କୋରୁକୋଣ୍ଡା,୬।୨(ଡି.ଏନ୍.ଏ): ମାଲକାନଗିରି ଜିଲାରେ ବାରମ୍ବାର ଚାଷୀ ମହଲରେ ଉତ୍ତେଜନା ଦେଖିବାକୁ ମିଳୁଛି। ବୁଧବାର ଜିଲାର ଗୋବିନ୍ଦପାଲିଠାରେ ମଣ୍ଡିରୁ ଧାନ ଉଠୁ ନ ଥିବା ହେତୁ ମାଲକାନଗିରି-ଜୟପୁର ରାସ୍ତା ଅବରୋଧ କରି ଚାଷୀ ଧାରଣାରେ ବସିଥିଲେ। ସେହିଭଳି ଗୁରୁବାର ସକାଳେ ଜିଲାର କୋରୁକୋଣ୍ଡାଠାରେ ମଧ୍ୟ ଚାଷୀ ଉତ୍ତେଜନା ଦେଖା ଦେଇଛି। ଦୀର୍ଘ ୪୫ ଦିନ ଧରି ବ୍ଲକର କୌଣସି ମଣ୍ଡିରୁ ଏଯାଏ ଧାନ ଉଠାଯାଇ ନ ଥିବାରୁ ଉତ୍ତେଜିତ ହୋଇ ଚାଷୀମାନେ ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର କୋରୁକୋଣ୍ଡା ଲ୍ୟାମ୍ପ ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ। ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଏସବୁ ସମସ୍ୟାର ସମାଧାନ ନ ହେବାରୁ ଚାଷୀମାନେ ସକାଳୁ ମୁଖ୍ୟ ରାସ୍ତା ଉପରେ ଧାନ ବସ୍ତା ଥୋଇ ରାସ୍ତା ଅବରୋଧ କରିଥିଲେ। ଏଥିଯୋଗୁ ଉଭୟ ପାର୍ଶ୍ୱରେ ଅନେକ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଘଟଣାସ୍ଥଳକୁ ଯାଇ କୋରୁକୋଣ୍ଡା ବିଡିଓ ଦାଶରଥି ସରାବୁ, ମାଲକାନଗିରି ଥାନାଧିକାରୀ ରାମ ପ୍ରସାଦ ନାଗ, ବ୍ଲକ ଯୋଗାଣ ଅଧିକାରୀ ବ୍ୟୋମକେଶ ମାଝୀ ୭ ଦିନ ମଧ୍ୟରେ ମଣ୍ଡିରେ ପଡି ରହିଥିବା ଧାନକୁ ଉଠାଇବା ନେଇ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଧାରଣାରୁ ଉଠିଥିବା ସୂଚନା ମିଳିଛି। ଫଳରେ ଗାଡି ଚଳାଚଳ ସ୍ବାଭାବିକ ରହିଛି।
Posted inଆମ ଜିଲା ଖବର, ମାଲକାନଗିରି, ରାଜ୍ୟ