ଅଁଳାନବମୀ ପ୍ରଥମ ସମନ୍ବୟ ବୈଠକ: ରାଧାପାଦ ଛୁଁଇବେ ନାହିଁ ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ, ୨୩-୧୦(ଡି.ଏନ୍‌.ଏ.):ପୁରୀ ଜିଲା ସତ୍ୟବାଦୀ ବ୍ଲକ ସାକ୍ଷୀଗୋପାଳ ମନ୍ଦିରରେ ଅଁଳାନବମୀ ଚଳିତ ବର୍ଷ ନଭେମ୍ବର ୫ରେ ଅନୁଷ୍ଠିତ ହେବ। ଏନେଇ ପ୍ରଥମ ସମନ୍ବୟ ବୈଠକ ସାକ୍ଷୀଗୋପାଳ ପାନ୍ଥଶାଳାରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ଭକ୍ତମାନେ ରାଧାପାଦ ନ ଛୁଇଁବାନେଇ ନିଷ୍ପତ୍ତି ହୋଇଥିଲା। ସେବାୟତ ପ୍ରତିନିଧିମାନଙ୍କୁ ମନ୍ଦିର ଟ୍ରଷ୍ଟବୋର୍ଡରେ ସାମିଲ କରାଯାଇ ନ ଥିବାରୁ ସେବାୟତ ସଂଘ ବୈଠକ ବର୍ଜନ କରିଥିବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ସୂଚନା ଦେଇଥିଲେ। ସହକାରୀ ଦେବୋତ୍ତର କମିଶନର ଆଶିଷ କୁମାର ପଟ୍ଟନାୟକ କହିଛନ୍ତି ଯେ, ପୂର୍ବ ଟ୍ରଷ୍ଟବୋର୍ଡ କାର୍ଯ୍ୟକାଳ ପୂରିଯାଇଥିବାରୁ ଯାତ୍ରା ପରିଚାଳନା ପାଇଁ ସରକାରୀ ଅଧିକାରୀମାନଙ୍କୁ ନେଇ ଏକ ଅସ୍ଥାୟୀ ବୋର୍ଡ ଗଠନ କରାଯାଇଛି। ସ୍ଥାୟୀ ବୋର୍ଡ ଗଠନ ସମୟରେ ସେବାୟତ ପ୍ରତିନିଧିଙ୍କୁ ସାମିଲ କରାଯିବ ବୋଲି ସେ କହିଥିଲେ। ତେବେ ଦ୍ୱିତୀୟ ସମନ୍ବୟ ବୈଠକ ପୂର୍ବରୁ ସେବାୟତ ସଂଘ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା ମାଧ୍ୟମରେ ସେମାନଙ୍କର ସମସ୍ୟା ସମାଧାନ କରିବାକୁ ପୁରୀ ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ସାହୁ ନିର୍ଦ୍ଦେଶ ଦେଇଥିଲେ।

Share