ବଅଁରପାଳ,୧୮।୧ (ଡି.ଏନ୍.ଏ.) – ବଅଁରପାଳ ବ୍ଲକ କଲଣ୍ଡାପାଳ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛି। ବର୍ତ୍ତମାନ ୩ଟି କୋଠରିରେ ୮ଟି ଶ୍ରେଣୀର ଛାତ୍ରୀଛାତ୍ର ପଢ଼ୁଥିବା ଅଭିଯୋଗ ହେଉଛି। ଏଥିସହ ଆବଶ୍ୟକ ଶିକ୍ଷକ ନ ଥିବାରୁ ପାଠପଢ଼ାରେ ବ୍ୟାହତ ସୃଷ୍ଟି ହେଉଛି। ଏଠାରେ ପଢ଼ୁଥିବା ୮୫ ଜଣଙ୍କ ମଧ୍ୟରୁ ୪୩ ଛାତ୍ରୀ ହୋଇଥିବାବେଳେ ୪୨ ଜଣ ଛାତ୍ର ଅଛନ୍ତି। ତେବେ ଗୋଟିଏ କୋଠରିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପିଲା ପଢ଼ୁଥିବା ବେଳେ ଅନ୍ୟ ଏକ କୋଠରିରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଏବଂ ବାକି ଏକ କୋଠରିରେ ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପଢ଼ାଯାଉଛି। ସେହିପରି ମାତ୍ର ୩ ଜଣ ଶିକ୍ଷକ ଏଠାରେ ଶିକ୍ଷାଦାନ କରୁଛନ୍ତି। ଜଣେ ଶିକ୍ଷକ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ପଢ଼ାଉଥିବା ବେଳେ ଅନ୍ୟ ଦୁଇ ଜଣ ଷଷ୍ଠରୁ ଅଷ୍ଟମ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରୁଛନ୍ତି। ଶ୍ରେଣୀଗୃହ ଗୁଡ଼ିକର ଅବସ୍ଥା ମଧ୍ୟ ଭଲ ନାହିଁ। କବାଟ ଓ ଝରକା ଭାଙ୍ଗିଯାଇଥିବାବେଳେ ଘରର କଢ଼ି ଉଇ ଖାଇଗଲାଣି। ବର୍ଷା ଦିନେ ଶ୍ରେଣୀ ଗୃହରେ ପାଣି ଗଳୁଥିବା ନଜିର ରହିଛି। ବିପଦସଙ୍କୁଳ ଗୃହରେ ଛାତ୍ରୀଛାତ୍ରମାନେ ପଢ଼ୁଥିବାରୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।