ବଲିଉଡ୍ରେ ଡକାଏତ୍ ଗେଟଅପ ପାଇଁ ସେ ବେଶ୍ ଚର୍ଚ୍ଚିତ ଥିଲେ। କେବଳ ସେତିକି ନୁହେଁ, ଏପରି ଭୂମିକାରେ ଦର୍ଶକ ତାଙ୍କୁ ଗ୍ରହଣ କରିବା ସହ ସେମାନଙ୍କ ହୃଦୟରେ ସେ ହାସଲ କରିଥିଲେ ସ୍ବତନ୍ତ୍ର ସ୍ଥାନ। ହଁ, ସେହି ଅଭିନେତା ଜଣକ ହେଲେ ସୁନୀଲ ଦତ୍ତ। ‘ପ୍ରାଣ ଜାଏ ପର୍ ବଚନ ନା ଯାଏ’, ‘ମଦର ଇଣ୍ଡିଆ’, ‘ମୁଝେ ଜିନେ ଦୋ’ ଆଦି ୨୦ଟି ସିନେମାରେ ସେ ଡକାଏତ ଭୂମିକାରେ ଅଭିନୟ କରିଥିଲେ। ଅଭିନୟ ଜଗତରେ ପ୍ରବେଶ କରିବା ପୂର୍ବରୁ ସେ ସିଲୋନ୍ ରେଡିଓରେ ଜଣେ ଘୋଷକ ଭାବରେ କାମ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ହିନ୍ଦୀ ସିନେମା ଥିଲା ‘ରେଲଓ୍ବେ ପ୍ଲାଟଫର୍ମ’। ତାଙ୍କ ଅଭିନୀତ ପ୍ରମୁଖ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି- ‘ସାଧନା’, ‘ସୁଜାତା’, ‘ମୁଝେ ଜିନେ ଦୋ’, ‘ଖାନଦାନ୍’, ‘ପଡୋଶନ୍’, ‘ଓ୍ବକ୍ତ’, ‘ଗୁମରାହୋ’, ‘ରେଶମା ଔର ସେରା’, ‘ଜାନି ଦୁଷ୍ମନ’, ‘ମୁକାବିଲା’ ଏବଂ ‘ଶାନ୍’। ୭୫ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା।