାରତରୁ ଅଛନ୍ତି…

ନୂଆଦିଲ୍ଲୀ,୩୧।୧୨: ୨୦୨୪ ବର୍ଷ ଟି -୨୦ ଆନ୍ତର୍ଜାତୀୟ କ୍ରିକେଟ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଏହା ଟିମ ଇଣ୍ଡିଆ ପାଇଁ ମଧ୍ୟ ସ୍ବତନ୍ତ୍ର ଥିଲା କାରଣ...

ଆସିଗଲା ଟିମ୍‌ ଇଣ୍ଡିଆର କାର୍ଯ୍ୟସୂଚୀ: ୨୦୨୫ରେ ଏହି ଦଳ ବିପକ୍ଷରେ ଖେଳିବ ଟେଷ୍ଟ ସିରିଜ୍‌

ନୂଆଦିଲ୍ଲୀ,୩୧।୧୨: ଚଳିତ ବର୍ଷ ଭାରତୀୟ କ୍ରିକେଟ ଦଳର ପ୍ରଦର୍ଶନ ମିଶ୍ରିତ ହୋଇଥିଲା। ପ୍ରାୟ ୧୭ ବର୍ଷ ପରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା,...

ମେଲବର୍ନରେ ହାରିବା ପରେ ବି WTC 2025 ଫାଇନାଲରେ ପହଞ୍ଚିପାରେ ଭାରତ, ଏମିତି ରହିଛି ସମୀକରଣ

ନୂଆଦିଲ୍ଲୀ,୩୧।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚରେ ପରାଜୟ ପରେ ଭାରତୀୟ ଦଳର ବିଶ୍ୱ ଟେଷ୍ଟ ଚାମ୍ପୟନସିପ ଫାଇନାଲରେ ପ୍ରବେଶ କରିବାର ଆଶା...

ସନ୍ୟାସ ନେବେ ବିରାଟ କୋହଲି, ରୋହିତ ଶର୍ମା! ପୂର୍ବତନ କ୍ରିକେଟରଙ୍କ ଚମକାଇବା ଭଳି ତଥ୍ୟ

ନୂଆଦିଲ୍ଲୀ,୩୧।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫିରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଅତ୍ୟନ୍ତ ନିରାଶାଜନକ ପ୍ରଦର୍ଶନ କରିଛନ୍ତି। ଏହି କାରଣରୁ ଭାରତର...

ଲଜ୍ଜାଜନକ ରେକର୍ଡ ହାସଲ କଲେ ରୋହିତ ଶର୍ମା:ପଛରେ ପଡ଼ିଲେ ମାଷ୍ଟରବ୍ଲାଷ୍ଟର

ମେଲବୋର୍ନ,୩୧।୧୨: ମେଲବୋର୍ନ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୪ ରନ ବ୍ୟବଧାନରେ ଭାରତକୁ ପରାସ୍ତ କରିଛି। ଏହି ପରାଜୟ ପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଏବଂ ବ୍ୟାଟିଂ ଉପରେ...

ଅବସର ଉପରେ ରୋହିତ ଶର୍ମା ନେଇସାରିଛନ୍ତି ନିଷ୍ପତ୍ତି! ବିସିସିଆଇ ଶୀଘ୍ର କରିବ ଘୋଷଣା, ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୧୨: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫ ପରେ ଅବସର ନେବାକୁ ଯାଉଛନ୍ତି। ଏକ ମିଡିଆ ରିପୋର୍ଟ ଅନୁଯାୟୀ, ରୋହିତ ବର୍ତ୍ତମାନର ସିରିଜ...

ଜୟସ୍ବାଲଙ୍କ ଆଉଟକୁ ତେଜିଲା ବିବାଦ

ମେଲବୋର୍ନ, ୩୧।୧୨: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ କ୍ରିକେଟ ଟେଷ୍ଟର ଅନ୍ତିମ ଦିବସରେ ସୋମବାର ଯଶସ୍ବୀ ଜୟସ୍ବାଲଙ୍କ ଆଉଟକୁ ନେଇ ବିବାଦୀୟ ସ୍ଥିତି ଦେଖା ଦେଇଛି। ଏହା ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri